ସାଧୁଙ୍କୁ ବିଦାୟ ଦେଇ ମହାରାଜ ନିଜ କକ୍ଷରେ ପ୍ରବେଶ କଲେ । ପରଦିନ ମାନସରୋବର ଅଭିମୁଖେ ଯାତ୍ରା ଆରମ୍ଭ କଲେ । ରାଜ ପୋଷାକ ତ୍ୟାଗକରି ସାଧାରଣ ପୋଷାକ ପିନ୍ଧି ନିଜର ଅନୁଗତ ଦୁଇ ବେତାଳଙ୍କୁ ସ୍ମରଣ କଲେ । ସେମାନେ ମହାରାଜାଙ୍କୁ ଅବିଳମ୍ବେ ନେଇ ମାନସରୋବରରେ ପହଁଚାଇ ଦେଲେ । ପରଦିନ ବ୍ରାହ୍ମ ମୁହୂର୍ତରେ ଶଯ୍ୟାତ୍ୟାଗ କରି ମହାରାଜ ସୁର୍ଯ୍ୟୋଦୟକୁ ଅପେକ୍ଷା କଲେ । ସତକୁ ସତ ସୁର୍ଯ୍ୟୋଦୟ ସହିତ ଜଳ ମଧ୍ୟରେ ଏକ ସ୍ତମ୍ଭ ଦେଖାଗଲା । ମହାରାଜ କାଳବିଳମ୍ବ ନ କରି ପହଁରି ପହଁରି ସ୍ତମ୍ଭ ଉପରେ ଚଢିଗଲେ ।
କ୍ରମେ ସ୍ତମ୍ଭର ଉଚ୍ଚତା ବଢି ଚାଲିଲା । ଜଳପତନ ମଧ୍ୟ ଉଠି ଉଠି ଚାଲିଲା । ନିର୍ଦ୍ଦିଷ୍ଟ ସମୟରେ ମହାରାଜ ସୂର୍ଯ୍ୟଙ୍କ ନିକଟତର ହେଲେ । ଅସହ୍ୟ ତାପରେ ତାଙ୍କ ଶରୀର ଜଳିପୋଡି ପାଉଁଶ ଗଦାଏରେ ପରିଣତ ହେଲା । ଆକାଶର ସେଇ ମାର୍ଗରେ ସୂର୍ଯ୍ୟଙ୍କର ରଥ ଅସ୍ତାଚଳ ଆଡକୁ ଗଡିବା ସମୟରେ ସାରଥିର ଲକ୍ଷ୍ୟ ସ୍ତମ୍ଭ ଉପରସ୍ଥ ଦଗ୍ଧ ମାନବ ଶରୀର ଉପରେ ପଡିଲା । ସେ ରଥର ଗତି ବନ୍ଦ କରିଦେଲେ । ସୂର୍ଯ୍ୟଦେବ ମଧ୍ୟ ଦେଖିଲେ ଏବଂ ଅମୃତ ସିଂଚନ କରି ଜୀବନ୍ୟାସ ଦେଲେ ।
ମହାରାଜ ବିକ୍ରମାଦିତ୍ୟ ଜୀବିତ ହେବାପରେ ସୂର୍ଯ୍ୟଦେବଙ୍କୁ ପ୍ରଣାମ କରି ନିଜର ପରିଚୟ ପ୍ରଦାନ କଲେ । ସୂର୍ଯ୍ୟଦେବ ତାଙ୍କର ସାହସ ଏବଂ ବୀରତ୍ୱର ପ୍ରଶଂସା କଲେ ଏବଂ ନିଜ କାନରୁ କୁଣ୍ଡଳ ଖୋଲି ଦାନକଲେ । ସେଇ କୁଣ୍ଡଳକୁ ଯିଏ ଧାରଣ କରିବ ତାର ସମସ୍ତ ଇଚ୍ଛା ପୂରଣ ହୋଇପାରିବ ।
ବିକ୍ରମାଦିତ୍ୟ ସୂର୍ଯ୍ୟଦେବଙ୍କୁ ପ୍ରଣାମ କରି ନିଜ ରାଜ୍ୟକୁ ଫେରିଗଲେ । ରାସ୍ତାରେ ଜଣେ ସନ୍ନ୍ୟାସୀଙ୍କ ସହିତ ସାକ୍ଷାତ ହେଲା । ସେ ତାଙ୍କ କାନରେ କୁଣ୍ଡଳ ଦେଖି ମାଗିଲେ । ମହାରାଜ ଆଦୌ ଦ୍ୱିଧା ନକରି ସନ୍ନ୍ୟାସୀଙ୍କୁ ନିଜ କାନରୁ କୁଣ୍ଡଳ ଖୋଲି ଦେଇଦେଲେ ଏବଂ ନିଜ ପ୍ରାସାଦକୁ ଫେରିଗଲେ ।
ଏତକ ଶୁଣେଇ ସାରିବା ପରେ, କାମକନ୍ଦଳା କହିଲା, “ମହାରାଜ! ସବୁକଥାତ ଶୁଣିଲେ । ଏବେ ନିଜେ ବିଚାର କରି ଦେଖନ୍ତୁ ଆପଣ ଏହି ସିଂହାସନରେ ବସିବା ପାଇଁ କେତେଦୂର ଉପଯୁକ୍ତ ।”
ମହାରାଜ ଭୋଜ ଆଉ ଅଗ୍ରସର ନ ହୋଇ ମନେ ମନେ ଚିନ୍ତା କରୁ କରୁ ନିଜ ପ୍ରାସାଦକୁ ଫେରିଲେ ।