ଘାଟ କପ୍ତାନ ସାହେବଙ୍କ ପାଖରୁ ଚିଠି ପାଇ ମେଜେଷ୍ଟର ସାହେବ ପୋଲିସ ନିଯୁକ୍ତ କଲେ । ଆଠ ଦଶଦିନ ବାଦେ ଦେଖାଗଲା ବାଲେଶ୍ୱର ସହର ଶଗଡ ଦାଣ୍ଡରେ ପୋଲିସ ଦାରୋଗା ପୋଷାକ ପିନ୍ଧି ଗୋଟାଏ ଘୋଡାରେ ଚଢି ଭାରି ଫୂର୍ତିରେ କଚେରିମୁହାଁ ଚାଲିଛନ୍ତି । ତାଙ୍କ ପଛରେ ମାଝି ଖଲାସୀ ତଣ୍ଡେଲ ମେଟ୍ ଜାହାଜର ଚାକର ଷୋଳଜଣ ହଳକୁ ହଳ ବାହାକୁ ବାହା ଛନ୍ଦା । ଜଣେ ଚାଳିଶ ପଚାଶ ଚପରାସୀ ଚୌକିଦାର ତାଙ୍କ ଚାରିପାଖେ ବେଢି ଚାଲିଛନ୍ତି । ସମସ୍ତଙ୍କ ମଝିରେ ଛ’ଟା ଟଙ୍କା ଭାର । ପୋଲିସ ପହଁଚିଯିବାରୁ ମାଝି ଖଲାସୀମାନେ ମହାଜନର ଯେଉଁ ଟଙ୍କା ବାଂଟବଖରା କରି ନେଇଥିଲେ, ସୁନାପୁଅପରି ଗୋଟିକଠାରୁ ସବୁ ଟଙ୍କା ଦାରୋଗା ଆଗରେ ଗଣି ଦେଇଥିଲେ ।
ପୋଲିସ ଦାରୋଗା ମେଜେଷ୍ଟର ସାହେବଙ୍କଠାରେ ଯେଉଁ ରିପୋର୍ଟ ଦରପେସ କରିଥିଲେ ସେଥିର ସାରାଂଶ ଏହି ପ୍ରକାର-
“ଚଳିତ ମଇ ମାସ ୧ ତାରିଖ ସ୍ୱରୂପ ମାଝି ମାନ୍ଦ୍ରାଜ ହାରବାରରୁ କମଳାପ୍ରସାଦ ଗୋରାପକୁ ବାଲେଶ୍ୱର ବନ୍ଦରକୁ ଘେନି ଆସୁଥିଲା- ୯ ତାରିଖ ସଂନ୍ଧ୍ୟା ସମୟରେ ଧାମରା ନଦୀମୁହାଣ ପାଖରେ ସେ ପହଁଚିଲା । ସେହି ଶେଷରାତି ସରିକି ବାଲେଶ୍ୱର ବାରାରେ ସେ ପହଁଚିଥାନ୍ତା । ମାତ୍ର ଆକାଶ ମେଘାଚ୍ଛନ୍ନ, ଆଉ ଅଳ୍ପ ତୋଫାନ ହେବାରୁ ମାଝି ସମୁଦ୍ର ମଧ୍ୟରେ ଜାହାଜ ଚଳାଇବାକୁ ଆଉ ସାହାସ କଲା ନାହିଁ, ନିରାପଦରେ ରହିବାପାଇଁ ଘଡିଆମାଳ ନଦୀ ଭିତରେ ଘେନିଯାଇ ଲଙ୍ଗର ପକାଇଲା । ସେଠାକୁ ମାଝି ଖଲାସୀ ସମସ୍ତଙ୍କ ଗ୍ରାମ ମକ୍ରାମପୁର ଅଧ କୋଶେ ବାଟ ଦୂର । ଅନେକଦିନ ପିଲାଝିଲାଙ୍କୁ ଦେଖି ନ ଥିବାରୁ ଘରକୁ ଯିବାପାଇଁ ସମସ୍ତେ ବଡ ବ୍ୟସ୍ତ ହେଲେ । ଚାରିଜଣ ମାତ୍ର ଖଲାସୀ ଜାହାଜରେ ପହରା ରହିଲେ, ବାକି ଆଉ ସମସ୍ତେ ଓହ୍ଲାଇ ନିଜ ନିଜ ଘରକୁ ଚାଲିଗଲେ । ରାତି ପାହାନ୍ତି ଖୁବ୍ ଭୋର୍ ଭୋର୍ ଜାହାଜକୁ ଫେରିଆସିବାର କଥା ରହିଲା ।”
