ବାବୁ ନାକଫୋଡି ମଲ୍ଲେ ପଚାରିଲେ- “ସେ ରଜା ଜାତିରେ କ’ଣ? ସେ କ’ଣ ଫିରିଙ୍ଗୀ?”
ହଗ୍ରୁ ତଣ୍ଡେଲ- ଆଜ୍ଞା ସେମାନେ ଫାଟୁଆ ଗାଈ ଜାତି ଏଇ ଫିରିଙ୍ଗୀମାନଙ୍କ ପରି ।
ବାବୁ ନାକଫୋଡି ମଲ୍ଲେ- ସେ ରଜା କ’ଣ ଆପେ ଡକାଇତି କରିବାକୁ ଯାଏ?
ହଗ୍ରୁ ତଣ୍ଡେଲ- ଆଜ୍ଞା ନାହିଁ, ସରଦାରମାନେ ଡକାଇତି କରିବାକୁ ଯା’ନ୍ତି, ବଡ ବଡ ଡକାଇତିବେଳେ ରଜା ଆପେ ଯାଏ । ତେଣୁ ସେ ରଜାର ଜାହାଜ ଢେର୍, ଡକାଇତି କରି ବି ଢେର୍ ଜାହାଜ ଆଣିଛି । ସେହି ଅସୁର ପାଇକମାନେ ଜାହାଜ ଚଢି ଡକାଇତି କରିବାକୁ ଯା’ନ୍ତି । ହଁ, ମାତ୍ର ଗୋଟାଏ କଥା କହିବାକୁ ଭୁଲିଯାଇଛି । ଦିନେ ମୁଁ ଆମ ଭୀମା ଖଲାସୀକୁ ଦେଖିଥିଲି- ତା’ ଉପରେ ଯେମିତି ମୋର ନଜର ପଡିଛି, ଧାଇଁଆସି ସେ ମତେ କୁଣ୍ଢେଇ ପକାଇଲା । ଦୁଇଜଣଯାକ କୁଣ୍ଢିଆ କୁଣ୍ଢେଇ ହୋଇ ଡକା ପାରୁଥାଉଁ, ଗୋଟିଏ ଫିରିଙ୍ଗୀ ଧାଇଁଆସି ଆମ୍ଭମାନଙ୍କୁ ବେତରେ ବାଡେଇ ଅଲଗା କରିଦେଲା, ସେହିଦିନଠାରୁ ମୁଁ ଆଉ ତାକୁ ଦେଖି ନାହିଁ ।
ବାବୁ ରଘୁନାଥ ଦେ’ ପଚାରିଲେ- “ତାହେଲେ ତୁ ଆସିଲୁ କିପରି?”
ହଗ୍ରୁ ତଣ୍ଡେଲ- ଢାକା ବୋଲି ଗୋଟିଏ ମୁଲକ । ସେ ଦେଶରେ ଗୋଟାଏ ବଡ ଧନବନ୍ତ ଜମିଦାର ଅଛି । ରଜା ଗଞ୍ଜାଲିଶ ସନ୍ଧାନ ପାଇ ଦଶଖଣ୍ଡ ଜାହାଜରେ ଚାରି ପାଂଚଶ ପାଇକ ଧରି ସେଠାକୁ ଡକାଇତି କରିବାକୁ ବାହାରିଲା । ମୁଁ ତ ସେତେବେଳେ ଜାହାଜରେ ଜଣେ ଖଲାସୀ ଥିଲି । ଢାକାରେ ପହଁଚି ପାଇକମାନେ ଯିମିତି ଜାହାଜରୁ ଓହ୍ଲାଇଗଲେ, ସଞ୍ଜସଞ୍ଜୁଆ ମୁହଁ ଅନ୍ଧାରିଆ ହୋଇଥାଏ ମୁଁ ପଳାଇ ଆସିଲି । ଛ’ ମାସ କାଳ ଢେର୍ ଢେର୍ ଜଙ୍ଗଲ, ଢେର୍ ଢେର୍ ମୁଲକ ବୁଲି ବୁଲି ଲୋକଙ୍କୁ ପଚାରି ପଚାରି ଶେଷରେ ଏଠାକୁ ଆସିଲି ।
ବାବୁ ରାମରାମ ପାତ୍ରେ କହିଲେ- “ଆପଣମାନେ ତ ସବୁ କଥା ଶୁଣିଲେ । ଏବେ ସବୁ କଥା ପଦାରେ ପଡିଗଲାଣି । ଏତେଗୁଡାଏ ଜାହାଜ ଦରିଆରେ କୁଆଡେ ଯାଉଛି! କିଏ କେତେ ରକମ କହୁଥିଲେ, ଏଥର ସବୁ ସନ୍ଦେହ ମେଂଟିଗଲା । ଦରିଆରେ ଏପରି ବୋମ୍ବାଟିଆ ଲାଗିଲେ ଆଉ କ’ଣ ଜାହାଜାତି କାରବାର ଚଳିବ? ଏଇ ଧରନ୍ତୁ ନା- ଦେ’ବାବୁଙ୍କର ଦଶଖଣ୍ଡ ଅଛି ବୋଲି ସିନା ତାଙ୍କୁ ବାଧିକା ନାଇଁ, ଛୁଟକୁରିଆ ମହାଜନ ହୋଇଥିଲେ ତା’ର ହାଲ କ’ଣ ଯେ ହୁଅନ୍ତା?”
