ଏଇମିତି ସବୁଦିନ ଶାଶୁ ବକ୍ ବକ୍ ହୁଅନ୍ତି, ହେଲେ ତାଙ୍କୁ କିଛି ବି ଜବାବ୍ ମିଳେ ନାହିଁ ।
ଦିନେ ପୁଅ କଚେରି ଗଲାବେଳେ ଭୁଲ୍ରେ ଶୋଇଲା ଘର ଝରକା ଖୋଲିଦେଇ ଯାଇଥିଲେ । ଶାଶୁ ସେ ଝରକାରେ ମୁହଁ ଗଳାଇ ଦେଖିଲେ, ବୋହୂଟି ନିଜ ମୁହଁ ଘୋଡାଇ ବସିଛି । ତାପରେ ଶାଶୁଟି ତା ବୋହୂକୁ ମନଇଚ୍ଛା ଗାଳିଦେଇ ନିଜ ମୁଣ୍ଡଟାକୁ ଝରକାରେ ପିଟିଦେଲେ । ଏହା ଦ୍ୱାରା ସେ ଶାଶୁର ମୁଣ୍ଡରୁ ଧାର ଧାର ହୋଇ ଖାଲି ରକ୍ତ ବୋହି ଚାଲିଲା । ତାପରେ ସେ ଶାଶୁ ଦାଣ୍ଡଦୁଆର ଖୋଲି ଖାଲି ହଲା କଲେ, ‘ବୋହୂଟା ମୋତେ ମାରି ପକାଇଲା ।’
ସଙ୍ଗେ ସଙ୍ଗେ ସାହି ପଡିଶାର ଲୋକମାନେ ସେଠାରେ ଜମା ହୋଇଗଲେ । ତାପରେ ସମସ୍ତେ ଖାଲି ହା ହା କଲେ । ସମସ୍ତଙ୍କର ଖାଲି ସେ ବୋହୂ ଉପରେ ନିନ୍ଦା । କେହି କିଛି ବି ଆଦୌ ବୁଝିବାକୁ ନାହିଁ । କେତେ ସମୟ ପରେ ପୁଅ ବସୁଦତ ଫେରିଆସିଲେ । ତାଙ୍କ ଆଗରେ ସମସ୍ତେ ସେ ବୋହୂ ବିରୁଦ୍ଧରେ ହିଁ କହିବାକୁ ଲାଗିଲେ । ହେଲେ ସେ ବସୁଦତ କାହାକୁ କିଛି ନ କହି ଶୋଇଲା ଘରର ଚାବି ଖୋଲିଦେଲେ । କେହି ତ ଆଗରୁ ସେ ବୋହୂର ଛାଇ ସୁଦ୍ଧା ବି ଦେଖି ନ ଥିଲେ । ତେଣୁ ସମସ୍ତେ ଏକାବେଳକେ ସେ ଶୋଇଲାଘରେ ପଶିଗଲେ ।
ବସୁଦତଙ୍କ ବୋଉ ଆଗକୁ ଯାଇ ତାଙ୍କ ବୋହୂର ମୁଣ୍ଡରୁ ଶାଢୀଟା ଟାଣିଦେଲେ । ତାପରେ ସମସ୍ତେ କାବା! ଏ କ’ଣ? ଏ ତ ଗୋଟାଏ କାଠର ପିତୁଳା! ସେ ପୁଣି କିପରି ତା ଶାଶୁକୁ ମାରିବ?
ଏହି କାରଣରୁ ଜ୍ଞାତି – କୁଟୁମ୍ବ ଖାଲି ସେ ବସୁଦତଙ୍କ ଆଡକୁ କାବା ହୋଇ ଚାହିଁଥାଆନ୍ତି । ତହୁଁ ସେ ବସୁଦତ କହିଲେ – “ବୋଉର ଅତ୍ୟାଚାରରେ ମୋର ସ୍ତ୍ରୀ ଏ ଘର ଛାଡି ଚାଲିଗଲା । ବାପା ବି ତୀର୍ଥବାସୀ ହେଲେ । ଏବେ ମୋତେ ଆଉ କିଏ କନିଆ ଦେବ? ବୋଉ ବିରୁଦ୍ଧରେ କିଛି କହିଲେ କିଏ ଅବା ମୋତେ ବିଶ୍ୱାସ କରିବ? ଆପଣମାନେ ଯେତେବେଳେ ମୋତେ ବାଧ୍ୟ କଲେ ଆଉ ଥରେ ବିଭା ହେବା ପାଇଁ, ସେତେବେଳେ ମୁଁ ଛଳନା କରି ଏହି ଉପାୟ କଲି । ବୋହୂ ପଛକେ ଏ ଘରେ ନ ରହୁ, ବୋଉ ତ ଟିକେ ହେଲେ ଶାନ୍ତିରେ ରହୁ । ତାହା ମଧ୍ୟ ଆଦୌ ସମ୍ଭବ ହେଲାନାହିଁ ।
ଏତେଦିନକେ ସମସ୍ତେ ସେ ଶାଶୁଙ୍କର ସ୍ୱରୂପ ଠିକ୍ ବୁଝିପାରିଲେ । ତେଣୁ ସମସ୍ତେ ଖାଲି ସେ ପଣ୍ଡିତିଆଣୀଙ୍କୁ ଛି ଛି କଲେ । ତାପରେ ମୁହଁ ମୋଡିଦେଇ ଯେଝା ଘରକୁ ଯିଏ ଫେରିଗଲେ ।
ଏପଟେ ସେ ବସୁଦତଙ୍କର ବୋଉ ଲାଜ, ଅପମାନ ଓ ଅନୁଶୋଚନାରେ ଏକଦମ୍ ଝାଉଁଳି ପଡିଲେ । ସତେ ତ! କେବଳ ତାଙ୍କରି ପାଇଁ ଘରଟା ଛାରଖାର ହୋଇଗଲା । ସ୍ୱାମୀ ଛାଡି ପଳାଇଲେ । ବୋହୂ ମଧ୍ୟ ସେଠାରେ ରହିପାରିଲା ନାହିଁ । ଏଣେ ଏକମାତ୍ର ପୁଅକୁ ମଧ୍ୟ ସେ ସୁଖ ଦେଇପାରିଲେ ନାହିଁ । ଏବେ ଆଉ ସେ କାହାକୁ ନିଜ ମୁହଁ ଦେଖାଇବେ । ସେ ମଧ୍ୟ ରାତିର ଅନ୍ଧାରରେ ଘରଛାଡି କୁଆଡେ ଗଲେ ଯେ କେହି ବି ଜାଣିପାରିଲେ ନାହିଁ ।
ଏଣିକି ସେ ବସୁଦତ ଆଉ ଗୋଟିଏ ବାହା ହୋଇ ଅତ୍ୟନ୍ତ ସୁଖରେ ଘରଦୁଆର କରି ରହିଲେ ।