ବଡ଼ ଘଞ୍ଚ ଅରଣ୍ୟ ଗୋଟିଏ । ସେହି ଅରଣ୍ୟ ମଧ୍ୟରେ ଥାଏ ଗୋଟିଏ ପୁଷ୍କରିଣୀ । ପୁଷ୍କରିଣୀରେ ନାନା ଜାତିର ଛୋଟ ଛୋଟ ମାଛ ଥାଆନ୍ତି । ଆଉ ଅନେକ ପାଣି ଥିବାରୁ ମାଛମାନେ ଖୁବ୍ ମନ ଆନନ୍ଦରେ ଖେଳାବୁଲା କରନ୍ତି ।
ଏହାରି ମଧ୍ୟରେ ଗୋଟିଏ କଳା ଜଟିଆ ବଗ ଆସି ସେହି ପୁଷ୍କରିଣୀ ତୁଠରେ ବସିଲା । କାହାରିକୁ କିଛି କହିଲା ନାହିଁ । ପ୍ରତିଦିନ ପୁଷ୍କରିଣୀ କୂଳକୁ ବଗ ଆସେ । କାହାକୁ କିଛି ନକହି ମଉନ ହୋଇ ବସେ । ସକାଳୁ ଆସିଥିଲେ ସନ୍ଧ୍ୟାକୁ ପୁଣି ଚାଲିଯାଏ ।
ବଗଟିର ପ୍ରତିଦିନ ଏପରି ଆସିବା ମଧ୍ୟରେ ମାଛମାନେ ମଧ୍ୟ ବଗକୁ ଦେଖି ପୁଷ୍କରିଣୀ କୂଳରେ ଥିଲେ ସେମାନେ ପାଣି ଭିତରକୁ ଚାଲିଯାଇ ଖେଳନ୍ତି । ହେଲେ ସମସ୍ତଙ୍କର ସେହି ବଗଟି ଉପରେ ସଦାସର୍ବଦା ନଜର ଥାଏ । ସମସ୍ତେ ଜାଣନ୍ତି ଯେ ବଗଟି ବୁଢ଼ା ହୋଇ ଯାଇଛି । କାହାରିକୁ କିଛି କହୁ ନାହିଁ । ଯିବାବେଳକୁ ସେ ଖାଲି ଆଖିରୁ ଦୁଇବୁନ୍ଦା ଲୁହ ଗଡ଼ାଇ ପଳାଇ ଯାଉଛି ।
ଏମିତି କେତେ ଦିନ ବଗଟି ପୁଷ୍କରିଣୀ କୂଳକୁ ଆସି ଚାଲିଯିବା କଥାକୁ ପୁଷ୍କରିଣୀ ମଧ୍ୟରେ ରହୁଥିବା ଗୋଟିଏ ବୁଢ଼ା କଙ୍କଡ଼ା ଦେଖୁଥାଏ । ଦିନେ ବଗଟି ଆସି ଯେତେବେଳେ ପୁଷ୍କରିଣୀ ତୁଠରେ ବସିଲା ଧିରେ ଧିରେ ପାଣି ମଧ୍ୟରୁ କଙ୍କଡ଼ାଟିଏ ଆସି ପଚାରିଲା – ୟେ ବଗ ଭାଇ! ତୁମେ ତ ସବୁଦିନ ଆସୁଛ । କାହାରିକୁ କିଛି କହୁ ନାହଁ । ମଉନ ବ୍ରତ କରିଛ ନା କ’ଣ? ହେଲା ସବୁଦିନ ଆସୁଛ ଆଉ ଯାଉଛ । ଆଚ୍ଛା କହିଲ ଭାଇ ଯିବା ବେଳକୁ ତୁମେ କାନ୍ଦୁଛ କାହିଁକି?