ତା’ପର ଦିନ ସକାଳ ହେଲା । ଦ୍ୱିତୀୟ ଭୂତୁଣୀ କହିଲା – ଆଜି ମୁଁ ଏ ପିଲାକୁ ଜଗିବି । ତୁ ଯା ଖାଇବା ଆଣିବୁ । ଦ୍ୱିତୀୟ ଭୂତୁଣୀ କଥାରେ ପ୍ରଥମ ଭୂତୁଣୀ ବି ରାଜି ହେଲା । ପ୍ରଥମ ଭୂତୁଣୀ ସେଠାରୁ ଗଲାପରେ ଦିପୁ କହିଲା – ଆଚ୍ଛା ତୁମ୍ଭେ ଏ ଭୂତୁଣୀ ରୂପ କିପରି ପାଇଲ । ତହୁଁ ସେ ଦ୍ୱିତୀୟ ଭୂତୁଣୀ କହିଲା – ମୋ ବାପା ରାଜାଙ୍କ ଉଦ୍ୟାନରେ କାମ କରୁଥାନ୍ତି । ସେତେବେଳେ ତ ସେ ରାଜାଙ୍କର ବଗିଚାରେ ଅନେକ ଫଳ ଫୁଲ ଗଛ ଥାଏ । ଦିନକର କଥା । ମାଙ୍କଡ ପଲେ ଆସି ରାଜାଙ୍କ ଉଦ୍ୟାନକୁ ପୁରାପୁରି ନଷ୍ଟ କରିଦେଲେ । ରାଜା ତାଙ୍କ ଉଦ୍ୟାନ ନଷ୍ଟ ହେବାର ଦେଖି ମୋ ବାପାଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ । ତାପରେ ମତେ ହିଁ ରାଜା ତାଙ୍କ ବଗିଚାରେ ନେଇ ଖଟାଇଲେ । କାମ କଷ୍ଟ ସହି ନପାରି ଶେଷରେ ମୁଁ ଆତ୍ମହତ୍ୟା କଲି ଓ ତା’ପରଠାରୁ ମୁଁ ତ ଏ ଭୂତୁଣୀ ରୂପରେ ବୁଲୁଛି ।
ଏକଥା ଶୁଣି ଦିପୁ କହିଲା – ତୁମେ ତୁମ ପୂର୍ବ ରୂପ ନିଶ୍ଚୟ ଫେରିପାଇବ । ମାତ୍ର ଏକଥା ତୁମେ ଆଉ କାହାକୁ ବି କହିବନି । ପ୍ରଥମ ଭୂତୁଣୀ ଭଳି ଦ୍ୱିତୀୟ ଭୂତୁଣୀ ମଧ୍ୟ ଦିପୁକୁ ଟିକେ ସନ୍ଦେହ କଲା କିନ୍ତୁ ଦିପୁ ସେ ଦ୍ୱିତୀୟ ଭୂତୁଣୀକୁ ବିଶ୍ୱାସ ଦେଲା । ଦ୍ୱିତୀୟ ଭୂତୁଣୀ ଦିପୁ କହିଥିବା କଥା ଅନୁସାରେ ରାଜି ହେଲା ଓ ଅମାବାସ୍ୟା ରାତ୍ରୀକୁ ଅପେକ୍ଷା କଲା ।
ଅମାବାସ୍ୟା ରାତ୍ରୀର ଦ୍ୱିତୀୟ ପ୍ରହର । ଭୂତୁଣୀ ଦୁହେଁ ପୂର୍ବ ରୂପ ଫେରି ପାଇବା ଆଶାରେ ମନେ ମନେ ବହୁତ ଖୁସି ହଉଥାନ୍ତି । ତେଣୁ ସେ ଦୁହେଁ ନିଜ ନିଜ ଆଖିରେ କଳାକନା ପଟି ବାନ୍ଧିଲେ । ଦିପୁ ତ ଏସବୁ ଦେଖୁଥାଏ । ତାପରେ ସେ ଭୂତୁଣୀ ଦୁଇଜଣ ଦୁଇଟି ଖଣ୍ଡା ଧରି ଆସି ଦିପୁ ପାଖରେ ପହଁଚିଗଲେ । ପ୍ରଥମ ଭୂତୁଣୀ କହିଲା – ତୁ ହତ୍ୟା କର । ଦ୍ୱିତୀୟ ଭୂତୁଣୀ କହିଲା – ନା, ତୁ ହତ୍ୟା କର । ଏହିପରି ଭାବେ ସେ ଦୁଇ ଭୂତୁଣୀଙ୍କ ମଧ୍ୟରେ ହେଲା ଯୁଦ୍ଧ । ତାପରେ ସେ ଦୁଇ ଭୂତୁଣୀ ପରସ୍ପରକୁ ହାଣିବାରେ ଲାଗିଲେ । କିଛି ସମୟ ପରେ ସେ ଦୁଇ ଭୂତୁଣୀ ରକ୍ତ ଜୁଡୁବୁଡୁ ହେବାର ଦେଖି ଦିପୁ ସେହି ଗୁମ୍ଫା ଭିତରୁ ବାହାରକୁ ପଳେଇ ଆସିଲା ।
ଦୁଇ ଭୂତୁଣୀ ତ ପରସ୍ପର ମଧ୍ୟରେ ଯୁଦ୍ଧ କରି ରକ୍ତାକ୍ତ ହୋଇଗଲେ । ତେଣୁ ଏବେ ଆଉ ଉଠିବାକୁ ସେମାନଙ୍କ ପାଖରେ ଶକ୍ତି ନଥାଏ । ଏହି ସମୟରେ ଦିପୁ ଏକ ପଥର ନେଇ ସେ ଗୁମ୍ଫା ମୁହଁ ବନ୍ଦ କରିଦେଲା । ତାପରେ ସେ ଦୁଇ ଭୂତୁଣୀ ସେହି ଦିନଠାରୁ ସେହି ଗୁମ୍ଫା ମଧ୍ୟରେ ସେମିତି ବନ୍ଦୀ ହୋଇ ରହିଲେ । ଆଉ ସେ ଗୁମ୍ଫା ବାହାର ଗଛ ଡାଳରେ ବସି ଶୁଆ ଏସବୁ କଥା ଦେଖୁଥାଏ । ସେ ଦିପୁର ବୁଦ୍ଧିକୁ ଖୁବ୍ ତାରିଫ୍ କଲା । ତାପରେ ସେ ଗୁମ୍ଫା ପାଖରୁ ଲମ୍ବିଥିବା ରାସ୍ତାକୁ ଶୁଆ ଦିପୁକୁ ଦେଖାଉଥାଏ । ପରିଶେଷରେ ଦିପୁ ଆସି ତା’ ଘରେ ପହଁଚିଗଲା । ବୁଦ୍ଧିମାନ ଦିପୁର ଚତୁରତାକୁ କାଠୁରିଆ ଓ ତା’ ସ୍ତ୍ରୀ ବହୁତ ପ୍ରଶଂସା କଲେ ।