ସମ୍ରାଟଙ୍କର ମନ ପ୍ରାୟ ଶାନ୍ତ ଥିଲା । ଏପରି ସୁଯୋଗକୁ ଆଦୌ ହାତଛଡା ନ କରି ଶଳା ସାହେବ୍ କହିଲେ, ମୁଁ ଶୁଣି ଆସିଲି ଯେ ବିରବଲଙ୍କ ତୁଲ୍ୟ ମୁସଲମାନ ଏଠାରେ ନାହାଁନ୍ତି । ସେକଥା ଶୁଣିବା ପରେ ବର୍ତ୍ତମାନ ମୋର ଦାବି ଯେ ବିରବଲଙ୍କ ସମକକ୍ଷ ମୁଁ ହିଁ ହେବି । ତେଣୁ ବିରବଲଙ୍କ ବଦଳରେ ମୋତେ ଏଠାରେ ରଖାଯାଉ ।
ଶଳା ସାହେବଙ୍କ କଥା ଶୁଣି ସମ୍ରାଟ୍ କହିଲେ, ଆରେ ଶଳା ସାହେବ୍ ତ ସମ୍ରାଟଙ୍କ ବିଶ୍ୱାସ ଲୋକ । କିଏ ମନା କଲା । ତୁମେ ଯଦି ବିରବଲଙ୍କ ସମକକ୍ଷ ହେବ ତାହାହେଲେ ନିଯୁକ୍ତିର ଆବଶ୍ୟକ ନାହିଁ । ବର୍ତ୍ତମାନ ତୁମକୁ ବିରବଲଙ୍କର ସମକକ୍ଷଠାରୁ ଅଧିକ ହେବା ଦରକାର ।
ସମ୍ରାଟଙ୍କଠାରୁ ଏକଥା ଶୁଣି ଶଳା ସାହେବ୍ କହିଲେ, ତାହାହେଲେ ପରୀକ୍ଷା ହୋଇଯାଉ । ମୁଁ ଯଦି ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇଗଲି ତାହାହେଲେ ମୋତେ ନିଯୁକ୍ତି ଦେବେ ତ?
ସମ୍ରାଟ୍ ଏଥର ବେଗମ୍ ସାହେବାଙ୍କ ମୁଖକୁ ଚାହିଁ ଦେଇ ମୁରୁକି ହସି କହିଲେ, ଉତ୍ତମ, ପରୀକ୍ଷାରେ ଉତୀର୍ଣ୍ଣ ହୋଇଗଲେ ତୁମେ ଯେ ମୋର ମଧୁରବନ୍ଧୁ । ତୁମକୁ ନିଯୁକ୍ତି ନଦେଇ ଆଉ ପୁଣି କାହାକୁ ନିଯୁକ୍ତି ଦେଇପାରିବି ଏକଥା ନିଶ୍ଚିତ ଯେ ତୁମେ ହିଁ ବିରବଲଙ୍କ ସ୍ଥାନରେ ନିଶ୍ଚୟ ନିଯୁକ୍ତି ପାଇବ ।
ଏହାପରେ ସମ୍ରାଟ୍ ଜଣେ ଦୂତକୁ ଆଦେଶ କଲେ, ଯଥାଶିଘ୍ର ଗୋଟିଏ କଳାଫରୁଆ ଅଣାଯାଉ ।
ଦୂତ ସଙ୍ଗେ ସଙ୍ଗେ ଉଆସ ଆଡୁ ଯାଇ କଳାଫରୁଆଟିଏ ଆଣି ପହଁଚାଇ ଦେଲା ।
ସମ୍ରାଟ୍ କହିଲେ, ସେହି ଫରୁଆଟିକୁ ସୁସଜ୍ଜିତ ପାତ୍ରରେ ଟେବୁଲ୍ ଉପରେ ରଖି ଏହି କଳାଫରୁଆକୁ ଦଶହଜାର ଟଙ୍କାରେ ବିକ୍ରୟ କରି ମୋ ପାଖରେ ପହଁଚାଇ ଦେଲେ ତୁମେ ଉତୀର୍ଣ୍ଣ ହେଲ ବୋଲି ଜାଣିବ । ତା’ପରେ ତୁମକୁ ବିରବଲ ସ୍ଥାନରେ ନିଯୁକ୍ତି ଦିଆଯିବ ।