କଲ୍ୟାଣ ତାଙ୍କ କୃତକର୍ମ ପାଇଁ ଅନୁତାପ କରି କହିଲେ “ହଁ, ମା’ ଏବେଠାରୁ ମୁଁ ତୁମର ସବୁକଥା ମାନି ଚଳିବି । ବଦ ଅଭ୍ୟାସ ଗୁଡିକୁ ପରିତ୍ୟାଗ କରିବି, ଚାଷବାସ ସମ୍ଭାଳିବି । କିନ୍ତୁ ମୁଁ ମୋର ପ୍ରଥମ ରୋଜଗାରର ଅର୍ଥ, ସେହି ଭଦ୍ରମହିଳାଙ୍କୁ ଦେଇ ଆସିବି । ଯାହାଙ୍କ ପ୍ରତି ମୁଁ ଶଠତା ଆଚରଣ କରିଛି । ବଡବାପା ବୋଧହୁଏ ତାଙ୍କର ଠିକଣା ଜାଣିଥିବେ । ତାଙ୍କର ହଜାରେ ଟଙ୍କା ଫେରସ୍ତ କରି, ତାଙ୍କଠୁଁ କ୍ଷମାଭିକ୍ଷା ନ କରିବା ପର୍ଯ୍ୟନ୍ତ ମୋର ଅର୍ନ୍ତଆତ୍ମା କେବେବି ତୃପ୍ତ ହେବନାହିଁ ।”
ସେ ମା, ପୁଅଙ୍କର ଏହି କଥାବାର୍ତ୍ତା, ଅନସୂୟା ଦେବୀଙ୍କର କ୍ରୋଧାଗ୍ନିକୁ ହଠାତ୍ ନିର୍ବାପିତ କରିଦେଲା । ଓଲଟି ସେ ଆନ୍ତରିକ ଭାବେ ଆନନ୍ଦିତ ହେଲେ । ତା’ପରେ ସେ ଧୀରେ କବାଟରେ ଆଘାତ କଲେ । କଲ୍ୟାଣ କବାଟ ଖୋଲି ଅନସୂୟାଙ୍କୁ ହଠାତ୍ ଦେଖି ଚମକି ପଡିଲେ । ଏସବୁ ଦେଖି ଅନସୂୟା ଅଳ୍ପହସି କହିଲେ, “କଲ୍ୟାଣ, ତୁମେ ଆଦୌ ବିଚଳିତ ହୁଅନାହିଁ । ମୋର ଅର୍ଥରେ କିନ୍ତୁ ଭଲକାମ ହୋଇଛି । ତାହାହିଁ ତ ମୋର ଆନନ୍ଦ ।” ଏହାପରେ ଅନସୂୟା କଲ୍ୟାଣଙ୍କ ମା’ଙ୍କୁ କହିଲେ, “କିଛି ଖରାପ ଭାବନ୍ତୁ ନାହିଁ । ମୁଁ ଏଇ କବାଟ ପାଖରେ ରହି ଆପଣ ମାନଙ୍କର କଥାବାର୍ତ୍ତା ସବୁ ଶୁଣିଛି ।”
ଆପଣଙ୍କ ପୁତ୍ରର ଏଇ ପରିବର୍ତ୍ତନରେ ମୋର ଅର୍ନ୍ତଆତ୍ମା ପରିତୃପ୍ତ । ପୁତ୍ରର ବିବାହ ପାଇଁ ଆପଣ ଇଚ୍ଛୁକ କି? ମୋର କନ୍ୟା କଲ୍ୟାଣୀ ସୁନ୍ଦରୀ, ସୁଶୀଳା, ଗୃହକର୍ମ ନିପୁଣା । ତା’କୁ ଥରୁଟିଏ ଦେଖି, ଆପଣ ପସନ୍ଦ କରିବେ । ରହିବା ପାଇଁ ଭଡାଘରର ବନ୍ଦୋବସ୍ତ ହୋଇ ଗଲେ, ମୁଁ ଖବର ପଠେଇବି ।
ପୁତ୍ରର ଏଭଳି ଆଚରଣ ପାଇଁ କଲ୍ୟାଣର ମା ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ । ମାତ୍ର ପରେ ଉତ୍ସାହିତ ହୋଇ ସେ କହିଲେ, “ଆମଘରର ଦୁଇ ବଖରା ଖାଲି ପଡିଛି । ଜିନିଷ ପତ୍ର ସହିତ କନ୍ୟାକୁ ନେଇ ଏଠାରେ ଆସି ଆପଣ ରୁହନ୍ତୁ । ଆପଣଙ୍କୁ ସାହାଯ୍ୟ କରିବା ପାଇଁ କଲ୍ୟାଣ ସାଥିରେ ଯାଉ । ସହରରେ ରୋଜଗାରର କ’ଣ ବା ଅଧିକ ସୁବିଧା ରହିଛି ।”
“କଲ୍ୟାଣୀର ବିବାହ ଏଠାରେ ହେବାର ବିଧିନିର୍ଦ୍ଦିଷ୍ଟ ଥିଲା । ଏଣୁ ଏତେ ସବୁ ଘଟଣା ଘଟିଯାଇଛି । ବିଧାତାଙ୍କ ଲିଖନକୁ କିଏ ବା ଏଡେଇ ଦେଇ ପାରିବ? ଯାହା ଭାଗ୍ୟରେ ଥିବ ତାହା ତ ଅବଶ୍ୟ ଫଳବତୀ ହେବ । ମନୁଷ୍ୟ ହାତରେ ବା କଣ ଅଛି?” କଲ୍ୟାଣର ମା’ଙ୍କ କଥା ଶୁଣି ଅନସୂୟା ହର୍ଷୋତ୍ଫୁଲ୍ଲିତ ହୋଇ ଭଗବାନଙ୍କୁ ପ୍ରଣାମ କଲେ ।