ଚାରିଆଡେ ବୁଲିଆସି ସେ ଦେଖିଲେ, ଗୋଟିଏ ସ୍ଥାନରେ ବୁଢୀଟିଏ ବସି କାନ୍ଦୁଛି । ତାପରେ ସେ ରାଜକୁମାର ଜୀମୂତବାହନ ତାଙ୍କ ପାଖକୁ ଗଲେ । ଅତ୍ୟନ୍ତ ଆଦରରେ ରାଜକୁମାର ତାଙ୍କୁ ପଚାରିଲେ, “ମା’ କ’ଣ ତୁମର ଦୁଃଖ? ଏଠାରେ ଏକୁଟିଆ ବସି ତୁମେ କାନ୍ଦୁଛ କାହିଁକି?”
ସେ ବୁଢୀଙ୍କର ତ ଆଖିରୁ ଖାଲି ଧାର ଧାର ହୋଇ ଲୁହ ବୋହିଯାଉଥାଏ । ତାପରେ ସେ ବୁଢୀ ଜଣକ ଅତ୍ୟନ୍ତ ବିକଳ ହୋଇ କହିଲେ, “ପୁଅରେ ! ମୋର ଏକୋଇର ବଳା ବିଶିକେଶନ ଆଜି ମରଣ ଦୁଆରେ ଠିଆହୋଇଛି । ଗରୁଡର ଖାଦ୍ୟ ପାଇଁ ଆଜି ହିଁ ତା’ର ପାଳି । ତାଛଡା ମୋର ଆଉ ଏ ଦୁନିଆରେ କେହିବି ନାହିଁ । ତା’ରି ନାଁ ଶଙ୍ଖଚୂଡ । ଆଉ ଖୁବ୍ ଅଳ୍ପ ସମୟ ପରେ ସେ ଠାକୁର ପୂଜା କରି ଆସିବ ।”
ଏସବୁ ଶୁଣି ଜୀମୂତବାହନ ସେ ବୁଢୀକୁ ଅନେକ ସାନ୍ତ୍ୱନା ଦେଲେ । ତାକୁ କହିଲେ, “ମା’ ତୁମେ ଘରକୁ ଫେରିଯାଅ । ଏଥର ତୁମେ ତୁମ ପୁଅକୁ ନେଇ ସୁଖରେ ରୁହ । ମୁଁ ତୁମ ପାଳିରେ ଆଜି ସେ ଗରୁଡ ପାଖକୁ ଯିବି ।”
ଏସବୁ ଶୁଣି ସେ ବୁଢୀ କହିଲା, “ନାହିଁରେ ପୁଅ ! କେଡେ କଥାଟେ ତୁ କହିଲୁ । ମୋର ଅଭାଗ୍ୟ କପାଳ ମୁଁ ହିଁ ଭୋଗ କରିବି । ଆଉ ଗୋଟିଏ ମାଆକୁ ସେ ଦୁଃଖ ମୁଁ କଦାପି ଦେଇପାରିବି ନାହିଁ ।”
ତାପରେ ରାଜକୁମାର ସେ ବୁଢୀକୁ ବୁଝାଇଲା, “ମା’ ତୁମେ ଆଦୌ ବ୍ୟସ୍ତ ହୁଅନାହିଁ । ମୋର ମା’ଙ୍କୁ ମୁଁ ବୁଝାଇଦେବି ।”
ଠିକ୍ ଏତିକିବେଳେ ହଠାତ୍ ଆକାଶଆଡୁ ଗରୁଡ ଉଡିଆସିଲା ସେଇ ଖୋଲାପଡିଆ ଉପରକୁ । ଶଙ୍ଖଚୂଡର ଆସିବାରେ ସାମାନ୍ୟ ବିଳମ୍ବ ଦେଖି ସେ ଜୀମୂତବାହନ ଦୌଡିଯାଇ ନିର୍ଦ୍ଦିଷ୍ଟ ପଥର ଉପରେ ବସିପଡିଲା । ଆକାଶରୁ ଉଡିଆସି ଝାମ୍ପ ମାରି ଗରୁଡ ସେ ରାଜକୁମାରକୁ ଟେକିନେଇ ଚାଲିଗଲା ।
ଗରୁଡର ନଖ ଆଘାତରେ ସେ ରାଜକୁମାର ରକ୍ତରେ ଖାଲି ସୁଡୁବୁଡୁ ହୋଇଯାଇଥାଏ । ତଥାପି ସେ ଜୀମୂତବାହନର ମନରେ ଆନନ୍ଦ ଥାଏ ଯେ ସେ ଆଜି ନିଜର ଜୀବନ ବିନିମୟରେ ଆଉ ଜଣକର ପ୍ରାଣରକ୍ଷା କରିପାରିଛି ।
ସେ ଗରୁଡ ତ ଉଡି ଉଡି ଯାଉଥାଏ । ହେଲେ ଆଜି କାହିଁକି ତାକୁ କିଛି ବ୍ୟତିକ୍ରମ ବୋଧ ହେଉଥାଏ । କାହିଁକିନା ପ୍ରତ୍ୟେକ ଦିନ ତାର ଶିକାର ଖାଲି ଛାଟିପିଟି ହୁଏ ନିଜ ଜୀବନ ବଂଚାଇବା ପାଇଁ । ଆଉ ଅନେକେ ଖୁବ୍ ବିକଳ ହୋଇ ପ୍ରାଣଭିକ୍ଷା ମଧ୍ୟ କରନ୍ତି । ମାତ୍ର ଆଜି ଏ କ’ଣ ହେଲା? ଆଜି ତାର ଶିକାର ସାମାନ୍ୟତମ ବିଚଳିତ ମଧ୍ୟ ହେଉନାହିଁ ।