ଅବଶ୍ୟ ରାମଚରିତ ମାନସ ରଚନା କାଳରେ ତୁଳସୀଦାସଙ୍କୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥିଲା । ତଥାପି ମଧ୍ୟ ସେ ତାଙ୍କ କର୍ମକ୍ଷେତ୍ରରୁ କଦାପି ଓହରି ନ ଥିଲେ । ଏଥିପାଇଁ ତତ୍କାଳୀନ ରକ୍ଷଣଶୀଳ ସମାଜ ତାଙ୍କୁ ନାନା ଉତ୍ପୀଡନ ଦେଇଥିଲେ ମଧ୍ୟ ତାଙ୍କୁ ଡରିନଥିଲେ ।
ଶେଷରେ ତୁଳସୀଦାସ ରାମଚରିତ ମାନସ ରଚନା କରି ପ୍ରମାଣିତ କରିଦେଲେ ଯେ, ଯିଏ ନିଶ୍ଚଳ ଭକ୍ତି ପଥରେ ଗତି କରୁଛି, ଆଉ କର୍ମପଥରେ ଦୃଢଭାବରେ ଦଣ୍ଡାୟମାନ ତା’ ଆଗରେ ସମସ୍ତପ୍ରକାର ବାଧାବନ୍ଧନ ତୁଚ୍ଛ ।
ତୁଳସୀଦାସ କହିଛନ୍ତି – “ପ୍ରତି ମହତ୍କର୍ମ ଆରମ୍ଭରେ ପ୍ରାୟତଃ ଅନେକ ବାଧାବିଘ୍ନ ଦେଖାଯାଇଥାଏ । ପ୍ରକୃତରେ ବିଜ୍ଞ ଲୋକମାନେ ହିଁ ଏସବୁକୁ ପାଦରେ ଠେଲିଦେଇ ଆଗକୁ ମାଡିଚାଲନ୍ତି । ଉଦାହରଣସ୍ୱରୂପ ସମୁଦ୍ରର ଉତାଳ ତରଙ୍ଗ ସମ୍ମୁଖରେ ଦୃଢତାର ସହିତ ଠିଆ ହୋଇଗଲେ ଲହଡି ଚାଲିଯାଏ ତା’ ବାଟରେ । କିନ୍ତୁ ଏହାକୁ ଡରି ନଇଁପଡିଲେ ଏହା ସ୍ଥାନଚ୍ୟୁତ କରାଇ ଭସାଇ ନେବାର ସମ୍ଭବନା ଥାଏ । ଠିକ୍ ଏହି ଦୃଷ୍ଟାନ୍ତକୁ ମନରେ ରଖି ତୁଳସୀଦାସ ସର୍ବଦା ଅବିଚଳିତ ରହୁଥିଲେ । ଫଳରେ ତାଙ୍କ ପ୍ରତି ବାଧାବିଘ୍ନ ସୃଷ୍ଟି କରୁଥିବା କାଶୀର ବଡ ବଡ ପଣ୍ଡିତମାନେ ବି ଦିନେ ତାଙ୍କ ନିକଟରେ ନତମସ୍ତକ ହୋଇଥିଲେ ।”
ନମ୍ରତାର ପ୍ରତୀକ ତୁଳସୀଦାସ ଏତେ ଶୀର୍ଷକୁ ଉଠିଯାଇଥିଲେ ବି ତାଙ୍କ ପାଖରେ ଗର୍ବ ଅହଂକାର ଲେଶମାତ୍ର ବି ନଥିଲା । ନିଜକୁ ପ୍ରଭୁ ଶ୍ରୀରାମଙ୍କର ଜଣେ ତୁଚ୍ଛ ଓ ଅକିଂଚନ ଭକ୍ତ ଭାବରେ ସେ ପ୍ରତିପାଦିତ କରିଥିଲେ ।