ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନକ ଉପତ୍ୟକାର କାହାଣୀ

ତାଙ୍କ କଥା ଶୁଣି ରାଜୁ ମନେ ମନେ ହସିଲା । ତା’ଭିତରେ ନିଶ୍ଚୟ ଗଲଦ କିଛି ନାହିଁ ବୋଲି ସେ ତା’ର ସ୍କୃତି ଅତୁଟ ରଖି ପାରିଲା । ହଠାତ୍ ତା’ର ମନେ ହେଲା, ପ୍ରତିମା ଅଙ୍ଗୁଳିରୁ ତା’ ଅଙ୍ଗୁଳି ଭିତରକୁ ଖସି ଆସିଥିବା ମୁଦିଟି ଯୋଗୁଁ ହିଁ ନଦୀର ସେଭଳି ଭୟଙ୍କର ପ୍ରଭାବରୁ ସେ ମୁକ୍ତ ରହି ପାରିଛି ।

ବୃଦ୍ଧ  ନିର୍ଦ୍ଧେଶ ଦେଲା “ତମେ ଆଉ ଥରେ ଦୁଇଥର ନଦୀରେ ସନ୍ତରଣ କଲ!”

ରାଜୁ ପ୍ରକାଶ କଲା “ନା, ମୋର ସେଭଳି ପ୍ରବୃତି ନାହିଁ ।”

“ପୁଣି ଔଦ୍ଧତ୍ୟ! ତମର ପ୍ରବୃତି ଥିବା ନଥିବାର ପ୍ରଶ୍ନ କିଏ ଉଠାଉଛି? ଏହା ମୋର ଆଦେଶ ।” ଏହା କହି ସେ ବୃଦ୍ଧ ହାତ ତାଳି ଦେଲା । ରାଜୁ ଚମତ୍କୃତ ହୋଇ ଲକ୍ଷ୍ୟ କଲା, ସେ ଧ୍ୱନିର ପ୍ରତିଧ୍ୱନି କ୍ରମେ ଦୁର୍ବଳ ହେବା ପରିବର୍ତ୍ତେ ଅଧିକ ପ୍ରବଳ ହେଉଥିଲା ।

ରାଜୁ କହିଲା “ଏମିତି ମଜାଦାର ପ୍ରତିଧ୍ୱନି ମୁଁ କେବେ ବି ଶୁଣି ନାହିଁ!”

ତହୁଁ ସେ ବୃଦ୍ଧ କହିଲା “ଏହା ଆମର ଗୋଟାଏ ବୈଜ୍ଞାନିକ କରାମତି । ମାତ୍ର ତମକୁ ମଜାଦାର ଲାଗିଲା? ତାହାଠୁଁ ବେଶି କିଛି ନୁହେଁ?”

ବୃଦ୍ଧର ଏ ମନ୍ତବ୍ୟ ଉପରେ ରାଜୁ କିଛି କହିବା ପୂର୍ବରୁ ଭିନ୍ନ ଭିନ୍ନ ଦିଗରୁ ପ୍ରହରୀ ଦଳ ଭଳି ମନେ ହେଉଥିବା ଲୋକେ ତା’ଆଡକୁ ଦୌଡି ଆସୁଥିବାର ସେ ଦେଖିଲା ।

ତା’ପରେ ସେ ବୃଦ୍ଧ ରୁକ୍ଷ ଭାବରେ ଆଦେଶ ଦେଲା “ଧର ଏ ତରୁଣକୁ!”

ରାଜୁ ହରିଣ ଗତିରେ ଦୌଡି ପଳାଇଲା । ସେମାନେ ତାକୁ ଅନୁଧାବନ କଲେ । ଛୋଟ ଛୋଟ କେତେକ ପାହାଡ ଅତିକ୍ରମ କରି ସେ ପହଁଚିଲା ଏକ ଉପତ୍ୟକାରେ । ଉପତ୍ୟକାର ଏକ ଦୂର ପ୍ରାନ୍ତରେ ଦେଖାଯାଉଥିଲା ଗୋଟିଏ ପ୍ରାସାଦ ଓ କେତେକ ଅଟ୍ଟାଳିକା । ରାଜୁ ଆଶ୍ରୟ ଆଶାରେ ସେହି ଦିଗରେ ଦୌଡିଲା ।

ପ୍ରହରୀମାନେ ତା’ର ନିକଟତର ହୋଇ ଆସୁଥିଲେ । ଅଣନିଃଶ୍ୱାସୀ ହେବାରୁ ରାଜୁ ସେମାନଙ୍କ ହାତରେ ଧରା ଦେବାକୁ ମନସ୍ଥ କଲା । ସେ ଦୌଡିବାରୁ କ୍ଷାନ୍ତ ହେଲା ।

କିନ୍ତୁ ପ୍ରହରୀମାନେ ହଠାତ୍ ରହିଗଲେ । ସେମାନଙ୍କ ଦୃଷ୍ଟି ଅନୁସରଣ କରି ରାଜୁ ପାଶ୍ୱର୍ବର୍ତି ଏକ ପାହାଡ ଉପରକୁ ଅନାଇଲା । ସେଠାରେ ସେ ଯାହା କିଛି ବି ଦେଖିଲା, ସେଥିରେ ତା’ର ବିସ୍ମୟର ସୀମା ରହିଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