ରାମଶର୍ମା ନାମକ ଜଣେ କବି ଶିକ୍ଷିତ ପାଠକମାନଙ୍କୁ କବିତା ପଢି ଶୁଣାଉଥାନ୍ତି । ସେମାନେ ଯାହା ଦିଅନ୍ତି ସେଥିରେ ସେ ତୃପ୍ତ ହୋଇ ରହନ୍ତି । ଅଧିକ ରୋଜଗାର ପାଇଁ ସେ କେବେ ମଧ୍ୟ ଇଚ୍ଛା ପ୍ରକାଶ କରି ନାହାଁନ୍ତି ।
ଥରେ ସେ ଶୁଣିଲେ କି ଜଣେ ବ୍ୟବସାୟୀଙ୍କର କବିତା ଶୁଣିବାକୁ ଭାରି ଇଚ୍ଛା । କିଛି ଟଙ୍କା ମିଳିବ ବୋଲି ସେ ସେଠାକୁ ଯାଉଥା’ନ୍ତି । ବାଟରେ ଥକା ହୋଇ ଗୋଟିଏ ଗଛ ମୂଳରେ ସେ ବସି ପଡିଲେ ।
କିଛି ସମୟ ପରେ ସେଠାକୁ ଜଣେ ଦରିଦ୍ର ଆସିଲା । ସେ କାମ କରି କରି ଥକା ହେବାରୁ ସେଠାକୁ ଆସିଥାଏ । ସେ ରାମଶର୍ମାଙ୍କୁ ଦେଖିବା ମାତ୍ରେ କହିଲା, “ଆପଣଙ୍କ ମୁଖମଣ୍ଡଳରେ ତେଜସ୍ୱିତା ବ୍ୟାପ୍ତ ହୋଇ ରହିଛି । ଆପଣ ଜଣେ କବି ନୁହଁନ୍ତିତ ଆଉ?”
ରାମଶର୍ମା କହିଲେ “ଠିକ୍ କହିଛ” ।
ଦରିଦ୍ର ଲୋକଟି ତୁରନ୍ତ କହିଲା, “ମହାଶୟ, ମୁଁ ବିଦ୍ୟାଶିକ୍ଷା କରିନାହିଁ ସତ, କିନ୍ତୁ କବିତା ବୁଝିବାର ସାମର୍ଥ୍ୟ ମୋ ମଧ୍ୟରେ ଅଛି । ମୋ ଜୀବନକୁ ନେଇ ଆପଣ ଯଦି କୌଣସି କବିତା ରଚନା କରନ୍ତେ ତ ମୋର ସେହି କବିତା ଶୁଣିବାକୁ ବଡ ଆଗ୍ରହ ।”
ରାମଶର୍ମା କହିଲେ, “ପ୍ରଥମେ ତୁମ ଜୀବନ କାହାଣୀ କହିବତ?”
ଦରିଦ୍ରଟି କହିଲା, “ମୋ ବାପାମା’ଙ୍କର ବାର୍ଦ୍ଧକ୍ୟ ଉପସ୍ଥିତ; ପତ୍ନୀ ଅତିଗୁଣବତୀ । ଦୁଇବର୍ଷର ପୁଅଟିଏ ଅଛି । ଖେତବାଡିରେ ମଜୁରୀ ଲାଗି ମୁଁ ଦିନକୁ ଦଶଟଙ୍କା ଆଣେ ଓ ସେଥିରେ ଗୁଜୁରାଣ ମେଂଟାଏ । ସମୟ ଥିଲେ ପତ୍ନୀ ମିଠାଇ ତିଆରି କରି ବିକ୍ରି କରି କିଛି ପଇସା କମାଏ । ଭଗବାନ୍ଙ୍କ ଦୟାରୁ ଏମିତି ମୋ ପରିବାରଟି ଚଳିଯାଉଛି, କିନ୍ତୁ କବିତା ଶୁଣିବାକୁ ମୋର ବଡ ଇଚ୍ଛା ଏବଂ କବିତା ଶୁଣିଲେ ମୋତେ ବଡ ଆନନ୍ଦ ଲାଗେ ।”
ଦରିଦ୍ରର କଥା ଶୁଣି ରାମଶର୍ମାଙ୍କ ଭାବାବେଶ ହେଲା । ସେ ସେହି ଲୋକର ଜୀବନକଥାକୁ ଭିତ୍ତି କରି ଦଶଟି କବିତା ରଚନା କଲେ । ସେ ସବୁ ଶୁଣି ଦରିଦ୍ର ବ୍ୟକ୍ତିଟିର ଆନନ୍ଦରେ ଆଖି ଛଳ ଛଳ ହୋଇ ଉଠିଲା । ସେ ଆଖିରୁ ଲୁହ ପୋଛି କହିଲା, ମହାଶୟ, ଆପଣଙ୍କ କବିତା ଶୁଣି ମୁଁ ଭଲ ଭାବରେ ଜାଣୁଛି କି ମୋର ଜୀବନ କାହାଣୀ ଏତେ ସୁନ୍ଦର ।” ଏତିକି କହି ସେ ରାମଶର୍ମାଙ୍କୁ ଦଶଟି ଟଙ୍କା ଦେବାକୁ ଚାହିଁଲା । ରାମଶର୍ମା କହିଲେ, “ତୁମକୁ ମୋ କବିତା ଭଲ ଲାଗିଲା ସେତିକିହିଁ ମୋର ପୁରସ୍କାର । ମୋର ଟଙ୍କାର କୌଣସି ଆବଶ୍ୟକତା ନାହିଁ । ତୁମର ଏହା ଅଧିକ ଜରୁରୀ କାମରେ ଲାଗିବ ।”
ଏକଥା ଶୁଣି ସେ ଗରିବ ହସିହସି କହିଲା, “ମୋ ଉପରେ ଏଭଳି କବିତା ଲେଖି ଶୁଣାଇବାରେ ଆପଣଙ୍କର କୌଣସି ଦ୍ୱିଧା ନାହିଁ, ସେଇତ ମୋ ପାଇଁ ଖୁବ୍ ଆନନ୍ଦର ବିଷୟ । ତେଣୁ ଆପଣ ଟଙ୍କା ନେବାକୁ କାହିଁକି ସଙ୍କୋଚ କରୁଛନ୍ତି? ଏହି ଟଙ୍କା ଆପଣ ନ ନେଲେ ମୋତେ ଅପମାନ ଲାଗିବନାହିଁ?”