ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଳିବୁଢୀ ଶାଶୁ

ପ୍ରାଚୀନ କାଳର କଥା । ହସ୍ତିନାପୁର ନାମରେ ଏକ ନଗର ଥିଲା । ଏହା ଥିଲା ରାଜ୍ୟର ରାଜଧାନୀ । ତାର ଚାରିଆଡେ ଖାଲି ସଉଧମାଳା । ସେଠାକାର ରାଜାଙ୍କ ନଅର ସବୁଠାରୁ ସୁନ୍ଦର । ରାଜାଙ୍କର ପାରିଷଦଗଣ ଏବଂ ସାଧବମାନଙ୍କର ଅଟ୍ଟାଳିକା ଦେଖିଲେ ଯେପରି ଜଣକର ମନ ପୂରି ଉଠିବ । ସେଠାକାର ନଗରର ଛକମାନଙ୍କରେ ସୁନ୍ଦର ପ୍ରମୋଦ ଉଦ୍ୟାନମାନ ଥାଏ । ସେ ରାଜ୍ୟର ଲୋକମାନଙ୍କର କୋଉଥିରେ କିଛିବି ଅଭାବ ନ ଥାଏ । କଠୋର ଶାସନ ହେତୁ ଚୋର ତସ୍କରମାନେ ଉତ୍ପାତ ହେବାକୁ ମୋଟେ ସାହସ କରନ୍ତି ନାହିଁ ସେ ରାଜ୍ୟରେ ।

                ଏହିପରି ଏକ ପୂଣ୍ୟମୟୀ ନଗରୀରେ ଶିବଦତ ଦାସ ବାସ କରୁଥାଆନ୍ତି । ସେ ଜଣେ ପଣ୍ଡିତ ବ୍ରାହ୍ମଣ । ସେଠାକାର ରାଜଦରବାରରେ ମଧ୍ୟ ତାଙ୍କର ଯଥେଷ୍ଟ ଖାତିରି ଥାଏ । ସାଧାରଣ ପ୍ରଜାମାନେ ମଧ୍ୟ ସେ ପଣ୍ଡିତଙ୍କୁ ଭାରି ମାନ୍ୟ କରୁଥାଆନ୍ତି । ପରିବାର କହିଲେ ସେ ପଣ୍ଡିତଙ୍କର ସ୍ତ୍ରୀ ଆଉ ତାଙ୍କର ଏକମାତ୍ର ପୁତ୍ର ବସୁଦତ ।

ପଣ୍ଡିତ ଶିବଦତଙ୍କର ଧନର କୌଣସି ଅଭାବ ନ ଥିଲା । ହେଲେ ସେ ଆଦୌ ସୁଖୀ ନ ଥିଲେ । ତାଙ୍କର ସ୍ତ୍ରୀ ଥିଲେ ଅତ୍ୟନ୍ତ ସୁନ୍ଦରୀ, ରୂପଗର୍ବିଣୀ । ସେ କାହାକୁ ଆଦୌ ସହି ପାରୁ ନ ଥିଲେ । ବିନା କାରଣରେ ଛିଦ୍ର କାଢି କଳି କରିବା ତାଙ୍କର ଏକ ଅଭ୍ୟାସ ଥିଲା । ଘରେ ବାହାରେ କାହାର ଛାଇ ପଡିଲେ ତାଙ୍କ ଦେହରେ ନିଆଁଖୁଂଟା ଚେଙ୍କି ହୋଇଯାଉଥିଲା ଯେପରି । ସେ ଖାଲି ଅଯଥାରେ କଳି କରୁଥିଲେ । ସାହି ପଡିଶାର ଲୋକଙ୍କ ସହିତ ଏଥିପାଇଁ ତାଙ୍କର ସବୁବେଳେ ଅପଡ । ତେଣୁ ସମସ୍ତଙ୍କ ଦୁଆର ଯେମିତି ତାଙ୍କ ପାଇଁ ବନ୍ଦ । ତାଙ୍କର ଏପରି କଳହ ସ୍ୱଭାବ ଯୋଗୁଁ ସେ ପଣ୍ଡିତଙ୍କ ଘରକୁ ମଧ୍ୟ କେହିବି ଆସୁନଥିଲେ ।

ପଣ୍ଡିତ ଶିବଦତ ପ୍ରଥମେ ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ବୁଝାଇବାକୁ ଅନେକ ଚେଷ୍ଟା କଲେ । ମାତ୍ର ତାର ପରିଣାମ ହେଲା ବିପରୀତ । ଓଲଟି ସେ ପଣ୍ଡିତଙ୍କ ସ୍ତ୍ରୀ ଆହୁରି ଅଧିକ କୁପିତା ହୋଇ ନିଜ କାଣ୍ଡଜ୍ଞାନ ହରାଇ ବସୁଥିଲେ । ହାତରେ ତାଙ୍କର ଯାହା ଜିନିଷ ପଡୁଥିଲା, ତାହା ସେ ଧ୍ୱଂସ କରିଦେଉଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