ଏପରି ପ୍ରାର୍ଥନା ଶୁଣି ସେ କଳ୍ପବୃକ୍ଷ କହିଲେ – “ରାଜକୁମାର ! ତୁମର ଅଭିଳାଷ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । କିନ୍ତୁ ଏଥିରେ ଏକ ବିପଦ ରହିଛି । ତୁମର ଏପରି ଇଚ୍ଛା ପୂରଣ କଲେ ମୁଁ ତ ଆଉ ଏ ରାଜଉଦ୍ୟାନରେ ରହିପାରିବି ନାହିଁ । ମୁଁ ଥିବାରୁ ସିନା ଏ ରାଜବଂଶ ନିରାପଦ ରହିଛି । ମୋର ଅନୁପସ୍ଥିତିରେ ଏ ରାଜ୍ୟ ପ୍ରତି ଶତ୍ରୁଭୟ ରହିପାରେ ।”
ଜୀମୂତବାହନ ପୁଣି କହିଲେ – “ହେ ବୃକ୍ଷଦେବତା ! ବହୁଜନ ହିତାୟ ସୌଭାଗ୍ୟ କାହାକୁ ବା ମିଳେ । ନିଜ ଦୁଃଖର ବିନିମୟରେ ଯଦି ବହୁ ଲୋକ ସୁଖୀ ହୁଅନ୍ତି, ତେବେ କଣ ତାହା ଅତ୍ୟନ୍ତ ପ୍ରୀତିଦାୟକ ହେବନାହିଁ କି?”
ତହୁଁ ସେ ବୃକ୍ଷଦେବତା ରାଜକୁମାରକୁ ପଚାରିଲେ – “ଏବେ ତୁମର ମନର କଥା ମୋତେ ଖୋଲି କରି କହ ।”
ଜୀମୂତବାହନ କହିଲେ, “ହେ କଳ୍ପବୃକ୍ଷ ! ଆପଣ ଏପରି ଆଶୀର୍ବାଦ କରନ୍ତୁ, ଯହିଁରେ ଏହି ରାଜ୍ୟର କେହି ବି ଆଉ ଦୁଃଖରେ ରହିବେ ନାହିଁ । ସମସ୍ତଙ୍କ ଘର ଖାଲି ଧନଧାନ୍ୟରେ ପୂର୍ଣ୍ଣ ହୋଇଯିବ ।”
ତାପରେ ସେ କଳ୍ପବୃକ୍ଷର ଦେବତା ‘ତଥାସ୍ତୁ’ କହି ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ । ଏବେ ସେ ରାଜ୍ୟର ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ବଦଳିଗଲା । ସମସ୍ତଙ୍କ ଘରେ ଧନରତ୍ନ ଯାହାକୁ ଯେତେ । ସମସ୍ତେ ଜାଣିଲେ ଯେ, କେବଳ ରାଜକୁମାରଙ୍କ ଯୋଗୁଁ ଏପରି ସୌଭାଗ୍ୟ ଫେରିଆସିଲା । ତେଣୁ ଚାରିଆଡେ ସେ ଜୀମୂତବାହନଙ୍କୁ ପ୍ରଜାକୁଳ ଖାଲି ଧନ୍ୟ ଧନ୍ୟ କରୁଥାଆନ୍ତି ।
ଏହି ଖବର ଆଉ ଅଛପା ହୋଇ ରହିଲା ନାହିଁ । ପଡୋଶୀ ଶତ୍ରୁ ରାଜାମାନେ ଖବର ପାଇଗଲେ ଯେ, କଳ୍ପବୃକ୍ଷ ଅନ୍ତର୍ଦ୍ଧାନ ହୋଇଯାଇଛି । ଏହି ସୁଯୋଗରେ ସେମାନେ ଜୀମୂତକେତୁଙ୍କ ରାଜ୍ୟ ଆକ୍ରମଣ କରିବା ପାଇଁ ମସୁଧା କଲେ । ଗୁପ୍ତଚର ମୁଖରୁ ଶତ୍ରୁ ରାଜ୍ୟମାନଙ୍କର ଯୁଦ୍ଧ ଅଭିଯାନ ଖବର ପାଇ ରାଜା ତାଙ୍କ ସେନାପତିଙ୍କୁ ଆଦେଶ ଦେଲେ ପ୍ରସ୍ତୁତ ହୋଇ ରହିବା ପାଇଁ । ତାପରେ ସେ ରାଜ୍ୟସାରା ଖାଲି ଯୁଦ୍ଧର ଆୟୋଜନ ଚାଲିଲା । ପ୍ରଜାମାନେ ମଧ୍ୟ ଦୃଢ ପରିକର ହେଲେ, ନିଜର ଜୀବନ ବିନିମୟରେ ସେ ରାଜବଂଶର ସମ୍ମାନ ରକ୍ଷା କରିବା ପାଇଁ ।