“ଅଧରାତି ସରିକି ତୋଫାନ ଆଉ ବୃଷ୍ଟି ପ୍ରବଳ ହେଲା । ଚାରିଜଣ ଲୋକ ଜାହାଜ ସମ୍ଭାଳି ରଖିପାରିଲେ ନାହିଁ, ଗୋଟାଏ ବାଲିଚଡାରେ ଲାଗିଗଲା । ସକାଳ ସକାଳ ମାଝି ଖଲାସୀ ଧାଇଁଛନ୍ତି- ଜାହାଜ ଅବସ୍ଥା ଦେଖି ସେମାନେ ମୁଣ୍ଡ ବାଡେଇ ଦେଲେ । ସେତେବେଳେ ପଡିଆଣି ଜୁଆର, ଜାହାଜ ନିହାତି ବାଲିଚଡାରେ ବସିଯାଇଛି । ଆଉ ଉପାୟ ନାହିଁ । ଘଡିଆମାଳ ନଦୀଟା ଅତି ଭୟଙ୍କର, ଜାହାଜ ଚଡାରେ ଲାଗିଲେ ଉଠେ ନାହିଁ । ଢେର୍ ଢେର୍ ଜାହାଜ ମାଡ ଖାଇଛନ୍ତି । ତେଣୁ ମାଝିମାନେ ଏ ନଦୀକୁ ବଡ ଡରନ୍ତି ।
ମାଝି ଖଲାସୀ ସମସ୍ତେ ବିଚାର କଲେ, ଜାହାଜ ତ ଗଲାଣି, ଚାକିରି ତ ଆଉ ରହିବ ନାହିଁ, ଶୁଣାଶୁଣିରେ ଜାହାଜାତି କାରବାର ବାଲେଶ୍ୱରରୁ ଉଠିଯିବ । ସ୍ଥିର କଲେ, ଟଙ୍କାଗୁଡାକ ବାଂଟିନେଇ ନିଶ୍ଚିନ୍ତରେ ରହିବେ, ଜାହାଜଡୁବି ଖବର ମହାଜନକୁ ଦେବେ । ମାତ୍ର ସେମାନେ ଯତ୍ନ କରିଥିଲେ ଜାହାଜ ଉଠିଥାନ୍ତା ଇତ୍ୟାଦି ।
ଚାରି ଛ’ଦିନ ବାଦେ ପୂର୍ଣ୍ଣିମା ତିଥି କଟାଳ ଜୁଆର ପହଁଚିବାରୁ ଜାହାଜ ଯେଉଁ ଚଡାରେ ବସିଥିଲା, ତାହା ଜଳପୂର୍ଣ୍ଣ ହୋଇଗଲା । ଦୈବାତ୍ ଗୋଟାଏ ଟାଣ ପବନ ହେବାରୁ ଜାହାଜ ଭାସିଉଠି ଜଳସ୍ରୋତରେ ଏକାବେଳକେ ଦରିଆରେ ପଡିଲା । ଯେପରି ଭାବରେ ତାହା ଭାସିଯାଉଥିଲା, ଗଙ୍ଗା ଭିତରକୁ ଯାଇଥାନ୍ତା । ମାତ୍ର ବାଲେଶ୍ୱର ଦାରା ବାହାର ବୟା ପାଖରେ ପହଁଚିଛି, ପୂର୍ଣ୍ଣିମା ପ୍ରାତଃକାଳ, ସମୁଦ୍ରରେ ଜୁଆର ଆରମ୍ଭ ହୋଇଛି, ଜଳସ୍ରୋତ ଧରି ବାଲେଶ୍ୱର ବୁଢାବଳଙ୍ଗ ନଦୀ ଭିତରେ ପଶିଗଲା ।
ପଶ୍ଚାତ୍ ଶୁଣାଗଲା, ମାଝି ଖଲାସୀମାନେ ଚାରି ଚାରି ବରଷ ମିଆଦ ଗଲେ । ଆଉ ଜ୍ୟୋତିଷ କମଳଲୋଚନ ନାୟକେ ସେଡେ ବଡ ଖରାକାଳରେ ପାଟଯଥା ପିନ୍ଧି, ଯୋଡି ଶାଲ୍ ଘୋଡି ହୋଇ, ହାତରେ ସୁନାବଳା ନାଇ ମାସେ ଯାଏ ସହର ମଧ୍ୟରେ ସବୁ ବଡଲୋକଙ୍କ ଦ୍ୱାରେ ଦ୍ୱାରେ ବୁଲୁଥିବାର ଦେଖାଗଲା ।
ଗାଳ୍ପିକ – ଫକୀରମୋହନ ସେନାପତି