ଭୁଷଣ ପ୍ରଥମେ ତା’ର ସବୁଠାରୁ ଉତ୍ତମ କବିତା ପଢି ତାଙ୍କୁ ଶୁଣାଇଲେ । ଜମିଦାର କହିଲେ, “ହୁଃ, ଏଇଟା ରସୋତୀର୍ଣ୍ଣ ହେଲା ନାହିଁ । ବୁଝିଲ? ଆଉ ପଢ । ରସୋତୀର୍ଣ୍ଣ ହେବା ଦରକାର । ରସୋତୀର୍ଣ୍ଣ ।”
ଭୁଷଣ ବୁଝିଲା ଯେ ଜମିଦାର ରସୋତୀର୍ଣ୍ଣ ଶବ୍ଦଟି ଜାଣିଛନ୍ତି । ସେ ଆହୁରି ଗୋଟିଏ ପଢିଲା । ତା’ପରେ ଆଉ ଗୋଟାଏ । ସବା ଶେଷରେ ସେ ତା’ର ସବୁଠୁଁ କଂଚା ଓ ହାଲୁକା କବିତାଟି ପଢିଲା । ତା’ର ନାମ “କାକୁଡି” ।
“ତୋହ ଭଳି କିଏ ଅଛି କହରେ କାକୁଡି!
କି ମଧୁର ରଡି କରୁ ଖାଇଲେ କାମୁଡି!”
ଜମିଦାର ପାଟି କରି କହିଲେ, “ବାଃ, ବାଃ! ଏହାକୁ ସିନା କହନ୍ତି ରସୋତୀର୍ଣ୍ଣ କବିତା! କ’ଣ ଏହାର ନାମ?”
“ଆଜ୍ଞା, ଏହାର ନାମ କାକୁଡି ।”
“ନା, ଏହାର ନାମ ହେବ କାକୁଡି କାବ୍ୟ । କ’ଣ ବୁଝିଲ ତ? ହଁ, ଆଉ ଗୋଟାଏ କଥା । ମୁଁ ଆମ ରାଜାଙ୍କ ପାଖକୁ ଏ ମୁଲକ ତରଫରୁ କେତେଥର କେତେ ଭେଟି ପଠାଇଛି – କଖାରୁ, କାକୁଡି ସମେତ । କିନ୍ତୁ ଥରେ ବି କବିଟିଏ ପଠାଇବାର ସୁଯୋଗ ପାଇ ନଥିଲି । ତମେ ମୋ ସୁପାରିଶ୍ ନେଇ ରାଜାଙ୍କ ପାଖକୁ ଯାଅ । ତାଙ୍କୁ କବିତା ଶୁଣାଇବ । ହେଲେ ଖବରଦାର୍! ପ୍ରଥମେ ଏହି କାକୁଡି କାବ୍ୟ ପଢି ଶୁଣାଇବ । ମୁଁ ଏଇଟା ବାଛି ଦେଇଛି ବୋଲି କହିବ । ମୋ କଥା ତମେ ବୁଝୁଛ ନା ନାହିଁ?”
