ତାପରେ ଜୀମୂତବାହନ ବନ୍ଧୁ ମିତ୍ରାବସୁକୁ ତା ସାଙ୍ଗରେ ନେଇ ଝରଣାକୂଳରେ ଥିବା ନିଜ କୂଟୀରରେ ଯାଇ ପହଁଚିଲେ । ସେଠାରେ ଅରଣ୍ୟବାସୀ ରାଜା ଜୀମୂତକେତୁ ଏବଂ ତାଙ୍କ ରାଣୀ କନକବତୀ ସହିତ ଜୀମୂତବାହନ ବି ଅବସ୍ଥାନ କରୁଥାନ୍ତି । ପୁତ୍ରଠାରୁ ମିତ୍ରାବସୁର ପରିଚୟ ପାଇ ସେ ରାଜାରାଣୀ ତାକୁ କେତେ ଆଦର କଲେ । ଫଳ ମୂଳ ମଧ୍ୟ ତାକୁ ଖାଇବାକୁ ଦେଲେ । ସେମାନଙ୍କର ଅକପଟ ବ୍ୟବହାରରେ ମିତ୍ରାବସୁ କିଛି ସମୟ ପାଇଁ ତାଙ୍କ ରାଜପୁରୀର ସୁଖ ବି ଭୁଲିଗଲା ।
ରାଜ ନଅରକୁ ଫେରିଆସି ମିତ୍ରାବସୁ ନିଜର ପିତାମାତାଙ୍କ ଆଗରେ ସମସ୍ତ ଅଭିଜ୍ଞତା ବର୍ଣ୍ଣନା କଲା । ରାଜା ବିଶ୍ୱାବସୁ ଏପରି ତ୍ୟାଗୀ ରାଜପରିବାରର କଥା ଶୁଣି ଖୁବ୍ ଆଚମ୍ବିତ ହେଲେ । ତାପରେ ସେ ମନେ ମନେ ଚିନ୍ତା କଲେ, ରାଜକୁମାର ଜୀମୂତବାହନ ତାଙ୍କର ଅଲିଅଳ କନ୍ୟା ମଳୟବତୀକୁ ବିବାହ କଲେ କିପରି ହୁଅନ୍ତା । ପୁଅ ଆଗରେ ଏପରି ପ୍ରସ୍ତାବ କରନ୍ତେ, ସେ ବି ଅତ୍ୟନ୍ତ ସୁଖୀ ହେଲା । ତାର ପ୍ରିୟ ବନ୍ଧୁ ଏହି ବୈବାହିକ ବନ୍ଧନ ଦ୍ୱାରା ଆହୁରି ମଧ୍ୟ ଅନ୍ତରଙ୍ଗ ହୋଇପାରିବ ।
ତା’ ପରଦିନ ସକାଳେ ଜୀମୂତକେତୁଙ୍କ ନିକଟରେ ରାଜପୁତ୍ର ମିତ୍ରାବସୁ ନିଜର ଭଗିନୀ ପ୍ରସ୍ତାବ ରଖି ରାଜା ବିଶ୍ୱାବସୁଙ୍କର ମନୋଭାବ ଜଣାଇଲା । ତହୁଁ ସେ ଜୀମୂତକେତୁ କହିଲେ, “ଏପରି ପ୍ରସ୍ତାବ ତ ଆମ ପାଇଁ ଅତ୍ୟନ୍ତ ସୌଭାଗ୍ୟର କଥା । କିନ୍ତୁ ଆମର ତ ଆଉ ରାଜ୍ୟ ନାହିଁ । ପୁଅ ଜୀମୂତବାହନ ତ ଅରଣ୍ୟରେ ସନ୍ନ୍ୟାସୀର ଜୀବନଯାପନ କରୁଛି । ଏପରି ଏକ ପରିବାରରେ ରାଜକନ୍ୟା ବଧୂ ଭାବରେ ଦୁଃଖ ପାଇବେ ନାହିଁ କି?”
ସବୁ କଥା ଶୁଣି ମିତ୍ରାବସୁ କହିଲେ, “ମହାରାଜ ! ଆପଣଙ୍କ ମନରେ କୌଣସି ଦ୍ୱିଧା ରହିବା ଆଦୌ ଉଚିତ୍ ନୁହେଁ । ମୋର ପ୍ରିୟ ବନ୍ଧୁ ଜୀମୂତବାହନଙ୍କ ପରି ଉଦାରମନା ବୀରପୁରୁଷ କୋଟିକରେ ଗୋଟିଏ ମିଳିବେ । ତାଙ୍କ ପରି ଯୁବକକୁ ସ୍ୱାମୀ ରୂପରେ ଲାଭ କଲେ ଯେକୌଣସି ରାଜକୁମାରୀ ତ ନିଜକୁ ଅତି ଭାଗ୍ୟବତୀ ମନେ କରିବ । ମୋର ଭଗିନୀ ଜୀମୂତବାହନକୁ ସ୍ୱାମୀ ରୂପେ ପାଇଲେ ଯେ ଅତ୍ୟନ୍ତ ସୁଖୀ ହେବ, ଏଥିରେ ଆଦୌ କିଛି ବି ସନ୍ଦେହ ନାହିଁ ।
ତାପରେ ଏକ ପୁଣ୍ୟ ତିଥିରେ ବାହାଘର ହୋଇଗଲା । ରାଜକନ୍ୟା ମଳୟବତୀ ସେ ଝରଣାକୂଳରେ ଆଉ ଏକ କୂଟୀରରେ ନୂଆ ସଂସାର ରଚନା କଲେ । ପ୍ରକୃତିର ମଧୁମୟ କୋଳରେ ସେମାନଙ୍କର ସମୟ ଆଦୌ ଜଣାପଡୁ ନ ଥାଏ । ବେଳେ ବେଳେ ମିତ୍ରାବସୁ ଆସି ତା ବନ୍ଧୁ ଓ ଭଗିନୀ ସହିତ ଆଳାପ କରି ଅତ୍ୟନ୍ତ ସୁଖୀ ହେଉଥାଏ ।
ଦିନକର କଥା । ସେ ଜୀମୂତବାହନ ଅରଣ୍ୟ ପଥରେ ତା ବନ୍ଧୁ ସହିତ ଭ୍ରମଣ କରୁ କରୁ ସେମାନେ ଦୁହେଁ ବହୁତ ଦୂରକୁ ଚାଲିଗଲେ । ତାହା ଥିଲା ଏକ ନିର୍ଜନ ପ୍ରାନ୍ତର । ସେଠାରେ ହାଡର ଛୋଟ ପାହାଡଟିଏ ଠିଆ ହୋଇଛି । ସେ ପାହାଡ ଦେଖି ରାଜକୁମାର ଜୀମୂତବାହନ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ । ତେଣୁ ସେ ପଚାରିଲେ, “ଏତେ ହାଡ ଆସିଲା କେଉଁଠୁ?”