ବାବୁ ଚରଣ ଦାସେ କହିଲେ, “ହେଲା-ହେଲା, ଯେଉଁମାନଙ୍କର ଆସିବାର ନିହାତି ଦରକାର, ସେମାନେ ତ ଆସିଗଲେ, ଆଉ କାହାରି ଆସିବାର ଥିଲେ ସେମାନେ ପଛରେ ଆସୁଥାନ୍ତୁ । ଆଉ ବସିବାର କିଛି ବି ଲୋଡା ନାହିଁ ।”
ବାବୁ ପରମ ପରିଜା କହିଲେ, “ଆହେ ଚୌଧୁରୀ ସାଆନ୍ତେ! ଆଜି ସଭାରେ କ’ଣ କଥା ଅଛି ପକାନ୍ତୁ, ଆଉ ମଠ କ୍ୟାଁ?”
ବାବୁ ଶିବପ୍ରସାଦ ଚୌଧୁରୀଏ କହିଲେ, “ଆଉ କହିବୁଁ କ’ଣ? ସମସ୍ତେ ତ ଏକ ନା’ରେ ବସିଛୁଁ- ଯେଉଁ ଗଜବ ପଡିଲାଣି, ଜାହାଜାତି କାରବାର ଏଣିକି ଇତି । ସମସ୍ତେ ତ ଦେଖୁଛନ୍ତି; ଆଜକୁ ବର୍ଷ ଦି’ଟା ଭିତରେ ପରିଜାବାବୁଙ୍କର ରାଜରାଜେଶ୍ୱରୀ ପ୍ରସାଦ, ମଲ୍ଲଙ୍କର ଦୁର୍ଗାପ୍ରସାଦ, ଧରନ୍ତୁ ମୋର ଲକ୍ଷ୍ମୀପ୍ରସାଦ, ନାୟକବାବୁଙ୍କର ରମାପ୍ରସାଦ, ଏବେ ଦେଖନ୍ତୁ ଦେ’ବାବୁଙ୍କର କାଳିକାପ୍ରସାଦ । ପାଣି ନାହିଁ, କି ପବନ ନାହିଁ, ଲାଗ ଲାଗ ପାଂଚଖଣ୍ଡ ବାହାର ଦରିଆରେ ଗୁମ୍ । ଆମ୍ଭେ ମନରେ କରିଥିଲୁଁ, ଡୁବି ପାହାଡରେ ଠୋକର ବାଜିଯାଉଛି । କାହିଁକିନା ଦରିଆ ଭିତରେ ତ ଢେର୍ ଢେର୍ ପାହାଡ ଡୁବି ରହିଛି, ଭଟ୍ଟାବେଳେ ଟିକିଏ ଟିକିଏ ମୁଣ୍ଡ ଦିଶେ, ଜୁଆର ବେଳେ ଲୁଚିଥାଏ । ଏଣେ ଜାହାଜ ତ ଘୋଡା ପରି ଧାଇଁଥାଏ, ମାଝି କଳିପାରେ ନାହିଁ, ପାହାଡ ଛୁଇଁଲା ତ ଛତୁ! ଏବେ ସବୁ ପ୍ରସଙ୍ଗ ସାଫ ଧରାପଡିଗଲା । ଆହେ ହେ ସାଆନ୍ତେ, ଆପଣଙ୍କ ତଣ୍ଡେଲକୁ ଡାକନ୍ତୁ ତ, ବାବୁମାନଙ୍କ ଆଗରେ ସବୁ ହାଲ ବୟାନ କରିଯାଅ ।”
ବାବୁ ରଘୁନାଥ ଦେ ଡାକିଲେ- “ଆରେ ହଗ୍ରୁ ତଣ୍ଡେଲ! ମୂଳରୁ ଶେଷଯାଏଁ କ’ଣ ଘଟିଲା, ବାବୁମାନଙ୍କର ଆଗରେ ବୟାନ କରିଯା’ତ । ହେଲେ ଖବରଦାର! ପଦେ ବି ଛାଡିବୁ ନାହିଁ ।”