ଭୁଷଣ ନମ୍ର ଭାବରେ କହିଲା “ବୁଝୁଛି ଆଜ୍ଞା ।”
“ବାସ୍ । ମୁଁ ଏଥର ଚିଟାଉ ଲେଖି ଦେଉଛି ।” ଏହା କହି ଜମିଦାର ରାଜାଙ୍କ ପାଖକୁ ଚିଠି ଲେଖିଲେ ଓ ଭୁଷଣ ହାତରେ ତାହା ଦେଲେ ।
ଦୁଇ ତିନିଦିନ ଭିତରେ ପ୍ରସ୍ତୁତ ହୋଇ ଭୁଷଣ ରାଜଧାନୀକୁ ବାହାରିଗଲା । ସେଠାରେ ଦୁଇଦିନ ଅପେକ୍ଷା କରିବା ପରେ ରାଜାଙ୍କ ପାଖରୁ ଡାକରା ଆସିଲା । ଯେଉଁ କବିତାଟିକୁ ଜମିଦାର ପ୍ରଥମେ ନାପସନ୍ଦ କରିଦେଇଥିଲେ, ଭୁଷଣ ସେହି କବିତାହିଁ ପଢିଲା । ରାଜା ଅତିଶୟ ମୁଗ୍ଧ ହୋଇ ତାହା ଶୁଣିଲେ ଓ କହିଲେ, “ଆଉ ଥରେ ପଢ!” ଭୁଷଣ ପୁଣି ପଢିଲା । ରାଜା ଭୁଷଣର ଅନ୍ୟ କିଛି କିଛି କବିତା ବି ଦେଖିଲେ ଓ ନିଜ ହାତକୁ ସେସବୁ ନେଇ ପଢିଲେ । ତା’ପରେ ରାଜା କହିଲେ, “ଭୁଷଣ! ତମେ ଯେ ଅସାମାନ୍ୟ କବି, ସେ ବିଷୟରେ ମୋର ଆଉ କୌଣସି ସନ୍ଦେହ ନାହିଁ । କିନ୍ତୁ ତମ ସେଠିକା ଜମିଦାର ଯେ କବିତାର ଏଡେ ବଡ ସମଝଦାର, ସେକଥା ମୁଁ ଜାଣି ନଥିଲି!”
ଏହା କହି ରାଜା ସେ ଜମିଦାରଙ୍କୁ ଡକାଇ ପଠାଇଲେ ଓ ଭୁଷଣକୁ ସମ୍ମାନ ଦେବା ରାଜକବି ପଦରେ ନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ଜମିଦାରଙ୍କୁ ବି ସେ ସମ୍ମାନ ଦେଲେ ।
ରାତିରେ ରାଜାଙ୍କ ସହ ନୈଶାହାର ବେଳେ ଜମିଦାର କହିଲେ, “ମଣିମା! କାକୁଡି କାବ୍ୟ ଭଳି କାବ୍ୟ ଆମ ଭାଷାରେ ଆଉ ନାହିଁ!”
ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ “କାକୁଡି କାବ୍ୟ? ସେଇଟା ପୁଣି କ’ଣ?”
ଜମିଦାର ମୁଗ୍ଧ ହୋଇ କହିଲେ “କାହିଁକି ମଣିମା? ଭୁଷଣ କ’ଣ ତାହା ଆପଣଙ୍କୁ ଶୁଣାଇ ନାହିଁ? ତୋହ ଭଳି କିଏ ଅଛି କହରେ କାକୁଡି! କି ମଧୁର ରଡି କରୁ ଖାଇଲେ କାମୁଡି! ଆହା, ଆହା! କି ରସୋତୀର୍ଣ୍ଣ କବିତା!”
ସେତେବେଳକୁ ରାଜା ହସି ହସି ବେଦମ୍ ହେଲେଣି । ସେ ଭୁଷଣକୁ ନିଜ ପାଖକୁ ଡାକି ଚୁପି ଚୁପି ଏହାର ରହସ୍ୟ ପଚାରିଲେ । ଭୁଷଣ କହିଲା, “ମଣିମା, ଏକଥା ସତ ଯେ ମୁଁ କେଉଁ କବିତା ଆପଣଙ୍କ ଆଗରେ ପଢିବି ସେ ଦିଗରେ ଜମିଦାର ମୋତେ ବହୁତ ସାହାଯ୍ୟ କରିଛନ୍ତି । ଯେଉଁ କବିତା ସେ ମୋଟେ ବୁଝିଲେ ନାହିଁ, ମୁଁ ସେଇଟାହିଁ ପଢିଲି ।”
ଏହା ଶୁଣି ରାଜା ଆହୁରି ହସିଲେ ।
ଭୁଷଣ ରାଜକବି ଭାବରେ ସୁନ୍ଦର ଘରଟିଏ ପାଇଲା । ସେଠି ଆସି ତା’ ବାପା ମାଆ ରହିଲେ । ସେତେବେଳକୁ ସେମାନଙ୍କ ଦେହ ଆନନ୍ଦରେହିଁ ପୁରା ଭଲ ହୋଇ ଯାଇଥାଏ!