ସକାଳ ହେବାରୁ ବୋଧିସତ୍ୱ ଚରିବାକୁ ବାହାରିଲେ । ମାତ୍ର କୁଆ ଟୋକେଇରେ ଶୋଇରହିଥାଏ । ବୋଧିସତ୍ୱ ତାକୁ କହିଲେ – “ଆଜି ଚରିବାକୁ ଯିବୁନି କି?” କୁଆ କହିଲା – “ମୋର ପେଟଟା ମୋଡି ହେଉଚି । କିଛି ଖାଇବାକୁ ମନ ହେଉନି । କାଲି ରାତିସାରା ଶୋଇପାରିନି । ଏବେ ବି ପେଟରେ କଷ୍ଟ ହେଉଚି ।”
ବୋଧିସତ୍ୱ ଏହା ଶୁଣି କହିଲେ – “କୁଆମାନଙ୍କର ପେଟ ଖରାପ ହୁଏ ବୋଲି ମୁଁ ଶୁଣିନଥିଲି । ସେସବୁ କଥା ମିଛ । ଆଜି ରୋଷେଇଘରେ ମାଛମାଂସ ରନ୍ଧାହେଉଚି, ତାହା ଦେଖି ବୋଧହୁଏ ତୁମ ପାଟିରୁ ଲାଳ ବୋହୁଚି । ମାଛମାଂସ ମଣିଷମାନେ ଖାଆନ୍ତି । ସେଥିପାଇଁ ତୁମେ ମନ ବଳାଇବା ଠିକ୍ ନୁହେଁ । ଉଠ, ଆମେ ଆମର ଖାଇବା ଜିନିଷ ଖୋଜିବାକୁ ଯିବା ।”
ତଥାପି କୁଆ ପୁଣି ପେଟ ମୋଡିହେବାର ଛଳନାକଲା । ସେ କହିଲା – “ସତରେ ଭାଇ, ମୋର ପେଟରେ ଭାରି ଯନ୍ତ୍ରଣା – ସେଥିରେ ପୁଣି ମୁଁ ମାଛମାଂସ ଖାଇବି? ମୋର ଦେହ ଭଲଥିଲେ ମୁଁ କ’ଣ ତୁମ ସାଙ୍ଗରେ ଯାଆନ୍ତି ନାହିଁ? ମତେ ବିଶ୍ୱାସକର ।”
ତାହା ଶୁଣି ବୋଧିସତ୍ୱ କହିଲେ – “ତୁମେ ନଗଲେ ନଯାଅ । ତେବେ ମନେରଖ ଯେ, ଲୋଭରେ ପଡି ମନ୍ଦ କାମ କରିବନି ।” ଏହା କହିଦେଇ ବୋଧିସତ୍ୱ ଉଡି ଚାଲିଗଲେ ।
କିଛି ସମୟ ପରେ ରାନ୍ଧୁଣିଆ ମାଛ କାଟି ରାନ୍ଧିବସିଲା । କେତେ ରକମର ତରକାରୀ କଲା । ଗୋଟିଏ ଗୋଟିଏ ରକମର ତରକାରୀକୁ ଗୋଟିଏ ଗୋଟିଏ କରେଇରେ ରଖିଲା । ସବୁ କରେଇ ଉପରେ ଥାଳି ଘୋଡାଇଦେଲା । ନିଆଁ ତାତିରେ ତାକୁ ତ ଘର ଭିତରେ ଭାରୀ ଗରମ ହେଉଥିଲା – ସେଥିପାଇଁ ସେ ଟିକିଏ ବାହାରକୁ ଚାଲିଗଲା ।
କୁଆ ଟୋକେଇ ଭିତରେ ରହି ସବୁ ଦେଖୁଥାଏ । ସେ ଭାବିଲା – ଏଇ ତ ମଉକା । ଏ ମଉକା ଆଉ ମିଳିବନି ।