ଟିଟୁ ପଶୁପକ୍ଷୀମାନଙ୍କୁ ପୋଷିବାକୁ ଖୁବ୍ ଭଲପାଏ । ତାଙ୍କ ଘରେ ଗାଈ, ଗୋରୁତ ଚାଷବାସ ପାଇଁ ଥାଆନ୍ତି ତା’ ସହ ପିଲାଙ୍କର ଖେଳଣା କିଣାଯିବା ପରି ବାପା କେତେବେଳେ ଶୁଆଟିଏ, ତ କେବେ ଶାରୀଟିଏ ପୁଣି କେବେ ନେଉଳଟିଏ ଆଣିଦିଅନ୍ତି । ଟିଟୁ ତାର ସେଇ ନୂଆ ନୂଆ ସାଥୀମାନଙ୍କ ସହିତ ଧୀରେ ଧୀରେ ଖେଳୁ ଖେଳୁ ଏକଦମ ସେମାନଙ୍କର ସାଥୀ ବନିଯାଏ । ଏବେ ସେ ଟିଟୁର ଚିଡିଆଖାନାରେ କାହିଁ କେତେ ଜୀବଜନ୍ତୁଙ୍କ ମେଳ । କିଚିରିମିଚିରି, କକରେକ, ସୁଁ ସୁଁ ଭୁ… ଭୁ…, ଚୁଁ ଚୁଁ ଡାକରେ ସେ ଘର ସାରା ପୁରିଯାଏ । ନୂଆ ଲୋକଟିଏ ତାଙ୍କ ଘର ଅଗଣାରେ ପଶିଗଲେ, ବିରାଡି, ନେଉଳ, କୁକୁଡା, ହଂସ, ବତକ, ଶୁଆଶାରୀ ମେଳରେ ସେ ଏକବାର ନିଜକୁ ହଜାଇ ଦିଏ ତ କେହି ସେ ଧଳା କୁକୁର ରିଙ୍କିର ଚମତ୍କାର ରଡି ଶୁଣି ଖୁବ୍ ଜୋର୍ରେ ଛାନିଆ ହୋଇଯାଆନ୍ତି । ଘର ଭିତରେ ମଣିଷମାନଙ୍କ ପରି ପଶୁପକ୍ଷୀମାନଙ୍କ ଲାଗି ମଧ୍ୟ ରହିବା, ଖାଇବା, ଚରାବୁଲା କରିବାପାଇଁ ଟିଟୁ ବେଶ୍ ସୁବିଧା କରିଥାଏ ।
ଆଠ ଦଶଟି ଦେଶୀ କୁକୁଡା ସହ ଲମ୍ବା ବେକିଆ ବନରାଜ କୁକୁଡାଙ୍କର ସକାଳୁଆ ରଡିରେ ଟିଟୁର ନିଦ ଭାଙ୍ଗେ, ବଡି ସକାଳୁ ସବୁ ଜୀବଜନ୍ତୁ ଚଳଚଂଚଳ ହୋଇଉଠନ୍ତି । ଟିଟୁ ତା ମୁହଁ ଧୋଇ ଚା’କପେ ପିଇ ଦେଇ, ପାରା, ବଣି, ଶୁଆଶାରୀଙ୍କ ମୁହଁରେ ଆହାର ଦିଏ, ଗାଈଗୋରୁଙ୍କୁ କୁଣ୍ଡା ତୋରାଣୀ ଦିଏ । ତାପରେ ହଳଲଙ୍ଗଳ ଧରି ସେ ବାହାରିଯାଏ ତା କ୍ଷେତକୁ । ତା’ ପଛେ ପଛେ ଚାଲେ ରିଙ୍କି, କେବେ ଟିକେ ଦୁଷ୍ଟାମୀ କଲେ ଟିଟୁ ବାଡି ଉଂଚାଇ ରିଙ୍କିକୁ ପିଟିଦିଏ ତ କେବେ ଯା’ ଯା’ କହି ଗୋଡେଇ ନିଏ । ସେତିକିରେ ଜାଣ ରିଙ୍କିର କଥା ସରିଲା, ସେ ଏବେ ଆଉ ଖାଇବ କ’ଣ କଅଁଳା ପିଲାଙ୍କ ପରି ଖାଲି କୁଁ କୁଁ ହୋଇ କାନ୍ଦୁଥାଏ । ତେଣୁ ଟିଟୁର ମାଆ ଅତି ଗେଲରେ ତାକୁ ନାକ କାନ୍ଦୁରି ରିଙ୍କି ବୋଲି ଡାକନ୍ତି ।