ହଗ୍ରୁ ତଣ୍ଡେଲ ଗାମୁଛା ଖଣ୍ଡ ବେକରେ ପଟକା ପକାଇ ବାବୁମାନଙ୍କୁ ଜଣ ଜଣ କରି ଭୂଇଁରେ ମୁଣ୍ଡ ଲଗାଇ ଦଣ୍ଡବତ କଲା । ତହିଁ ବାଦେ ବାବୁମାନଙ୍କ ମୁହଁକୁ ସେ ଅନାଇ କହିବାକୁ ଲାଗିଲା-
“ଆଜ୍ଞା, ଗଲା ବରଷ ମକର କୃଷ୍ଣ ଦୁତିଆ ଦିନ ଦି’ପହରିଆ ଭଟ୍ଟାରେ ଆମ୍ଭେମାନେ ଚାରିଖଣ୍ଡ ଜାହାଜ ନେଇ ବନ୍ଦର ଘାଟରୁ ଗଡିଗଲୁ । ନଈ ଭିତରେ ଭଟ୍ଟା ଧରି ଯାଉଁ ଯାଉଁ ତିନିଦିନ ଦିନ ଓପରଓଳି ମୁହାଣ ଟପି ସଞ୍ଜବେଳେ ଦରିଆରେ ଲଙ୍ଗର କଲୁଁ । ଚାରି ଜାହାଜଯାକ କୋଶ କୋଶକ ଛଡା ଲଙ୍ଗର କରିଥାଉଁ । ତହିଁ ଆର ଦିନ ଖୁବ୍ ସକାଳେ ପୂର୍ବ ଦିଗରେ ଯିମିତି ସୂନ୍ଦରା ଫାଟିଛି, ସମସ୍ତେ ଏକ ସଙ୍ଗରେ ଲଙ୍ଗର ହାବିସ କଲୁଁ । ଦୁଇଖଣ୍ଡ ଗୋରାପ ବାଉଟା ହଲାଇ ଆମ୍ଭମାନଙ୍କୁ ଦଣ୍ଡବତ କଲେ । ଆମ୍ଭମାନଙ୍କ ମାଝି ବି ଠିକ୍ ସେହିପରି ବାଉଟା ବିଂଚିଲେ । ସେ ଗୋରାପ ଦି’ଖଣ୍ଡ ଦକ୍ଷିଣମୁହାଁ ହକାରିଲେ । ଖଣ୍ଡେ ଗଲା ଲକଡ ଦ୍ୱୀପ, ଆଉ ଖଣ୍ଡେ ଗଲା କଲମ୍ବା ବନ୍ଦର । ଲକଡ ଦ୍ୱୀପ ଜାହାଜ ବୋଝେଇ ଥିଲା ଚୁଡା ଆଉ ଭାତରନ୍ଧା ହାଣ୍ଡି ।”
କଲମ୍ବା ଜାହାଜରେ ମାଲ ଥିଲା ତୁଚ୍ଛା ଚାଉଳ । ଆଉ ନାୟକବାବୁଙ୍କର ଦୁର୍ଗାପ୍ରସାଦ ସୁଲୁପ ଉତ୍ତରମୁହାଁ ଗଙ୍ଗାନଈ ମୁହାଣ ବାଟରେ ସୂତାନୁଟି ହାଟ ଆଡେ ଗଲା । ଆମ୍ଭେମାନେ ଯବଦ୍ୱୀପ- ବତାବୀ ବନ୍ଦର ଦିଗକୁ ପୂର୍ବମୁହାଁ ହକାରିଲୁଁ । ସେତେବେଳେ ପଛିମା ସୁଲୁସୁଲିଆ ପବନ ମାରୁଥାଏ । ସଳଖରେ ମଙ୍ଗଟା ଧରିଥାଉଁ, ଦିନ ନାହିଁ, ରାତି ନାହିଁ, ଜାହାଜ ଧାଇଁଛି । ବାହାର ଦରିଆରେ ତ ଦିନରାତି ସବୁ ସମାନ । ରାତିରେ ଉତ୍ତରପଟେ ଧୋବତାରା ଆଉ ଶେଷରାତିଆ ପୂର୍ବଦିଗ ପୋଆତରା ଦିଶିଲେ ବାଟ ଦିଶିଯାଏ । ଚାରିଦିନ ଦିନ ବଡି ସକାଳେ ପୂର୍ବଦିଗ ସମୁଦ୍ର ଭିତରେ ସୂର୍ଯ୍ୟ ଦେବତାଙ୍କ ଫେନ୍ଦ ଯିମିତି ଦିଶିଲା, ସେହି ଦିଗରେ ଦଶ କୋଶ ହେବ ଦୂରରେ ଖଣ୍ଡେ ଜାହାଜର ଶେଡ ଦିଶିଲା । ସେ ଜାହାଜଖଣ୍ଡ ଆମ୍ଭମାନଙ୍କୁ ଲୟ କରି ଧାଇଁଥାଏ । ତାହାବାଦେ ଦିଶିଲା ଜାହାଜର ବାହୁଟିଆ କୁନ୍ଦା ଆଉ ସଫରଦାରୀ ରସି ଉପରେ ଦୁଇଟା ବଡ ବଡ ଲାଲ ପତାକା ଉଡୁଛି । ମୁଁ ନାବରା ଦଉଡି ଧରି ଚଉକି ଉପରକୁ ଉଠିଯାଇ ଦୂରବୀନ୍ଦ କଷିଦେଲି । ଏତିକିବେଳେ ଦୁମ୍ ଦୁମ୍ କରି ସେହି ଜାହାଜରୁ ଚାରି ପାଂଚଟା ବୋମ୍ ଫାଏର ହେଲା । ଏସବୁ ଦେଖି ଆମ ମାଝି ଛାନିଆ ହେଲା ପରି ଚଂଚଳ ଡାକିଦେଲା, ଗାମଦ – ପୂର୍ବ- ପୂର୍ବା ଗାମଦ । ଆମ କାଳିକାପ୍ରସାଦ ବାଟ ବଦଳି ପୂର୍ବାହେରିଆ ବସିଲା । ସେ ଜାହାଜ ବି ଆମ ଆଡକୁ ସେମିତି ଧାଇଁଥାଏ । ଦିନ ପହରକବେଳେ ଦୁଇ ଜାହାଜ ଭେଟାଭେଟି, ଠୋକର ଲାଗେ ଲାଗେ ।”
ଚୌଧୁରୀବାବୁ କହିଲେ- “ଆରେ, ତୁମେମାନେ କିଛି ନ ବୁଝି ନ ସୁଝି କ୍ୟାଁ ସେ ଜାହାଜ ପାଖକୁ ଧାଇଁଲ?”
ହଗ୍ରୁ ତଣ୍ଡେଲ- ଆଜ୍ଞା, ଖଣ୍ଡେ ଜାହାଜରେ ବିପଦଦାଉଟା ଉଡିଲେ, ଆଉ ରକମ ବିପଦ ହେଲେ, ଆଉ ଜାହାଜ ତା’ ପାଖକୁ ଧାଇଁବେ, ଏହା ତ ଦରିଆ ଠାକୁରାଣୀଙ୍କର ଏକ ରକମ ହୁକୁମ ।
ତା’ବାଦେ କ’ଣ ହେଲା କି, ସେ ଜାହାଜ ଉପରେ ବାଳୁଆ କଳାକନା ପିନ୍ଧା ଆଠ ଦଶଜଣ ତୁରକ ଛିଡା ହୋଇଥିଲେ, ଘାବରି ଗଲାପରି ଚଂଚଳ ସେମାନେ ଡାକିଲେ, ପାଗଡ-ପାଗଡ-ପାଗଡ ଖଲାସୀମାନେ ଚାରିଖଣ୍ଡ ଯିମିତି ଫୋପାଡି ଦେଇଛନ୍ତି, ତୁରକମାନେ ଦୁଇ ଜାହାଜକୁ ସଙ୍ଗଡି ପକାଇଲେ । ଆମ ଖଲାସୀମାନେ ବି ଦୁଇ ଜାହାଜ ପେରଛା ଆଉ କାଛିରେ ସଙ୍ଗୁଡୁଥାନ୍ତି । ଦୁଇ ଜାହାଜ ଯିମିତି ସଙ୍ଗଡାଯାଇଛି, ସେ ଜାହାଜ ଚାପଦାର ଆଉ ଖେଳ ଭିତରେ ଅନ୍ଦାଜ ଦୁଇ କୋଡିରୁ ବଳିବେ ଖପ୍ ଖପ୍ କରି ଆମ ଜାହାଜକୁ ଡେଇଁ ପଡିଲେ । ସେମାନଙ୍କ ରୂପ ଦେଖି ଆମ୍ଭେମାନେ ପୁରାପୁରି ତାଟକା ହୋଇଗଲୁଣି । ସେତେବେଳେ ଆଉ କାହାରି ଗୋଡହାତ ଚଳୁ ନାହିଁ, କାଠଟି ପରି ଛିଡା ହୋଇଥାଉଁ । ସେ ଲୋକଗୁଡାକ ସବୁ ପଂଚହତା ମର୍ଦ, ସେଇ ରକମ ମୋଟା, ରାକ୍ଷସ ପରି ବଳୁଆ, ଫିରିଙ୍ଗୀ ପରି ସେମାନଙ୍କ ମୁହଁ ରଙ୍ଗା ରଙ୍ଗା । ସେହିପରି ଏକରକମ ପୋଷାକ, ମୁଣ୍ଡରେ ଟୋପି, ମନ୍ଦାରଫୁଲ ପରି ଆଖି ସେମାନଙ୍କର ଲାଲ । ମୁହଁରୁ ସେମାନଙ୍କର ମଦଗନ୍ଧ ଭକ ଭକ ହୋଇ ବାହାରୁଛି । ସବୁଗୁଡାକ ମତୁଆଲା, ଧାଡୁଆ ମାଙ୍କଡ ପରି ଆମ ଜାହାଜ ଉପରେ ଧାଁଦଉଡ ଲଗାଇଥାନ୍ତି । ହାତରେ ସେମାନଙ୍କର ବଙ୍କା ବଙ୍କା ଲଙ୍ଘା ତରବାରି । ଅଂଟାପଟି ଏକ ପାଖରେ ତରବାରି ଖାପ ଆର ପାଖରେ କଡାବିନ ଝୁଲୁଥାଏ । ହିପ୍ ହିପ୍ ଶବ୍ଦ କରି ପାଟି କରୁଥା’ନ୍ତି । ଆମ୍ଭେମାନେ ତ କାବାହୋଇ ଛିଡାହୋଇଥିଲୁଁ, ତା’ପରେ ଦଳ ଦଳ କରି ସେମାନେ ଆମକୁ ବାନ୍ଧି ପକାଇଲେ । ଆମ ମାଝି ଖପା ହୋଇ କ’ଣ କହିବାକୁ ଯାଉଥିଲା, ଠିକ୍ ସେତିକିବେଳେ ଗୋଟାଏ ରାକ୍ଷସ ତରବାରିରେ ଯେଉଁ ଚୋଟେ ଦେଇଛି ସେଥିରେ ମାଝିର ମୁଣ୍ଡଟା ପାଂଚହାତ ଦୂରରେ ଯାଇ ଠିକରି ପଡିଲା, ଏଣେ ତା’ ଗଣ୍ଡିଟା ତଳେ ପଡି ଛଟପଟ ହେଉଥାଏ । ସେହି ରାକ୍ଷସଟା ମାଝି ମୁଣ୍ଡଟା ଆମ୍ଭମାନଙ୍କୁ ଦେଖାଇ କ’ଣ ବରବର କରି କହିଲା, ଆମେ ବୁଝିପାରିଲୁ ନାହିଁ । ଆଉ ଗୋଟାଏ ରାକ୍ଷସ ହସି ହସି ମାଝି ଗୋଡ ଧରି ଗଣ୍ଡିଟା ଦରିଆକୁ ଫୋଫାଡିଦେଲା । ତା’ବାଦେ ସେମାନେ ଆମ୍ଭମାନଙ୍କୁ ଘେନିଯାଇ ତାଙ୍କ ଜାହାଜ ଚାପଦାର ଭିତରେ ଭର୍ତ୍ତିକରି ଦେଇ ସେଥିରେ ଗୋଟାଏ କୋଲପ ଲଗାଇଦେଲେ । ଆମ୍ଭେମାନେ ମଲାପରି ପଡିଥାଉଁ । ରୋଜ ସକାଳେ ଅଧ ଅଧ ସେର ଅନ୍ଦାଜ ଚୁଡା ଆଉ ଢାଳେ ଢାଳେ ପାଣି ଦେଇଯାଏ- କିଏ ଖାଇଲା, କିଏ ନ ଖାଇଲା । ଶଙ୍କର ବେହେରା ମିର୍ଦ୍ଧା ପେଟରେ ଗୋଟାଏ ରାକ୍ଷସ ଜୋତାମିଶା ଯୋଡାଏ ଗୋଇଠା ମାରିଥିଲା, ସେ ପଡି ପଡି ଦି’ଦିନ ପରେ ମରିଗଲା । ଆମ୍ଭେମାନେ ତାକୁ ଦରିଆକୁ ଫୋପାଡି ଦେଲୁଁ, ସେ ହାଡିଗୁଡାଙ୍କୁ ଛୁଇଁବାକୁ ଦେଲୁ ନାହିଁ । ତିନିଦିନ ଦିନ ଓପରଓଳି ବେଳ ରତରତ, ଗୋଟାଏ ମୁଲକରେ ଜାହାଜ ଲଙ୍ଗର କଲା । ପଛରେ ଆମେ ଜାଣିଲୁ, ସେଇଟା ମୁଲକ ନୁହେଁ, ଦରିଆ ଭିତରେ ଗୋଟାଏ ଟାପୁ । ତା’ ନାମ ଛଣଦ୍ୱୀପ । ଆମ୍ଭମାନଙ୍କୁ ଘେନିଯାଇ ସେମାନେ ଗୋଟାଏ ଜେଲଖାନାରେ ବନ୍ଦୀ କଲେ । ଆହୁରି ବି ଢେର୍ ବନ୍ଦିଆଣ ସେ ଘରେ ବନ୍ଦୀ ହୋଇ ପଡିଛନ୍ତି । ମାସକ ବାଦେ ଆମ୍ଭମାନଙ୍କୁ ସେ ଘରୁ କାଢି ଅଲଗା ଅଲଗା କରିଦେଲେ । କେହି କାହାରି ମୁହଁ ଦେଖିବାକୁ ନାହିଁ । ଘରୁ କାଢି ଗୋଟାଏ ତୁରକ ଆମ୍ଭମାନଙ୍କୁ ତା’ କଥାରେ ବୁଝାଇଦେଲା, ହୁକୁମ ନ ମାନି ପଳାଇବାକୁ ଚେଷ୍ଟାକଲେ ମାଝି ଦଶା ହେବ । ସେ ଦେଶରେ ଗୋଟାଏ ରଜା ଅଛି, ସେଇଟା ମୋଟେ ଭଲ ରଜା ନୁହେଁ, ଡକାଇତ ରଜା । ସେଟାର ନାମ ଗଞ୍ଜେଇନାଶ, ଆହୁରି ବି ସେ ରଜାର କେତେଜଣ ସରଦାର ଅଛନ୍ତି । ପଛରେ ମୁଁ ସେମାନଙ୍କ ନାମ ଜାଣିଲି, କପ୍ତାନ ମାଲିଫିକା, ଜୁକର ହିଥା, ହଗ୍ରୀ ବୁସ୍, ମେସ୍ତର ଦିକସ୍ତ ଆହୁରି ବି ସରଦାର ଅଛନ୍ତି, ସେମାନଙ୍କ ନାମ ତ ମୁଁ ପାସୋରି ଗଲିଣି । ଫିରିଙ୍ଗୀ ପାଇକ, ତୁରକ ପାଇକ ବି ତା’ର ଢେର୍ ଅଛନ୍ତି ।”