ରାଜୁ ସେ ବୃଦ୍ଧଠୁଁ ଶୀଘ୍ର ଖସିଯିବାକୁ ବ୍ୟଗ୍ର ହେଉଥିଲା । ତେଣୁ ସେ ତତ୍କ୍ଷଣାତ୍ ନଦୀ ବକ୍ଷକୁ ଲମ୍ଫ ଦେଲା ଓ ଅନ୍ୟ ତୀରରେ ଯାଇ ଉଠିଲା । ମାତ୍ର ଆଶ୍ଚର୍ଯ୍ୟର କଥା, ସେ କୂଳକୁ ଉଠିବା ବେଳକୁ ସେଠି ସେହି ବୃଦ୍ଧ ହିଁ ଠିଆ ହୋଇଥିଲା ।
ରାଜୁ ପ୍ରଶ୍ନ କଲା “ତମେ କେତେବେଳେ ନଦୀ ପାରିହେଲ?”
ବୃଦ୍ଧ କହିଲା “ମୁଁ ସେପାରିରେ ମିଳେଇ ଯାଇ ଏପାରିରେ ପୁଣି ଜମାଟ ବାନ୍ଧି ଗଲି । ବାସ୍!”
ରାଜୁ ଅବାକ୍ ହୋଇ ପଚାରିଲା “ଆଶ୍ଚର୍ଯ୍ୟ! ଏହା କ’ଣ ସମ୍ଭବ?”
“ସମ୍ଭବ! ” ବୃଦ୍ଧ ସତେ ଅବା ସେ ପ୍ରଶ୍ନ ଆଶା କରୁଥିଲା । ଏହାପରେ ସେ ସଂକ୍ଷେପରେ ବୁଝାଇ ଦେଲା, “ଆମ ଦେହ କେତେକ ଶକ୍ତି ତରଙ୍ଗର ସ୍ଥୁଳ ରୂପ । ଯିଏ ଉପାୟ ଜାଣେ, ସିଏ ତା’ ଦେହକୁ ଶକ୍ତି ତରଙ୍ଗରେ ପରିଣତ କରି ପୁଣି ସେ ଶକ୍ତି ତରଙ୍ଗକୁ ଦେହରେ ପରିଣତ କରି ପାରିବ ।”
ରାଜୁ କହିଲା “ବୁଝିଲି ।”
ବକ୍ର ଦାଢୀବନ୍ତ ଗମ୍ଭୀର ହୋଇ କହିଲା “ନା ବାବୁ, ବୁଝିବା ଏତେ ସହଜ ନୁହେଁ । ଏହା ଜ୍ଞାନ-ବିଜ୍ଞାନ ରାଜ୍ୟ । ତଥାପି ଏ ଜ୍ଞାନଟି ଅଳ୍ପ କେତେଜଣଙ୍କ ଭିତରେ ସୀମାବଦ୍ଧ । ଏ ରାଜ୍ୟର ନାଗରିକ ହେବା ପରେ ଅଧିକ ବୁଝିବ । ଆସ, ତମକୁ ନୂଆ ନାମଟିଏ ଦିଏଁ । ନହେଲେ ତମେ ଆମର ନାଗରିକ ହୋଇପାରିବ ନାହିଁ । ”
“ରାଜୁ” ତ କିଛି ମନ୍ଦ ନାମ ନୁହେଁ ।”
ପଛରୁ ମେଣ୍ଢା ମୁଣ୍ଡିଆ ଖାଇଲା ଭଳି ଚମକି ପଡିଲା ବୃଦ୍ଧ । ତା’ପରେ ସେ ଉତ୍ତେଜିତ ଭାବରେ ପ୍ରଶ୍ନ କଲା “ତମେ ତମ ନାମ ମନେ ରଖିଲ କିପରି?”
“କାରଣ ଏଇଟା ମୋର ନିଜସ୍ୱ ନାମ । ବିଶେଷ ଲମ୍ବା ନୁହେଁ କି ଜଟିଳ ବି ନୁହେଁ । ”
“ତରୁଣ, ତମେ ଜାଣନା, ଯିଏ ଥରେ ଏ ନଦୀ ପାରି ହେବ, ସେ ତା’ର ପୂର୍ବ ଜୀବନ ସଂପୂର୍ଣ୍ଣ ପାଶୋରି ଦେବ । ନହେଲେ ସେ ଏ ରାଜ୍ୟର ନାଗରିକ ହେବ କିପରି?”
“ତମ ରାଜ୍ୟର ନାଗରିକ ହେବା ପାଇଁ ମୋର କେଉଁ ଗରଜ?” ଏତିକି କହି ରାଜୁ ସେ ବୁଦ୍ଧଠୁଁ ଘୁଂଚିଗଲା ।
“ତରୁଣ, ତମେ ଉଦ୍ଧତ! ଏ ଜ୍ଞାନ-ବିଜ୍ଞାନ ରାଜ୍ୟର ନାଗରିକ ହେବା ସୌଭାଗ୍ୟର କଥା । ମୁଁ ବେଶ କେତେଜଣ ପଥଭ୍ରଷ୍ଟଙ୍କୁ ନାଗରିକ କରିଛି । ତମ ଭିତରେ ନିଶ୍ଚୟ କିଛି ଗଲଦ ଅଛି ।” ଏହି କଥା କହିବାବେଳେ ବୃଦ୍ଧର ସ୍ୱର କୁପିତ ଶୁଣାଗଲା ।