ସ୍ୱାମିଜୀ ଠିକଣା ବେଳରେ ସେ ଭଦ୍ରବ୍ୟକ୍ତିଙ୍କ ଘରେ ଯାଇ ପହଁଚିଗଲେ । ଏବେ ଭଦ୍ରବ୍ୟକ୍ତି କ’ଣ କଲେନା, ସ୍ୱାମିଜୀଙ୍କୁ ଏକ ଗ୍ରାମାଂଚଳକୁ ବୁଲାଇ ନେଲେ । ଏହା ପଛରେ ତାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା ପ୍ୟାରିସ୍ର ଗ୍ରାମାଂଚଳରେ ରହୁଥିବା ଅଧିବାସୀଙ୍କର ଜୀବନଯାପନ ପ୍ରଣାଳୀ ତଥା ପ୍ରାକୃତିକ ଦୃଶ୍ୟରାଜି ସ୍ୱାମିଜୀଙ୍କୁ ଦେଖାଇବା । ସେତେବେଳେ ତ ଯାତାୟତର ପ୍ରଧାନ ମାଧ୍ୟମ ଥିଲା ଘୋଡାଗାଡି । ତଦନୁଯାୟୀ ଦୁହେଁ ଘୋଡାଗାଡିରେ ବୁଲି ବାହାରିଲେ ।
ସ୍ୱାମିଜୀ ବାଟରେ ଗଲାବେଳେ ଗ୍ରାମାଂଚଳର ଦୃଶ୍ୟ ଓ ଲୋକଙ୍କର ଚଳଣି ଦେଖି ଖୁସି ହେଉଥାନ୍ତି । ଏହିଭଳି ଯାଉ ଯାଉ କିଛି ସମୟ ପରେ ହଠାତ୍ ସେ ଘୋଡାଗାଡିଟି ବାଟରେ ଅଟକି ଗଲା । ତା’ପରେ ସେ ଘୋଡାଗାଡି ଚାଳକ ଗାଡିରୁ ଓହ୍ଲାଇ ରାସ୍ତାରେ ଅପେକ୍ଷାରତ ଦୁଇପିଲାଙ୍କୁ କୋଳାଗ୍ରତ କରି ସେମାନଙ୍କ ସହିତ କିଛି ସମୟ କଥାବାର୍ତ୍ତା ହେଲେ । ସେମାନଙ୍କ ଠାରୁ ବିଦାୟ ନେଇ ପୁଣି ସେ ତାଙ୍କ ଘୋଡାଗାଡିକୁ ଲେଉଟି ଆସିଲେ । ଏହାପରେ ସେ ଘୋଡାଗାଡି ଆଗକୁ ମାଡିଚାଲିଲା ।
ସେତେବେଳେ ତ ପ୍ୟାରିସ୍ରେ ତ ଧନୀ ଓ ଗରିବଙ୍କ ଭିତରେ କଠୋର ଶ୍ରେଣୀ ବିଭାଜନ ପ୍ରଥା ପ୍ରଚଳିତ ଥିଲା । ପିଲାମାନଙ୍କ ସହିତ ସେ ଘୋଡାଗାଡି ଚାଳକର ଏତାଦୃଶ ମିଳାମିଶା ଦେଖି ଭଦ୍ରବ୍ୟକ୍ତି ଜଣକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସେ ପିଲାଦୁଇଟି ଏକ ଆଭିଜାତ୍ୟ ସମ୍ପନ୍ନ ପରିବାରର ଭଳି ଜଣା ପଡୁଥିଲେ । ମାତ୍ର ଘୋଡାଗାଡି ଚାଳକ ଜଣେ ମାମୁଲି ବ୍ୟକ୍ତି ହୋଇଥିବାରୁ ଏଭଳି ମିଳାମିଶା କିପରି ହେଲା ବୋଲି ସେ ଚକିତ ହୋଇଯାଇଥିଲେ ।
