ବିବାହର ଏକ ମାସ ହେଲା । ବିକ୍ରମାଦିତ୍ୟ କନ୍ୟାର ସାନିଧ୍ୟ ଲାଭ କରି ପାରିଲେ ନାହିଁ । ଆପଣା ମନ ମଧ୍ୟରେ ରାଜା ବିକ୍ରମାଦିତ୍ୟ ଚିନ୍ତାକଲେ ଯାହାଯୋଗୁଁ ଏତେ କଷ୍ଟ ସହିଲି ତା’ ସଙ୍ଗରେ ଚାରିଚକ୍ଷୁ ମିଳନ ହେଲାନି । ଉପାୟ ନକଲେ ଏ କଷ୍ଟ ସହିବାକୁ ହେବ । ସାମାନ୍ୟ ନାରୀ ହୋଇ ପୁଣି ମୋତେ ବଳିଯିବ । ରାଜା ବିକ୍ରମାଦିତ୍ୟ ନିଜ ଶ୍ୱଶୁରଙ୍କୁ ଡାକି କହିଲେ ତୁମ୍ଭେ ମୋପାଇଁ ଉଆସ ତୁମ୍ଭ କନ୍ୟାର ଗୃହ ନିକଟରେ ତୋଳିଦିଅ । ମୁଁ ସେଠାରେ ରହିଲେ କନ୍ୟାର ମନ ବଦଳିଯିବ । କେଜି ରାଜନ କହିଲେ କନ୍ୟାକୁ ଜଣାଏ, ସେ ଯେବେ ସନମତି ପ୍ରଦାନ କରିବ ମୁଁ ତୁମ୍ଭପାଇଁ ଉଆସ ତୋଳିଦେବି । ଦାସୀହସ୍ତରେ ଖବର ପଠାଇଲେ କେଜିନୃପ । କନ୍ୟା ସେ କଥା ଶୁଣିବା ମାତ୍ରକେ କୋପ କଲା । ପୁନର୍ବାର ରାଜା ଦାସୀଠାରୁ ସମସ୍ତ ଶୁଣି ଏକ ପତ୍ର କମଳିନୀ ପାଖକୁ ଲେଖି ପଠାଇଲେ । ମା’ କମଳିନୀ ମୋ କଥା ମାନ, ତୋ ପାଖରେ ତୋ ବର ନ ରହିଲେ ଜଗତ ଜନ ତୋତେ ନିନ୍ଦା କରିବେ । ଏପରି ଲେଖି ରାଜା ପତ୍ର ପଠାଇଲେ । କମଳିନୀ ପତ୍ର ପାଠ କଲା । ମନରେ ଭାବିଲା ସେ ଏଠାରେ ରହନ୍ତୁ, ମୋର ବା କ’ଣ କ୍ଷତି ହେବ । କମଳିନୀ ପତ୍ର ପାଠକରି ପିତାଙ୍କୁ ଜଣାଇଲା ନଗର ତୋଳିବା ନିମିତ୍ତ । କେଜିନୃପ ପତ୍ର ପାଇ ଆନନ୍ଦ ହେଲେ । କମଳିନୀ ଗୃହ ନିକଟରେ ନୂତନ ଉଆସଟିଏ ତୋଳିଦେଲେ । ବିକ୍ରମାଦିତ୍ୟ କିଛି ଦିନ ବାସକଲେ । କମଳିନୀ ସମସ୍ତଙ୍କର ଅଲକ୍ଷରେ ଗୋପନ ପ୍ରଣୟ କରେ କିନ୍ତୁ ନିଜକୁ ସତୀ ଦେଖାଇହୁଏ । ବିକ୍ରମ ନୃପତିର ରୂପ ନାରୀମାନେ ଦେଖି ମୋହିତ ହୁଅନ୍ତି । ସମସ୍ତେ କହନ୍ତି ଏ ମାନବ ନୁହଁନ୍ତି ଦେବତା । ଏପରି ପତି ପାଇ କମଳିନୀ କାହିଁ ଅତୃପ୍ତ । ଆସ ସମସ୍ତେ ମିଳି ତାଙ୍କୁ ମିଳାଇ ଦେବା । ଏପରି ଚିନ୍ତା କରି ନାରୀମାନେ କମଳିନୀ ପାଖକୁ ଗଲେ । ବହୁତ ବୁଝାଇଲେ, ମାତ୍ର କମଳିନୀ କିଛି ବୁଝିଲା ନାହିଁ । ନାରୀମାନେ କମଳିନୀର ପରିଚାରୀମାନଙ୍କୁ ପଚାରିଲେ ସେମାନେ ମଧ୍ୟ କହିବାପାଇଁ ରୋକ ଠୋକ ମନା କଲେ । ନାରୀମାନେ ଫେରି ଆସିବାପରେ ତା’ର ସଖୀମାନେ କହିଲେ- କମଳିନୀ ତୁ ଯାହାକୁ ବିଭା ହେଇଛୁ ସେ ଦେବତା । ମନୁଷ୍ୟ ନୁହଁନ୍ତି । ତୁ ତାଙ୍କୁ ହତାଦର କରୁଛୁ କାହିଁକି ।
