ତହୁଁ ତିଳକ ବୁଝାଇ କହିଲେ, “ଭାଇ! କିଏ କହୁଛି ପୂଜାପାଇଁ ସମୟ ପାଉନାହିଁ ବୋଲି? ଲୋକସେବା ଆଉ ଦେଶସେବା ତ ସବୁଠାରୁ ବଡ ସେବା । ଏହାଠାରୁ ଜୀବନରେ ଶ୍ରେଷ୍ଠ ଆଉ କ’ଣ ବା କିଛି ଅଛି? ଆଜିକାଲି ତ ମୁଁ ସେହି କାର୍ଯ୍ୟରେ ବ୍ୟସ୍ତ ଯେ ଖାଇବା ପିଇବା ଭୁଲିଯାଉଛି । ମୁଁ ଏତିକି ଜାଣେ ଯେ, ସଦ୍କର୍ମ ହିଁ ଦେବତା ଏବଂ କାର୍ଯ୍ୟ କରିବା ହେଉଛି ଶ୍ରେଷ୍ଠ ପୂଜା । ଏଭଳି ସମୟରେ ଖାଇବା କଥା ଚିନ୍ତାକଲେ ସବୁ ବୃଥା ହୋଇଯିବ । ସେଇଥିପାଇଁ ମୁଁ ଭଲରେ ଗଣ୍ଡେ ଖାଇ ପାରେନି, ବେଳେବେଳେ ଉପବାସ ରହିଯାଏ ।”
ଏକଥା ଶୁଣି ତାଙ୍କ ପାଖରେ ଥିବା ସମସ୍ତ ବ୍ୟକ୍ତି ପ୍ରଭାବିତ ହେଲେ । ଖାଇସାରିବା ପରେ ଲୋକମାନ୍ୟ ସମସ୍ତଙ୍କ ଉଦ୍ଧେଶ୍ୟରେ କହିଲେ, “ଘଂଟି ବଜାଇ ବା ଶଙ୍ଖ ଫୁଙ୍କି, ବଡ ଚିତା ତିଳକ କାଟି, ଗେରୁଆ ବସ୍ତ୍ର ପିନ୍ଧି ଦେବଦେବୀ ମୂର୍ତ୍ତି ପାଖରେ ବସି ପୂଜା କରିବା ପ୍ରକୃତ ପୂଜା ନୁହେଁ । ମୋ ମତରେ ନିଷ୍ଠା, ଏକାଗ୍ରତା ଓ ଆନ୍ତରିକତାର ସହିତ କର୍ମରେ ମନୋନିବେଶ କରିବା ହିଁ ହେଉଛି ପ୍ରକୃତ ପୂଜା ।”
ସେଇଥିଲାଗି କୁହାଯାଇଛି –
“ନୁହେଁ ବଡ କଥା ମନ୍ଦିରକୁ ଯାଇ ଧୂପଦୀପ ଦେଇ ଦିଅଁ ପୂଜିବା
ଅନ୍ତରର ସହ ସତ୍କର୍ମ କଲେ ତା’ଠାରୁ ଅଧିକ ଫଳ ପାଇବା ।
ପୃଥିବୀ ବକ୍ଷରେ କର୍ମର ପୂଜାରୀ ରହିଯାଇଛନ୍ତି ଅମର ହୋଇ
ଦେଉଳରେ ଦିଅଁ ପୂଜାକରି କେହି କେବେ ହେଲେ ବଡ ହୋଇ ତ ନାହିଁ?”