ସମସ୍ତଙ୍କର ଭୟଭୀତ ଅବସ୍ଥା ସହିତ କଙ୍କଡ଼ା ମଧ୍ୟ ଭୟଭୀତ ହୋଇପଡ଼ିଲା । ସେ କହିଲା – ହେ ବଗ ମଉସା । ଏହାପାଇଁ କ’ଣ ଆଉ କୌଣସି ଉପାୟ ନାହିଁ ।
ବଗ କହିଲା – ଉପାୟ ଥିଲେ କ’ଣ ହେବ । ସବୁରି ମୂଳରେ ବିଶ୍ୱାସ । ମୋତେ କ’ଣ ତୁମମାନଙ୍କର ବିଶ୍ୱାସ ଅଛି ଯେ ମୁଁ ଯାହା କହିବି ମାନିଯିବ । କାରଣ ସଂସାରରେ ବିରାଡ଼ି ଆଉ ବଗକୁ କେବେ ମାଛମାନେ ଶତ୍ରୁ ନ ଭାବି ମିତ୍ର ଭାବିବେ?
କଙ୍କଡ଼ା କହିଲା – ଛାଡ଼ନ୍ତୁ ସେକଥା ମଉସା । ବିପଦକାଳେ ମନୁଷ୍ୟର ସୂତା ଖିଅକୁ ଆଶ୍ରୟ । ବିଶ୍ୱାସରେ ବିଷ ଦେଲେ ତୁମର ପାପ ହେବ । ଆମେ ସମସ୍ତେ ତୁମକୁ ଅନୁରୋଧ କରଅଛୁ ଯେ କିପରି ଆମେମାନେ ଏହି ବିପଦରୁ ବଞ୍ଚିଯିବୁ ତାହାର ଉପାୟ ଆମକୁ ବତାନ୍ତୁ । ଏତେଗୁଡ଼ାଏ ଜୀବକୁ ବଞ୍ଚାଇ ଦେଲେ ତୁମର ଧର୍ମ ହେବ ।
କଙ୍କଡ଼ାର ସମସ୍ତ କଥା ଶୁଣିବା ପରେ ବଗ କହିଲା – ଧର୍ମ କଥା ତ ମୁଁ ଭାବୁଛି । କାରଣ ଜୀବନରେ ତ ଅନେକ ଗୁଡାଏ ପାପ କରି ମୋ ମୃତ୍ୟୁ ପରେ ମୋତେ କେତେ ନର୍କ ଭୋଗ କରିବାକୁ ହେବ । ଭଗବାନଙ୍କର ଦୟାରୁ ଯଦି ମୁଁ ଏହି ମାଛ ମାନଙ୍କର ଜୀବନ ରକ୍ଷା କରିଦେଇ ପାରିବି ତାହାହେଲେ ପାପରୁ ମୁକ୍ତି ପାଇବି । ତାହାହେଲେ ମୁଁ ଗୋଟାଏ କଥା ଚିନ୍ତା କରିଥିଲି ସେହି କଥା ତୁମକୁ କହୁଛି । ଏହି ଅଞ୍ଚଳଠାରୁ କେଜାଣି ସହସ୍ର ଯୋଜନାରେ ଆଉ ଏକ ଅଞ୍ଚଳ ଅଛି । ସେଠାରେ ମଧ୍ୟ ଏହିପରି ଏକ ପୁଷ୍କରିଣୀ ଅଛି । ସେ ଅଞ୍ଚଳକୁ ଏପରି ବିପଦ ପଡ଼ିବାର ଆଶଙ୍କା ନାହିଁ । ବର୍ତ୍ତମାନ ସେହି ଗୋଟାଏ ଉପାୟ । ତୁମ୍ଭେମାନେ ଏତେ ଦୂର ପୁଷ୍କରିଣୀ ଥିବା ଅଞ୍ଚଳକୁ ଯିବ ବା କିପରି?