ଏଥର ବିସ୍ମିତ ହୋଇ ଭଦ୍ରବ୍ୟକ୍ତିଜଣକ ସେ ଘୋଡାଚାଳକକୁ ଅସଲ କଥାଟି ପଚାରିଲେ । ତହୁଁ ସେ ଗାଡିଚାଳକ କହିଲେ, “ସେ ଦୁହେଁ ମୋର ପୁଅ ଅଟନ୍ତି । ପ୍ୟାରିସ୍ର ଏକ ପ୍ରମୁଖ ବ୍ୟାଙ୍କର ନାଁ ଉଚ୍ଚାରଣ କରି ସେ କହିଲେ, ମୁଁ ଦିନେ ସେହି ବ୍ୟାଙ୍କ୍ର ପରିଚାଳକ ଥିଲି । ସେହି ବ୍ୟାଙ୍କ୍ ଦେବାଳିଆ ହୋଇଯିବାରୁ ମୁଁ ପୁରାପୁରି ବରବାଦ ହୋଇଗଲି । ମୁଁ ବର୍ତ୍ତମାନ ଏଭଳି ଏକ ଅବସ୍ଥାରେ ପହଁଚିଯାଇଛି ଯେ, ସେଥିରୁ ଉଦ୍ଧାର ପାଇବା ପାଇଁ ମୋତେ ବେଶ୍ କିଛି ବର୍ଷ ଲାଗିଯିବ । ତଥାପି ବି ମୁଁ ମୋ ଧୈର୍ଯ୍ୟ ହରାଇ ନାହିଁ । ପିଲା ଦୁଇଟିକୁ ସ୍ତ୍ରୀ ସହିତ ଗାଁରେ ଛାଡିଦେଇ ମୁଁ ଅର୍ଥ ଉପାର୍ଜନରେ ଲାଗିଛି । ସେଥିଲାଗି ମୁଁ ଏ ଘୋଡାଗାଡି କିଣି ନିଜେ ଚଳାଉଛି । ସେହି ରୋଜଗାର ଅର୍ଥରୁ ଘର ଚଳାଇବା ସହିତ କିଛି ସଂଚୟ ମଧ୍ୟ କରୁଛି । ଭାବୁଛି କରଜ ପରିଶୋଧ କଲା ପରେ ମୁଁ ପୁନଶ୍ଚ ସେହି ବ୍ୟାଙ୍କ୍କୁ କାର୍ଯ୍ୟକ୍ଷମ କରାଇବି ।”
ସେତେବେଳେ ସେ ଗାଡିରେ ବସିଥିବା ସ୍ୱାମିଜୀ ଏକଥା ସବୁ ଶୁଣୁଥିଲେ । ସେ ଏହାଦ୍ୱାରା ବେଶ୍ ପ୍ରଭାବିତ ହୋଇ ଭଦ୍ରଲୋକଙ୍କୁ କହିଲେ, “ଏହି ବ୍ୟକ୍ତିଜଣକ ବାସ୍ତବରେ ଲକ୍ଷ୍ୟ ସାଧନରେ ବ୍ରତୀ ଅଛନ୍ତି । ନଚେତ୍ ଏଭଳି ଏକ ଉଚ୍ଚ ସାମାଜିକ ସ୍ଥିତିରୁ ଖସିଆସି ଅତି ସାଧାରଣ ଘୋଡାଗାଡିର ଚାଳକ କେବେବି ସାଜି ନ ଥାନ୍ତା । ଏହି ଚାଳକର ତା’ ବୃତ୍ତିପ୍ରତି ମନରେ ସାମାନ୍ୟତମ ହୀନମ୍ମନ୍ୟତା ନଥିବା ହିଁ ବାସ୍ତବରେ ଅତ୍ୟନ୍ତ ପ୍ରଶଂସନୀୟ । ଏପରିକି ଆପଣାର ବ୍ୟକ୍ତିତ୍ୱ ଓ କର୍ମ ଉପରେ ତାର ଏପର୍ଯ୍ୟନ୍ତ ଆସ୍ଥା ତୁଟି ନ ଥିବା ମଧ୍ୟ ଆଶ୍ଚର୍ଯ୍ୟର ବିଷୟ । ଏହାହିଁ ଲକ୍ଷ୍ୟ ପ୍ରାପ୍ତିର ସାଧନ, ଯାହାବଳରେ କି ସେ ପୁଣି ବ୍ୟାଙ୍କ୍ ଚଳାଇବା ଲାଗି ସକ୍ଷମ ହୋଇପାରିବେ, ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ । ଏହିଭଳି ବ୍ୟକ୍ତି ହିଁ ଯଥାର୍ଥରେ ଧନ୍ୟ । ମଣିଷ ଜୀବନରେ ଏହି ଉତ୍ଥାନ-ପତନ, ଛାଇ-ଆଲୁଅର ଖେଳରେ ହିଁ ମଣିଷ ଜୟଯୁକ୍ତ ହୋଇଥାଏ, ଯିଏ ପଡି ଉଠିବାକୁ ଚେଷ୍ଟା କରେ । ଠିକ୍ ଯେପରି ଶିଶୁଟି ପ୍ରଥମେ ପ୍ରଥମେ ଉଠିବା ପଡିବା ବାରମ୍ବାର କରି ଚାଲି ଶିଖିଯାଏ ।”