ତହୁଁ ସେ କାଠୁରିଆ ଏସବୁ ଶୁଣି କହିଲା, “ତୋ ପରି ଓଲୁ କ’ଣ ଆଉ ଗଛରେ ଫଳନ୍ତି । ଧନ ମାଗିଲେ ଆମର କେଉଁ ଦୁଃଖ ଚାଲିଯିବ? ମୋର ଇଛା – ଭଲ ସ୍ୱାସ୍ଥ୍ୟ ମାଗିବା, ବହୁତ ଦିନ ବଂଚିବା । ଯେମିତିକି ଆମକୁ କେବେ ବି କିଛି ରୋଗ ହେବନାହିଁ ।”
ତାପରେ କାଠୁରିଆ ସ୍ତ୍ରୀ କହିଲା, “ହଇଏ, ଲମ୍ବା ଆଇଷ ମାଗି ଆମର ଲାଭ କ’ଣ? ଅଭାବରେ କେବଳ ଷଢି ଷଢି ଆମର ଜୀବନଟା ଯାହା ଖାଲି ବୃଥା ହୋଇଯିବ ।”
ଏଇମିତି କଥା କଟାକଟି ହେଉ ହେଉ ଅନେକ ରାତି ହୋଇଗଲା । ତଥାପି ବି ସେ ଦୁହେଁଯାକ କୌଣସି ନିଷ୍ପତିରେ ପହଁଚି ପାରିଲେ ନାହିଁ । ଶେଷରେ ସେମାନେ କଥା ହେଲେ ରାତିରେ ଶୋଇପଡିବେ । ସକାଳୁ ଉଠି ସେମାନେ ଯାହା ଗୋଟେ ନିଷ୍ପତି କରିବେ ।
ସେଦିନ ରାତିରେ ଆଉ ସେ କାଠୁରିଆର ସ୍ତ୍ରୀକୁ ଆଦୌ ନିଦ ନ ଥାଏ । ସେ ଖାଲି ତା ମନେ ଭାବି ଚାଲିଥାଏ ଯେ, ସକାଳୁ ଉଠିଲେ ପରୀରାଣୀକୁ ସେ କେଉଁ ବରଟା ମାଗିବ ।
ସକାଳ ହେଲା । କୁଆ କୋଇଲି ସବୁ ରାବିଲେ । ଗାଈ ବଳଦ ସବୁ ଗୋଠକୁ ଚାଲିଲେ । ଛୁଆମାନେ ଦାଣ୍ଡେ ଦାଣ୍ଡେ ଖେଳି ଚାଲିଲେ । ସେ କାଠୁରିଆ ବି ସକାଳୁ ଉଠି ତାର କାଠ କାମରେ ଲାଗି ଯାଇଥାଏ । ଏପଟେ ଏ କାଠୁରିଆର ସ୍ତ୍ରୀ ଆଉ ସମ୍ଭାଳି ରହୁଛି କେତେକେ! ସେ ଚଟାପଟ ପରୀରାଣୀକୁ ଶୁଣାଇ କହିଦେଲା – “ହେ ପରୀରାଣୀ, ତୁମେ ତୁରନ୍ତ ଆମକୁ ମାଂସ ଖାଇବାକୁ ଦିଅ ।”
ସେମାନେ ତ ଗରିବ ଲୋକ । କେବେ ତ ମାଂସ ଖାଇବା ସେମାନଙ୍କ ଭାଗ୍ୟରେ ଜୁଟେ ନାହିଁ । ତେଣୁ ମାଂସ ଖାଇବ ବୋଲି ତାର ଲୋଭ ହେବାଟା ତ ସ୍ୱାଭାବିକ । ତା ପାଟିରୁ କଥା ବାହାରିଛି କି ନାହିଁ, ସାଙ୍ଗେ ସାଙ୍ଗେ ହାଣ୍ଡିଏ ହବ ମାଂସ ସେଠାରେ ଥୁଆ ହୋଇଗଲା ।
