ମନ୍ତ୍ରୀମାନେ ରାଜାଙ୍କୁ ପରାମର୍ଶ ଦେବାଲାଗି ନିଯୁକ୍ତ ହୋଇଥାନ୍ତି । ସୁତରାଂ ମନ୍ତ୍ରୀମାନେ ଅତ୍ୟନ୍ତ ଚତୁର ଥିବା ଜଣାଯାଏ । ଠିକ୍ ସେହିପରି ଜଣେ ରାଜାଙ୍କ ପାଖରେ ଚତୁର ମନ୍ତ୍ରୀ ଥିଲେ । ସେ ରାଜ ନଅର ଜଗିବା ପାଇଁ ଜଣେ ମାତ୍ର ସୈନିକକୁ ନିଯୁକ୍ତି ଦେଲେ ।
ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ମନ୍ତ୍ରୀଙ୍କୁ ପଚାରିଲେ, “ଏଡେ ବଡ ରାଜପ୍ରାସାଦ, ତା’ ସାଥୀରେ ପୁଣି ମୂଲ୍ୟବାନ ରତ୍ନ ଭଣ୍ଡାର ଜଗିବା ପାଇଁ ଜଣେ ସିପାହୀ କ’ଣ କରିପାରିବ? ଅଧିକ ସିପାହୀ ନିଯୁକ୍ତିରେ ଅସୁବିଧା କ’ଣ ଥିଲା?”
ଏହାଶୁଣି ମନ୍ତ୍ରୀ କହିଲେ, “ମଣିମା! ଯେଉଁଠି ଜଣେ ସିପାହୀ ହେଲେ କାମ ଚଳିଯିବ ସେଠାରେ ଅଧିକ ନିଯୁକ୍ତି ଦେଇ କାହିଁକି ରାଜକୋଷରୁ ଅର୍ଥ ଅପବ୍ୟୟ କରିବା? ସିପାହୀ ଜଣକ ଯଦି ସାଧୁ, ସଚ୍ଚୋଟ ଓ କର୍ମନିଷ୍ଠ ହୋଇଥିବ ତେବେ ସେ ଏକାହିଁ ସବୁ କାର୍ଯ୍ୟ କରିପାରିବ ।”
ଏବେ ରାଜା ନୀରବ ରହିଲେ । ଦିନ ଗଡି ଚାଲିଲା । ଦିନେ ରାତ୍ରିରେ ଜଗୁଆଳି ସିପାହୀ ଜଣକ ଘୋର ବିପଦର ସମ୍ମୁଖୀନ ହେଲା । ଅବଶ୍ୟ ଜଣେ ବ୍ୟକ୍ତିଙ୍କର ସହଯୋଗରେ ସିପାହୀ ଜଣକ ବିପଦମୁକ୍ତ ହୋଇଗଲା । ତାଙ୍କୁ କୃତଜ୍ଞତା ଜଣାଇ ସିପାହୀ ଜଣକ କହିଲା, “ଭାଇ, ମୁଁ ତୁମ ପାଖରେ ଚିର ଋଣୀ । ଦରକାରବେଳେ ତୁମ ଋଣ ପରିଶୋଧ କରି ମୁକ୍ତ ହେବି ।”
ଏହି କଥାଟି ଦିନେ ରାଜାଙ୍କ କାନକୁ ଆସିଲା । ରାଜା ଭାବିଲେ ଭବିଷ୍ୟତରେ ସିପାହୀ ଲୋକଟିର ଋଣ ପରିଶୋଧ କରିବା ପାଇଁ ଅସାଧୁ ଉପାୟ ଅବଲମ୍ବନ କରିପାରେ । ସୁତରାଂ ସିପାହୀର ସାଧୁତା ପରୀକ୍ଷା କଲେ ଜଣାଯିବ ଯେ ସିପାହୀ କେତେ ସଚ୍ଚୋଟ? ଏବେ ରାଜା କଲେ କ’ଣ ନା, ସିପାହୀକୁ ବିପଦ ବେଳେ ସାହାଯ୍ୟ କରିଥିବା ଲୋକଟିକୁ ଡକାଇ ପଠାଇଲେ । ସେ ଲୋକଟି ଥିଲା ପ୍ରକୃତରେ ଏକ ଚୋର । ରାଜା ସେ ଲୋକକୁ କହିଲେ, “ତୁ ଏବେ ଯାଇ ସିପାହୀ ରାଜନଅରରେ ପହରା ଦେଉଥିବା ବେଳେ ତୋର ଋଣପରିସୋଧ କରିବା କଥା କହିବୁ । କୃତଜ୍ଞତା ପରିଶୋଧ କରିବା ସ୍ୱରୂପ ରାଜାନଅର ଭିତରକୁ ପ୍ରବେଶ କରିବା ପାଇଁ ଅନୁରୋଧ କରିବୁ ।”