ବାବୁ ରଘୁନାଥ ଦେ’ କହିଲେ- “କ’ଣ କହୁଛନ୍ତି ଆପଣ, ଦଶଖଣ୍ଡ ଜାହାଜ? କାଳିକାପ୍ରସାଦ ମୋ ଅଂଟା ବସେଇ ଦେଇ ଯାଇଛି । ଅରଖ ନୂଆ ଗୋରାପ, ପୂରା ବୋଝେଇ, ଧରନ୍ତୁ ନା କେତେ ଟଙ୍କା ଗଲା?”
ବାବୁ ଚରଣ ଦାସ କହିଲେ- “ଦେ’ ଆପଣେ! ଗଲା ଅଙ୍କ ମାଘ ମାସରେ ଯେଉଁ ଗୋରାପ ଖଣ୍ଡ କାତ୍ୟାର ହୋଇଥିଲା, ଏ କ’ଣ ସେହି ଗୋରାପ? ଅର୍ଜୁନ ମହାରଣା ମିସ୍ତ୍ରି ହାତଗଢା ଭଲ ଜାହାଜ ଖଣ୍ଡେ ଉତୁରି ଥିଲା ଏକା- କ’ଣ ବୋଝେଇ ଦେଇଥିଲେ?”
ବାବୁ ରଘୁନାଥ ଦେ’ – ସତ- ସତ, ଜାହାଜ ପରି ଜାହାଜ ଥିଲା, ଚାଲି ବି ତା’ର ସିମିତିକା- ମୁହାଣ ପାର ହୋଇଗଲେ ଦିନକେ ସୂତାନୁଟି ଖେପ ମାରି ଦେଉଥିଲା । ହଁ – କ’ଣ ପଚାରିଲେ? ବୋଝେଇ ମାଲ? ତାହିରେ ଥିଲା ଛ’ହଜାର ମହଣ ଚାଉଳ, ଦି’ ହଜାର ମହଣ ଲୁହା, ଦି’ହଜାର ଟଙ୍କାର ଲୁଗା । ବତାବୀ ବନ୍ଦରରେ ଇଂରେଜ ଗହକିମାନେ ସଫା ଚାଉଳ ଚାହାନ୍ତା କରନ୍ତି । ସେତେବେଳେ ଚାଉଳ ଦର ଥିଲା ମହଣକୁ ଏଗାରଅଣା ଦି’ ପଇସା । ମୁଁ ବି ପଇସା ବଢେଇ ଦେଇ ବାରଅଣାରେ ସଫା ଧଳା ମାଲତକ କିଣି ପଠାଇଥିଲି । ଧରନ୍ତୁ କେତେ ଟଙ୍କା ଗଲା । ଘରେ ପିଲାଗୁଡାକ ବି ସେ ଜାହାଜ ଖଣ୍ଡିକୁ ବଡ ଭଲପାଉଥିଲେ । ସେହିମାନଙ୍କ କଥାରେ ମୁଁ ସେ ଜାହାଜରେ କାଠ ବଦଳରେ ଇସ୍ପାତର କପିକଳ ସବୁ ଦେଇଥିଲି । ସେମାନେ ଜାହାଜ ବାହାର ସବୁ ଚିତ୍ରକରି ରଙ୍ଗବେରଙ୍ଗ ପତାକା ମଣ୍ଡେଇଥିଲେ । ମୁଁ ଖାଲି ଗୋବିନ୍ଦା ପିଲା ବୁଦ୍ଧିରେ ପଡି ବତାବୀ ବନ୍ଦରକୁ ପଠାଇଲି, ନୋହିଲେ ବୈଶାଖପାଟଣାକୁ ପଠାଇଥାନ୍ତି ।
ବାବୁ ଚରଣ ଦାସ କହିଲେ- “ହେଲେ କ’ଣ, ଆଜିକାଲି ବତାବୀ ବନ୍ଦରରେ ଦି’ପଇସା ଅଛି ।”
ବାବୁ ପରମ ପରିଜା କହିଲେ- “ସେସବୁ କଥା ଥାଉ, ଏବେ ତ ସବୁ କଥା ହାଟରେ ପଡି ଦାଣ୍ଡରେ ଗଡିଲାଣି- ମୋ ଜାଣିବାରେ ଗୋଟାଏ ଭଲରକମ କଟକଣା ନ କରି ଜାହାଜ ଦରିଆକୁ କାଢିବା ଠିକ୍ ହେଉ ନାହିଁ ।”