କମଳିନୀ ସଖିମାନଙ୍କ କଥାରେ କ୍ରୋଧାନ୍ୱିତ ହୋଇ କହିଲା । ଆଜି କହିଲ ଆଉ କେବେ ଏପରି କଥା କହିବ ନାହିଁ । ତଥାପି ପରିଚାରୀମାନେ କହିଲେ କମଳିନୀ ସ୍ୱାମୀ ସେବା ତୁ କରୁ ନାହୁଁ ଆର ଜନ୍ମରେ ବିଧବା ହେବୁ । ତୋର ଇଚ୍ଛା ଯାହା ତୁ କର । ଯାହା କହିବାକଥା ଆମ୍ଭେ କହିଲୁ । ଚିତ୍ର ରଥର ପ୍ରୀତି ମନେ ପଡନ୍ତେ ସେ ବିକ୍ରମାଦିତ୍ୟଙ୍କ କଥା ଭୁଲି ଚାଲିଗଲେ । ଦାସୀଗଣମାନେ ନିରାଶ ହୋଇ ରାଜା ବିକ୍ରମାଦିତ୍ୟଙ୍କୁ ସମସ୍ତ କଥା କହିଲେ । ନୃପ ପ୍ରଶ୍ନକଲେ ତୁମ୍ଭେମାନେ କାହିଁକି ଆସିଛ । ପରିଚାରୀମାନେ କହିଲେ ତୁମ୍ଭଙ୍କୁ ଦର୍ଶନ କରିବା ନିମିତ୍ତ ଆସିଅଛୁ । ବିକ୍ରମାଦିତ୍ୟ କହିଲେ ତୁମ୍ଭେମାନେ ଦେଖ ତା ପାଖରେ ମୁଁ କି ଦୋଷ କରିଛି । ଆଡ ନୟନରେ ସେ ମୋତେ ଚାହୁଁ ନାହିଁ । ତୁମ୍ଭେମାନେ କୌଶଳ କରି ମୋ କଥା ତାଙ୍କୁ କହି ଆମ୍ଭଙ୍କୁ ମିଶାଇ ଦିଅ । ପରିଚାରୀଗଣ କହିଲେ ହେ ରାଜନ ଆମ୍ଭେ ମନ ମଧ୍ୟରେ ଭାବିଛୁ ତୁମ୍ଭଙ୍କୁ ବଳେ ତା’ ପୁରରେ ପ୍ରବେଶ କରାଇବୁ ।
ବିକ୍ରମାଦିତ୍ୟ କହିଲେ ମୁଁ ଭାବୁଛି ତା’ର ଅନ୍ୟ କାହା ସଙ୍ଗରେ ଚୋରାପ୍ରୀତି ଅଛି । ବିକ୍ରମାଦିତ୍ୟଙ୍କ କଥାଶୁଣି ପରିଚାରୀମାନେ କହିଲେ ଆମ ଜେମାଙ୍କ ଗୁଣ ଆମ୍ଭେ ଜାଣିନାହୁଁ । ପରିଚାରୀମାନେ ରାଜାଙ୍କୁ ନେଇ କମଳିନୀ ଗୃହ ନିକଟରେ ଜଗାଇଲେ । ଦାସୀମାନେ ରାଜାଙ୍କର ଯାହା ଦରକାର ଯୋଗାଇ ଦେଉଥାନ୍ତି । କମଳିନୀ ଶଯ୍ୟାରେ ବସନ୍ତେ ରାଜା ଜାଣିଲେ କମଳିନୀ କାହା ସଙ୍ଗରେ ଗୁପ୍ତ ପ୍ରଣୟ କରୁଛି । ତେଣୁ ତାଳ ବେତାଳଙ୍କୁ ସ୍ମରଣ କଲେ । ସ୍ମରଣ ମାତ୍ରକେ ତାଳବେତାଳ ପହଁଚିଲେ । ତାଙ୍କୁ ସମସ୍ତ କଥା ବୁଝାଇ କହିଲେ । ତୁମ୍ଭେମାନେ କମଳିନୀକୁ ଦେଖ, ସେ କିପରି ବଂଚୁଛି । ତାଳ ବେତାଳ ଦୁହେଁ ବାୟୁ ରୂପରେ କମଳିନୀ ପାଖରେ ରହିଲେ । ଚାହୁଁ ଚାହୁଁ ରାତ୍ର ପ୍ରବେଶ ହେଲା । କମଳିନୀ ଉଚ୍ଛନ୍ନ । ଶୋଇବାର ବାହାନା ଦେଖାଇ ସଖିମାନଙ୍କୁ ବିଦାୟ କରିଦେଲା । ପୁଷ୍ପରେ ନିଜକୁ ସଜାଇ ଦେଲା । ଅଭିସାରିକା ବେଶ ସାଜିଲା । ଶେଯ ସଜାଇଲା । ଉତ୍ତମ ଖାଦ୍ୟପେୟ ଯୋଗାଡକରି ରଖିଲା । ତାଳ ବେତାଳ ଏ ସମସ୍ତ କଥା ନିରୀକ୍ଷଣ କରୁଥାନ୍ତି ମାତ୍ର କମଳିନୀକୁ ଏହା ଅଜଣା ।