ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଳିବୁଢୀ ଶାଶୁ

ଏତେ ସବୁ କିଛି ହେଲା ପରେ ବି ସେ ପଣ୍ଡିତିଆଣୀଙ୍କର ଆଦୌ କିଛିବି ପରିବର୍ତ୍ତନ ହେଲା ନାହିଁ । ବରଂ ଦିନକୁ ଦିନ ବୋହୂ ଉପରେ ଅତ୍ୟାଚାର ବଢିବାକୁ ଲାଗିଲା । ହେଲେ ସେ ବୋହୂ ଆଉ କେତେ ସହିବ । ସ୍ୱାମୀ ଆଗରେ ତା ସ୍ତ୍ରୀଟି ଆପତ୍ତି କଲା ।

ସବୁ କଥା ଶୁଣି ସେ ବସୁଦତ କହିଲେ, “ମୁଁ ମୋ ବୋଉର ସ୍ୱଭାବ ସହିତ ପିଲାଟି ଦିନରୁ ଭଲ ଭାବରେ ପରିଚିତ । ହେଲେ କ’ଣ କରିବା ! ବୋଉକୁ କ’ଣ ବିଦାୟ କରିଦେଇ ପାରିବା । ଲୋକେ ଏହା ଶୁଣିଲେ କ’ଣ କହିବେ! ସବୁ ସହ୍ୟ କରିବାକୁ ହେବ ।

ବୋହୂ ଦିନେ କାହାକୁ କିଛି ନ କହି ତା ବାପଘରକୁ ଚାଲିଗଲା । ସେଠାରୁ ଆଉ ଫେରିବାର ନାଁ ଗନ୍ଧ ବି ଧରିଲା ନାହିଁ ।

ବୋହୂ ଘର ଛାଡିଲା ପରେ ବି ଶାଶୁର କିଛି ପରିବର୍ତ୍ତନ ହେଲା ନାହିଁ । ଓଲଟି ସାହିପଡିଶାରେ ଶାଶୁ କହି ବୁଲିଲା – “ମୁଁ ଠିକ୍ ଜାଣେ ପରା ! ବାରବୁଲି ଛତରଖାଇକୁ ଘର କୁଆଡେ ସୁଖ ଲାଗିବ? ଏମାନେ ପୁଣି କୁଆଡେ ଘରସଂସାର କରିବେ! ଏଉଟା ଗଲା ନାହିଁ ଯେ ମୋ ଘରୁ ଗୋଟିଏ କଂଟା ଗଲା?”

ବସୁଦତ ଏସବୁ ଖାଲି ନୀରବରେ ସହ୍ୟ କଲେ । କାରଣ ସେ ଜାଣନ୍ତି, ତାଙ୍କ ସ୍ତ୍ରୀଙ୍କର କିଛି ବି ଦୋଷ ନ ଥିଲା । ବୋଉର ବ୍ୟବହାରରେ ଅତିଷ୍ଠ ହୋଇ ବାପା ଘର ଛାଡିଲେ । ସ୍ତ୍ରୀ ମଧ୍ୟ ଗଲା । ଏହି କାରଣରୁ ବସୁଦତର ସଂସାର ପ୍ରତି ଆଉ ମନ ରହିଲା ନାହିଁ । ଜ୍ଞାତିକୁଟୁମ୍ବ ବସୁଦତଙ୍କୁ ବୁଝାଇ ସୁଝାଇ ଆଉ ଗୋଟିଏ ବୋହୂ ଆଣିବା ପାଇଁ କହିଲେ ।

ଦିନେ ସଂନ୍ଧ୍ୟାବେଳେ ବସୁଦତ ବର ବେଶରେ ଶଗଡଗାଡିରେ ଓହ୍ଲାଇଲେ । ଶଗଡଗାଡିରୁ ଏକପ୍ରକାର ବୋହୂଟିକୁ କୋଳ କରି ଲୁଚାଇ ସେ ତାଙ୍କ ଘର ଭିତରକୁ ନେଇଗଲେ । ବୋହୂଟି ଶାଢୀ ଘୋଡି ହୋଇ ଶୋଇଲାଘରେ ସେମିତି ବସିଥାଏ ।

ବୋଉ ପଚାରିଲେ, “କିରେ ପୁଅ ! ଏହି ଝିଅଟି କିଏ?” ତହୁଁ ସେ ବସୁଦତ କହିଲେ, “ବୋଉ, ଏ ପରା ତୋର ଆଉ ଗୋଟିଏ ବୋହୂ । ଦୋଡ ବାହା ଯୋଗୁଁ ତୋଳାକନ୍ୟା କରିନେଇ ଆସିଲି ।”

ବୋଉ କହିଲେ – “ଏପରି ଘୋଡି ହୋଇ ବସିଛି କାହିଁକି?” ବସୁଦତ କହିଲେ – “ସେ ଭାରି ଲାଜକୁଳି । କିଛଦିନ ଚଳିଗଲେ ତୋ ସହିତ ମିଶିବାରେ ତାକୁ ଆଉ କିଛି ଅସୁବିଧା ହେବ ନାହିଁ ।”

ଏଇମିତି କିଛିଦିନ ଚାଲିଗଲା । ବସୁଦତ ବାହାରକୁ ଗଲେ ବୋହୂଟିକୁ ଘରେ ଚାବିପକାଇ ଯାଆନ୍ତି । ବୋହୂଟି କିପରି, ତାହା ଆଉ ଶାଶୁଙ୍କର ଜାଣିବାର କିଛି ବି ଉପାୟ ନଥାଏ । ତେବେ ଘର ବାହାରେ ଥାଇ ସେ ବୋହୂ ଉପରେ ଖାଲି ଗାଳିବର୍ଷଣ ହୁଏ । ତାକୁ ଦେଖାଇ ଶିଖାଇ କେତେ କଟାକ୍ଷ ମଧ୍ୟ କରାଯାଏ । କିନ୍ତୁ କିଛି ବି ଜବାବ୍ ମିଳେ ନାହିଁ । ଏଥିରେ ସେ ଶାଶୁଙ୍କ ଦେହରେ ଖାଲି ଚିଆଁ ଲାଗିଯାଏ ।

‘ହାଁ ଏଡେ ଗରବ ତାର । ବଡଲୋକି ଦେଖେଇ ହେଉଛି । ମୋତେ କ’ଣ ତାର ଆଦୌ ଖାତିରି ଆସୁନାହିଁ । କଥା କହିଲେ ଜବାବ୍ ମିଳୁନାହିଁ । ସେରନ୍ତାପଣ ଦେଖେଇ ହେଉଛି । ମୁଁ ବୁଢୀମଣିଷ, ଏଠି ଖଟି ଖଟି ମଲିଣି । ସେ ସାଆନ୍ତାଣୀ ସାଜିଛି । ହଉ, ବେଳ ଆସୁ, ତୋର ଦିନେ କି ମୋର ଦିନେ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