ଏତିକିବେଳେ ଠାକୁରପୂଜା ସାରି ସେ ସର୍ପ ଶଙ୍ଖଚୂଡ ଆସି ପଡିଆରେ ହାଜର । ସେ ଆସି ଦେଖିଲା, ପଡିଆର ଗୋଟିଏ କୋଣରେ ତା’ର ବୁଢୀମା’ ବସି କାନ୍ଦୁଛି । ସେ ଗରୁଡ କାହାକୁ ଗୋଟେ କ୍ଷେପା ମାରି ନେଇ ପଳାଉଛି । ବୁଢୀମା’ଠାରୁ ସମସ୍ତ ଶୁଣି ସେ ଶଙ୍ଖଚୂଡ ବଡ ବ୍ୟସ୍ତ ହୋଇପଡିଲା । ତାର ସାମାନ୍ୟ ବିଳମ୍ବ ହେତୁ ଆଉ ଜଣେ ନିରୀହ ପ୍ରାଣୀର ଜୀବନ ଯାଉଛି । ତେଣୁ ସେ ଶଙ୍ଖଚୂଡ ପଡିଆରେ ଦଉଡି ଦଉଡି ଖୁବ୍ ଜୋର୍ରେ ଚିତ୍କାର କଲା, “ହେ ଗରୁଡ ! ମୁଁ ତୁମର ଖାଦ୍ୟ । ଦୟାକରି ତୁମେ ମୋତେ ହିଁ ଗ୍ରହଣ କର । ସେହି ନିରୀହ ପ୍ରାଣୀଟିକୁ ରକ୍ଷା କର ।”
ସେ ଗରୁଡ କାନରେ ଯେମିତି ଏହି କଥା ପଡିଲା, ସେ ପୁଣି ଫେରିଆସିଲା ଏ ଖୋଲା ପଡିଆର ପଥର ଉପରକୁ । ସେତେବେଳକୁ ତା’ର ପନ୍ଝା ଭିତରେ ବନ୍ଦୀ ହୋଇ ସେ ରାଜକୁମାର ଦରମଲା ଅବସ୍ଥାରେ ।
ଗରୁଡ ପଚାରିଲା, “ତୁ କିଏ? ଏପରି ଭାବରେ ନିଜ ପ୍ରାଣ ଦେବାର ଉଦ୍ଧେଶ୍ୟ କଅଣ?”
ଜୀମୂତବାହନ ସେ ଗରୁଡକୁ ବହୁ କଷ୍ଟରେ ନିଜ ହାତ ଉଠାଇ ନମସ୍କାର କଲେ । କହିଲେ, “ଗୋଟିଏ ମା’ର ବିକଳ ମୁଁ ଆଦୌ ସହିପାରିଲି ନାହିଁ । ମୋ ଜୀବନର ବିନିମୟରେ ଯଦି ଜଣେ ମାତା ତା’ର ସନ୍ତାନର ଜୀବନ ଫେରିପାଇବ, ତେବେ ଏହାଠୁ ବଳି ମୋର ସୌଭାଗ୍ୟ ଆଉ କ’ଣ ଅଛି?”
ସେ ଗରୁଡ ଏପରି ଆତ୍ମତ୍ୟାଗର କାହାଣୀ ଶୁଣି ଅତ୍ୟନ୍ତ ମୁଗ୍ଧ ହେଲା । ତାପରେ ସେ ଗରୁଡ ଅତ୍ୟନ୍ତ ଖୁସି ହୋଇ ଅମୃତ ବୋଳି ସେ ରାଜକୁମାରଙ୍କୁ ସୁସ୍ଥ କରିଦେଲା । କହିଲା, “ମୁଁ ତୋର ଆଚରଣରେ ଅତ୍ୟନ୍ତ ସନ୍ତୁଷ୍ଟ । ମୋତେ ଏବେ ତୋର ଅଭିଳାଷ ଖୋଲି କରି କହ ।”
ଜୀମୂତବାହନ କହିଲେ, “ହେ ପକ୍ଷୀରାଜ ! ଯଦି ଆପଣ ମୋ ପ୍ରତି ଦୟା କଲେ, ତେବେ ଆଜିଠାରୁ ଆଉ ଏ ସର୍ପକୁଳକୁ ଆପଣ ମୋଟେ ଧ୍ୱଂସ କରନ୍ତୁ ନାହିଁ । ଯେଉଁମାନଙ୍କୁ ହତ୍ୟା କରି ଏହି ହାଡର ପାହାଡ ତିଆରି ହୋଇଛି, ଅମୃତ ବର୍ଷା କରି ସେମାନଙ୍କୁ ପୁନଃ ଜୀବନ ଦାନ କରନ୍ତୁ ।”
ତାପରେ ସେ ଗରୁଡ ତାହାହିଁ କଲେ । ଏହିପରି ଭାବେ ସେ ସର୍ପକୁଳ ରକ୍ଷା ପାଇଲେ । ଆତ୍ମତ୍ୟାଗ ପାଇଁ ସମସ୍ତେ ସେ ଜୀମୂତବାହନକୁ ଖାଲି ଧନ୍ୟ ଧନ୍ୟ କଲେ ।