ଏହି ଖବର ରାଜକୁମାର ଜୀମୂତବାହନ ଶୁଣିଲା ପରେ ସେ ଆଦୌ ନୀରବ ହୋଇ ରହିପାରିଲା ନାହିଁ । ସେ ଆସି ତା ପିତାଙ୍କ ପାଖରେ ବିନୀତ ଭାବରେ ନିବେଦନ କଲା – “ମହାରାଜ ! ଏ ଯୁଦ୍ଧ ଆୟୋଜନ କାହାର ସ୍ୱାର୍ଥ ପାଇଁ । ଏଥିରେ ଅଯଥାରେ ଯାହା ଖାଲି ନିରୀହ ପ୍ରଜାକୁଳ ମୃତ୍ୟୁର ଶିକାର ହେବେ । କେତେ ଜାୟା, ଜନନୀଙ୍କର ବୁକୁଫଟା କ୍ରନ୍ଦନ ମଧ୍ୟ ଶୁଣିବାକୁ ମିଳିବ । ତାଫଳରେ ସେମାନେ ସ୍ୱାମୀହରା ଓ ସନ୍ତାନହରା ହୋଇ ଅତ୍ୟନ୍ତ ଦୁଃଖରେ ଜୀବନଯାପନ କରିବେ । ତେବେ କାହାର ସୁଖ ପାଇଁ ଏ ଯୁଦ୍ଧ ହେବ ।”
“ଜଣେ ତ କେହି ସିଂହାସନ ଅଧିକାର କରିବ । ଆମେ ନ ବସିଲେ ଏ ପୃଥିବୀର କିଛି ବି ପରିବର୍ତ୍ତନ ହୋଇଯିବ ନାହିଁ । ସୂର୍ଯ୍ୟ, ଚନ୍ଦ୍ର ଆକାଶରେ ଠିକ୍ ସମୟରେ ହିଁ ଉଦିତ ହେବେ । ପବନ ବି ଉଚିତ୍ ମାର୍ଗରେ ପ୍ରବାହିତ ହେବ । ତେବେ ପୁଣି ଏ ନରସଂହାର ଲୀଳାର ଆୟୋଜନ କାହିଁକି? ଆଉ ପୁଣି ଏ ଭୋଗବିଳାସ କେତେଦିନ ପାଇଁ? ଚାଲନ୍ତୁ, ଏ ରାଜ୍ୟ ଛାଡି ଆମେ ଅରଣ୍ୟବାସ କରିବା । କିଛି ନହେଲେ ପ୍ରଜାମାନେ ତ ସୁଖ ଓ ଶାନ୍ତିରେ ରହନ୍ତୁ ।”
ସେ ରାଜ୍ୟର ସୀମାରେ ମଳୟ ପର୍ବତ । ସେଠାରେ ଖାଲି ଚନ୍ଦନ ଗଛର ବଣ । ସେହି ବଣରେ ଏକ ପାହାଡିଆ ଝରଣା କୂଳରେ କୁଡିଆଟିଏ ତିଆରି ହେଲା । ରାଜା ରାଣୀଙ୍କ ସହିତ ଜୀମୂତବାହନ ସେହିଠାରେ ହିଁ ଅବସ୍ଥାନ କଲେ । ପ୍ରକୃତିର ଶାନ୍ତିମୟ କୋଳରେ ସେମାନଙ୍କର ସବୁ ସମୟ ବିତିଯାଉଥାଏ । ବାସ୍ତବିକ, ରାଜମହଲର ଐଶ୍ୱର୍ଯ୍ୟ ମଧ୍ୟରେ ସେ ରାଜାରାଣୀ ଏତେ ଶାନ୍ତି କଦାପି ପାଇ ନ ଥିଲେ ।
ସେ ମଳୟପର୍ବତର ପାଦ ଦେଶରେ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟର ରାଜା ଥିଲେ ବିଶ୍ୱାବସୁ । ଦିନେ ରାଜା ବିଶ୍ୱାବସୁଙ୍କର ପୁତ୍ର ରାଜକୁମାର ମିତ୍ରାବସୁ ଶିକାର କରିବାକୁ ଆସି ଅଚାନକ ସେହି ଝରଣାକୂଳରେ ପହଁଚିଲେ । ସେଠାରେ ତ ରାଜକୁମାର ଜୀମୂତବାହନ ବିଶ୍ରାମ କରୁଥିଲେ । ଆତ୍ମପରିଚୟ ଛଳରେ ଦୁଇ ରାଜକୁମାର ପରସ୍ପର ଆପଣାର ହୋଇଗଲେ ।