ବଗ କହିଲା – ଦେଖୁଛ ତ ଭାଇ, ମୁଁ ବୁଢ଼ା ହୋଇଗଲିଣି । ଆଗ ପରି ଆଉ ଏ ଦୁନିଆରେ ବଞ୍ଚି ରହିବାର ଇଚ୍ଛା ବି ନାହିଁ । ସଂସାରଟା ମୋତେ ଦିଗ୍ଦାର ଲାଗିଲାଣି । ମନ କହୁଛି ଆଉ ବା କେତେଦିନ ବଞ୍ଚିବି । ପିଲା ବୟସରୁ ଏ ଯାଏ ମୁଁ ଏହି ନିରୀହ ମାଛମାନଙ୍କୁ ଖାଇ କେତେ ଯେ ପାପ କରିଛି, ଏମିତି ଅସଂଖ୍ୟ ଜୀବହତ୍ୟା ପାପ କରିଛି ଯେ ପକ୍ଷୀ ଜୀବନରୁ ମୁକ୍ତି ନାହିଁ । ମରିବା ପରେ ତ ଜନ୍ମ ନେବାକୁ ହେବ, କାରଣ ଜନମ ମରଣ ତ ଲାଗି ରହିଛି । ମୁଁ ଯଦି ପୁଣି ଏହି ବଗ ଜନ୍ମ ପାଇବି ସେତେବେଳେ ପ୍ରକୃତିକୁ ଛାଡ଼ି ବା ପାରିବି କିପରି? ପୁଣି ସେହି ନିରୀହ ମାଛମାନଙ୍କୁ ଆନନ୍ଦରେ ଭୋଜନ କରିବି । ସେତେବେଳେ ଆଗପରି ପାପପୁଣ୍ୟକୁ ମଧ୍ୟ ଭୁଲିଯିବି । ସେଥିପାଇଁ ଭଗବାନଙ୍କୁ ଡାକି କହିବାକୁ ମୋତେ ନୀରବତା ଅବଲମ୍ବନ କରିବାକୁ ପଡ଼ୁଛି । ମନେ ମନେ କହୁଛି ହେ ଭଗବାନ୍! ମୁଁ ଏହି ନିରୀହ ମାଛମାନଙ୍କୁ ଖାଇ ବହୁତ ଭୁଲ କଲିଣି । ଏଣିକି ମୋତେ ମରଣ ଦିଅ । ମୁଁ ଯେଉଁ ପାପ କରିଛି ମାନି ଯାଉଛି । ମୋତେ ମୁକ୍ତ କରିଦିଅ । ସତରେ ପୁଅ! କରିଥିବା ପାପ ଲାଗି ଆଜି ମୁଁ ଏତେ ଅନୁଶୋଚନା କରୁଅଛି ଯେ ଆଖିରୁ କେବଳ ଲୁହ ଗଡ଼ାଇବାକୁ ପଡ଼ୁଛି । ପୁଣି ମୋ ପାପ ପାଇଁ ମୁଁ ଯେତେ କାନ୍ଦୁ ନାହିଁ ସେତେ କାନ୍ଦୁଛି ଏହି ପୁଷ୍କରିଣୀରେ ଥିବା ମାଛଙ୍କ ପାଇଁ ।
କଙ୍କଡ଼ା ପଚାରିଲା, ହେ ମଉସା! ତମେ ମାଛମାନଙ୍କ ପାଇଁ କାହିଁକି କାନ୍ଦୁଛ? ସେମାନେ ତ ପୁଷ୍କରିଣୀରେ ବେଶ୍ ଆନନ୍ଦରେ ଅଛନ୍ତି । ତା’ଛଡ଼ା କେତେ ଯୁଗ ଗଲାଣି ୟେ ପୁଷ୍କରିଣୀରେ ଆଜି ଯେତିକି ପାଣି ଥିଲା ତ କାଲି ସେତିକି ପାଣି । ପୁଷ୍କରିଣୀରେ ଯଦି ଭରପୁର ପାଣି ରହିଲା ମାଛଙ୍କ ଲାଗି ଆଉ ଅସୁବିଧା କ’ଣ?