ସେହିକ୍ଷଣି ରାଜା ତାଙ୍କ ପୁତ୍ରକୁ ଡକାଇ ପଠାଇଲେ । ରାଜକୁମାର ଆସି ତା ପିତାଙ୍କୁ ପ୍ରଣାମ କରିବା ମାତ୍ରକେ ରାଜା ପଚାରିଲେ – “ଯୁବରାଜ ! କଳ୍ପବୃକ୍ଷ କଥା ଶ୍ରବଣ କରି ତୁମେ ଆନମନ ହେଲ କାହିଁକି?”
ତହୁଁ ସେ ଜୀମୂତବାହନ କହିଲେ – “ପିତା ! ଯେଉଁ ରାଜ୍ୟରେ କଳ୍ପବୃକ୍ଷ ଅଛି, ସେହି ରାଜବଂଶରେ ଜନ୍ମଗ୍ରହଣ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେକଲି । ମାତ୍ର ପର ମୁହୂର୍ତରେ ମୋର ମନରେ ଅତ୍ୟନ୍ତ ଦୁଃଖ ଉପସ୍ଥିତ ହେଲା । କାରଣ ନଗର ବୁଲି ମୁଁ ଦେଖିଛି, ଆମ ରାଜ୍ୟରେ ଅନେକ ଦୁଃଖୀ ଲୋକ ଅଛନ୍ତି । କଳ୍ପବୃକ୍ଷର ଅଧିକାରୀ ହୋଇ ମଧ୍ୟ ପ୍ରଜାମାନଙ୍କର ଦୁଃଖ ଦୂର କରିବା ପାଇଁ କେହି କେବେବି ଆଦୌ ଉଦ୍ୟମ କରିନାହାଁନ୍ତି । ସେଥିପାଇଁ ମନଟା ମୋର ଖୁବ୍ ବିଚଳିତ ହେଲା ।”
ସବୁ ଶୁଣି ମହାରାଜ ଜୀମୂତକେତୁ କହିଲେ – “ରାଜକୁମାର ! ତୁମ ପରି ପୁତ୍ରରତ୍ନ ଲାଭ କରି ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି । ପ୍ରତ୍ୟେକେ ନିଜର ବୁଦ୍ଧି ଅନୁସାରେ କାର୍ଯ୍ୟ କରନ୍ତି ଏବଂ ନିଜ ରାଜ୍ୟ ଓ ରାଜବଂଶର କଲ୍ୟାଣ ସାଧନ କରନ୍ତି । ତୁମେ ବର୍ତ୍ତମାନ ଯୁବରାଜ । ରାଜ୍ୟର ମଙ୍ଗଳ କରିବା ପାଇଁ କଳ୍ପବୃକ୍ଷ ସାହାଯ୍ୟରେ ତୁମେ ଯେକୌଣସି ପନ୍ଥା ଗ୍ରହଣ କରିପାର । ଏଥିପାଇଁ ତୁମେ ସ୍ୱାଧୀନ ।”
ଜୀମୁତବାହନ କହିଲେ – “ବାବା ! ଆମର ପୂର୍ବପୁରୁଷଗଣ ଏହି କଳ୍ପବୃକ୍ଷ ସାହାଯ୍ୟରେ ପ୍ରଚୁର ଧନରତ୍ନ ଭଣ୍ଡାର ଘରେ ସାଇତି ରଖିଛନ୍ତି । ସେମାନେ ସେସବୁ କେତେଦିନ ଅବା ଭୋଗ କଲେ । ଏହି ଜୀବନ ଅଳ୍ପକାଳ ସ୍ଥାୟୀ । ଧନ, ସମ୍ପତ୍ତି, ଐଶ୍ୱର୍ଯ୍ୟ, କ୍ଷମତା କେହିବି ସବୁଦିନ ପାଇଁ ରହିବେ ନାହିଁ । ଆମେ ଏପରି କିଛି କାର୍ଯ୍ୟ କରିବା, ଯହିଁରେ ପ୍ରଜାକୁଳ ସୁଖ ଆଉ ଶାନ୍ତିରେ ଚିରଦିନ ରହିବେ ।”
ରାଜା ସବୁ ଶୁଣି କହିଲେ, “ତୁମର ବିଚାର ଅତ୍ୟନ୍ତ ଉତ୍ତମ । ତୁମେ ଯେକୌଣସି ଭଲ କାର୍ଯ୍ୟ କରିବ, ସେଥିରେ ମୋର ବି ପୂର୍ଣ୍ଣ ସମର୍ଥନ ରହିଛି ।”
ପିତାଙ୍କର ଆଶୀର୍ବାଦ ଲାଭ କରି ଜୀମୂତବାହନ ତାଙ୍କ ରାଜଉଦ୍ୟାନରେ ଥିବା କଳ୍ପବୃକ୍ଷ ପାଖରେ ଯାଇ ପହଁଚିଲେ । ଅତ୍ୟନ୍ତ ଭକ୍ତିରେ ସେ ବୃକ୍ଷକୁ ପୂଜା କରି ରାଜକୁମାର ଜୀମୂତବାହନ ପ୍ରାର୍ଥନା କଲେ – “ହେ ବୃକ୍ଷରାଜ ! ତୁମେ ଆଜି ପର୍ଯ୍ୟନ୍ତ ଏ ରାଜବଂଶର ରକ୍ଷାକର୍ତା ହୋଇଆସିଛ । ମୋର ନିବେଦନ, ଏଣିକି ତୁମର ଆଶୀର୍ବାଦ ପ୍ରଜାକୁଳ ଉପରେ ବି ବର୍ଷିତ ହେଉ ।”