ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥାଆନ୍ତି । ତାଙ୍କର କୌଣସି କଥାରେ ବି ଅଭାବ ଅସୁବିଧା ନଥାଏ । ବିରାଟ କୋଠାଘର, ଜମିବାଡି, ଗୋରୁଗାଈ, ମେଣ୍ଢା, ଛେଳି, ଦୋକାନ, ଚାକର ଚାକରାଣୀ ସବୁଥିରେ ପରିପୂର୍ଣ୍ଣ ଖଞ୍ଜା । ଗାଆଁର ଲୋକମାନେ ତାଙ୍କ ଜମି ଚାଷ କରନ୍ତି । ତାଙ୍କର ଧନସମ୍ପତ୍ତି ଏତେ ଯେ, ଯେତେ ଦାନକଲେ ମଧ୍ୟ ସରିବ ନାହିଁ । କିନ୍ତୁ ସେ ଦାନ ଧର୍ମଠାରୁ ଯଥେଷ୍ଟ ଦୂରରେ ଥାଆନ୍ତି । ବରଂ କୁଆଡୁ କେମିତି ଧନ ଆସି ତାଙ୍କ ଭଣ୍ଡାର ପୂରିବ, ଦିନରାତି ସେ ଖାଲି ଏଇ ଚିନ୍ତାରେ ଥାଆନ୍ତି । ଥରେ ଜଣେ ସାଧୁ ଆସିଥାନ୍ତି ସେଇ ଗ୍ରାମକୁ । ସେ ଦାନ-ଧର୍ମ, ଜୀବନର ସାର୍ଥକତା ସଂପର୍କରେ ପ୍ରବଚନ ଦେଉଥାନ୍ତି । ଧନୀଲୋକଟିର ମନ ନଥିଲେ ମଧ୍ୟ ଅନ୍ୟମାନେ ତାଙ୍କୁ ବାଧ୍ୟକରି ଡାକି ନେବାରୁ ସେ ଯାଇ ପ୍ରବଚନ ଶୁଣିଲେ ।
ସାଧୁ ମହାତ୍ମା କହିଲେ ମଣିଷ ଜୀବନ ଅଳୀକ, ଅସାର । ମହତ୍ କର୍ମ ହିଁ ମଣିଷ ଜୀବନକୁ ଧନ୍ୟ କରେ । ଦାନଧର୍ମ ଦ୍ୱାରା ମଣିଷ ପୁଣ୍ୟ ଅର୍ଜନକରେ । ପୂଜାର୍ଚ୍ଚନା, ଧ୍ୟାନ ମାଧ୍ୟମରେ ଶାନ୍ତି ପାଏ । ଉପଯୁକ୍ତ ଖାଦ୍ୟଖାଇ ଗୁଡାଏ ଧନ ସମ୍ପତ୍ତି ଠୁଳ କରି ବିଳାସ ବ୍ୟସନରେ ଜୀବନ କଟାଇଲେ ଜୀବନର ସାର୍ଥକତା ମିଳେନାହିଁ । ବରଂ ଏ ନଶ୍ୱର ଦୁନିଆଁରେ ଯିଏ ସରଳ ନିରାଡମ୍ବର ଭାବରେ ଚଳି ଦାନ, ଧର୍ମ, ପୂଜା, ଧ୍ୟାନ ମଧ୍ୟରେ ନିଜକୁ ଆବଦ୍ଧକରି ରଖେ ଶେଷରେ ସେ ହିଁ ପ୍ରଭୁଙ୍କର ଅତି ପ୍ରିୟଜନ ହୋଇପାରେ । ସାଧୁଙ୍କର ଏଭଳି କଥା ସେ ଧନୀ ଲୋକଟିର ମନରେ ବେଶ୍ ପ୍ରଭାବ ପକାଇଲା । ତା’ପରେ ସାଧୁ ଚାଲିଗଲେ ।