ସେ କାଠୁରିଆଟି ଯେମିତି ଏତକ ଦେଖି ଦେଇଛି ସେମିତି ତାର ମୁଣ୍ଡକୁ ହଠାତ୍ ରାଗ ଚଢିଗଲା । ତେଣୁ ସେ କାଠୁରିଆଟି ତାର ସ୍ତ୍ରୀକୁ ଗାଳି ଦେଇ କହିଲା – “ତୁ ଓଲି ଏ କ’ଣ କଲୁ! ଆଉ ମୋଟେ ଦୁଇଟି ବର ରହିଲା । ମୋର ମନ ହେଉଛି ତୋର ମୂର୍ଖ ପଣିଆ ପାଇଁ ଏ ମାଂସତକ ତୋରି ନାକରେ ଲାଗିଯାଉ ।”
ସେ କାଠୁରିଆଟିର ପାଟିରୁ କଥା ବାହାରି ନାହିଁ, ହଠାତ୍ କାଠୁରିଆ ସ୍ତ୍ରୀର ମୁହଁଟାଯାକ ମାଂସ ସାଲୁ ବାଲୁ ହୋଇ ତାହା ଓହଳି ପଡିଲା, ସେ ସ୍ତ୍ରୀଟି ଏବେ କ’ଣ କରିବ! କାହାକୁ ନିଜ ମୁହଁ ଦେଖାଇବ! କୁଆଡେ ବା ସେ ଏବେ ଯିବ । ଏପରି ଭାବରେ ସେ ଚଳିବ ବା କିପରି? ତେଣୁ ସେ ସ୍ତ୍ରୀଟି ତା ମନେ ମନେ ଭାବିଲା ବରଂ ମରିଯିବା ଭଲ, ଏବେ ଏ ମୁହଁ ସେ ଆଉ କାହାକୁ ଦେଖାଇବ, ତାପରେ ସେ ସ୍ତ୍ରୀଟି ଖାଲି ବିକଳ ହୋଇ କାନ୍ଦିବାକୁ ଲାଗିଲା ।
ବର୍ତ୍ତମାନ ଯାଇ ସେ କାଠୁରିଆ ତା’ର ଦୋଷ ଠିକ୍ ବୁଝିପାରିଲା । ରାଗ ତ ବ୍ରହ୍ମ ଚଣ୍ଡାଳ । ଭୁଲ୍ ତ ସେ କରିଦେଇଛି । ତେଣୁ ସେ କାଠୁରିଆଟି ତାର ସ୍ତ୍ରୀକୁ ବୁଝାଇ କହିଲା – “ତୁ ଆଉ ବ୍ୟସ୍ତ ହୁଅ ନାହିଁ । ଆର ବରଟି ମାଗି ନିଏ, ଯେପରି ପୂର୍ବ ରୂପ ତୁ ଫେରି ପାଇବୁ ।”
ଠିକ୍ ସେଇଆ ହେଲା । ପରୀରାଣୀ ସେ କାଠୁରିଆର ସ୍ତ୍ରୀକୁ ତା ପୂର୍ବ ରୂପ ଫେରାଇ ଦେଲା ।
ସେଇଠୁ ଦୁହେଁ ବିଚାରିଲେ, ପରକୁ ଈର୍ଷା କରି ସିନା ସେମାନେ ଆଜି ଏପରି କଲବଲ ହେଲେ । ନଚେତ୍ ତାଙ୍କର କ’ଣ ଅବା ଅଭାବ ଥିଲା । ସେମାନେ ଦେହ ମିହନ୍ତ କରି ତ ବେଶ୍ ସୁଖରେ ଥିଲେ ।
ସେଇଦିନୁ ସେମାନେ ଆଉ କାହାରି ଚଳାଚଳ ଉପରେ ଆଖି ପକାଇ ଦୁଃଖ ପାଇନାହାଁନ୍ତି ।