ରାମ ତା’ର କୌଣସି ଏକ କାମରେ ସହର ଯାଇଥିଲା; ସେଠାରୁ ସେ ଚାଲି ଚାଲି ତା’ଗ୍ରାମକୁ ଫେରୁଥାଏ, ବାଟରେ ହଠାତ୍ ଅନ୍ୟ ଗ୍ରାମର ଭୋଳା ନାମକ ବ୍ୟକ୍ତି ସହିତ ତା’ର ଦେଖାହେଲା । ଦୁହେଁ ସାଙ୍ଗ ହୋଇ ବାଟ ଚାଲୁଥାନ୍ତି । ବାଟଚଲାର କ୍ଳେଶ ଭୂଲିବା ପାଇଁ ସେମାନେ ଗଳ୍ପ କହିବାକୁ ଆରମ୍ଭ କଲେ । ରାମୁ ବଡ ଗପୁଡି ସ୍ୱଭାବର ଥିଲା । ତେଣୁ ସେ ଗପି ଚାଲିଲା । ଗପୁ ଗପୁ ସେ କହିଲା, “ଜାଣ ଆମ ଗ୍ରାମରେ କାହାର କୌଣସି ବି ରୋଗ ନାହିଁ ।”
ଏହାଶୁଣି ଭୋଳା କହିଲା “ଆଚ୍ଛା? ଏହା ବଡ ଆଶ୍ଚର୍ଯ୍ୟ କଥା ତ?” ଏହିପରି ଭାବେ ସେମାନେ ଗଳ୍ପ କରିକରି ଯାଇ ରାମୁର ଗ୍ରାମରେ ପହଁଚିଲେ । ଭୋଳା ଦେଖିଲା ଗୋଟିଏ ଘରର ପିଣ୍ଡାରେ ଜଣେ ରୋଗୀଣା ବୁଢା ବସି କାଶି କାଶି ନୟାନ୍ତ ହେଲାଣି । ଏ ଘଟଣା ଦେଖି ଭୋଳା ରାମୁକୁ ପଚାରିଲା “ତୁମେ ପରା କହୁଥିଲ ଯେ, ତୁମ ଗ୍ରାମରେ କେହି ବି ଜଣେ ରୋଗୀ ନାହିଁ । ହେଲେ ମୋର ତ କାହିଁ ମନେ ହେଉଛି ଏ ଲୋକଟି ଆଉ ମାତ୍ର ଦିନେ ଦୁଇଦିନ ବଂଚିବ ।”
“ଓ ତମେ ଏଇ ଲୋକ କଥା କହୁଛ? ସିଏତ ଆମ ଗ୍ରାମର ବୈଦ୍ୟ; ଆଉ କାହାକୁ ରୋଗ ନ ହେବାରୁ ବିଚାରା ଏହି ବୈଦ୍ୟର ଆଉ କିଛି ବି ରୋଜଗାର ହେଉନାହିଁ । ଏବେ ତ କେବଳ ସେହିଁ ଆମ ଗ୍ରାମର ଦରିଦ୍ରତମ ବ୍ୟକ୍ତି । ସେଇଆ ଭାବି ସେ କାଶୁଛି । ରୋଗ ଫୋଗ କିଛି ନୁହେଁ ।” ଏଭଳି ମିଛ କଥା ଉପରେ ଭୋଳାର ଆଉ କହିବା ପାଇଁ କିଛି ବି ନଥିଲା ।