ବାବୁ ରାମରାମ ପାତ୍ରେ କହିଲେ- “ଜାହାଜ ଦରିଆକୁ ନ କାଢି ଗୁଦିରେ ବାନ୍ଧି ରଖିବୁଁ? ଚୋରି ହେଉ, ଡକାଇତି ହେଉ ଜାହାଜ ଦରିଆକୁ ପଠାଇବାକୁ ହିଁ ହେବ । ମୁଁ କହୁଛି, ଉତ୍ତରପୂର୍ବ ଦାଣ୍ଡି ଛାଡିଦେଇ ଖାଲି ଦକ୍ଷିଣ ଖେପ ମାରିବା । ଏ ଦିଗକୁ ତ ସେ ବୋମ୍ବାଟିଆ ଗୁଡାକ ଆସି ନାହାଁନ୍ତି ।”
ବାବୁ ଚରଣ ଦାସ କହିଲେ- “ଉଁ-ହୁଁ, ସେକଥା ନୁହେଁ । ଦକ୍ଷିଣ ଦାଣ୍ଡିରେ ଆଜି ନାହାଁନ୍ତି, କାଲି ଆସିବାକୁ କେତେ ମଠ? ସେଗୁଡାଙ୍କର ତ ଆଉ କିଛି ବି ପାଇଟି ନାହିଁ, ଦରିଆଯାକ ବୁଲି ଖାଲି ଡକାୟତି କରୁଛନ୍ତି, ଉତ୍ତରରେ ନ ପାଇଲେ ଦକ୍ଷିଣକୁ ଧାଡିଦେବେ ।”
ବାବୁ ନବଘନ ଶ୍ୟାମସୁନ୍ଦର ରାଉତେ କହିଲେ- “ଆପଣମାନେ ତଣ୍ଡେଲ ମୁହଁରୁ ତ ଶୁଣିଲେ ସେ ଚୋରଗୁଡାକ ଫିରିଙ୍ଗୀ ଜାତି- ତେବେ ଆସ, ଫିରିଙ୍ଗୀମାନଙ୍କ ସାଙ୍ଗରେ କାରବାର ବନ୍ଦ କରିବା । ଚୋରଗୁଡାକ ତ ଏମାନଙ୍କ ଜାତିଭାଇ । କାରବାର ବନ୍ଦ ହେଲେ ଦେଶରୁ, ଦରିଆରୁ ସବୁଆଡୁ ସେମାନେ ଛାଡି ପଳାଇବେ ।”
ବାବୁ ଚରଣ ଦାସେ କହିଲେ- ନାହିଁ ନାହିଁ, ଏ କଥାଟା ତ ମୋ ମନକୁ ମୋଟେ ପାଇଲା ନାହିଁ । ତଣ୍ଡେଲ କତିରୁ ଶୁଣିଲେ ନାହିଁ, ସେ ଯେ ଗଞ୍ଜେଇନିଶା, ଛଣ ଦ୍ୱୀପରେ ଚେର ମାଡିବସିଲାଣି, ସେ କି ଆଉ ଉଠୁଛି? ଛଣ ଦ୍ୱୀପଟି ଦରିଆ ମଝିମଝି ଘାଟି ଜାଗା, ଦରିଆଯାକରେ ତା’ର ଅଧିକାର । ଆଉ ଗୋଟାଏ କଥା, ଫିରିଙ୍ଗୀମାନଙ୍କୁ ତ ତଡିଦେବେ, ତେବେ କାରବାର କରିବେ କାହା ସାଙ୍ଗରେ? ସେମାନେ ଜାତିରେ ମ୍ଳେଚ୍ଛ ସିନା- ହେଲେ ମଦ ମାଉଁସ ଖା’ନ୍ତି । ଯେତେ ଯାହାହେଲେ ବି ସେମାନେ ହେଲେ ଲକ୍ଷ୍ମୀପୁତ୍ର । ମୋଟା କାରବାର ରଗଡଝଗଡ ନାହିଁ, କଥା ପଦପଦକେ ସଉଦା । ଆହୁରି ବି ଗୋଟିଏ କଥା, ଦେଶରୁ ସେମାନଙ୍କୁ ତଡିଦେଲେ ସମସ୍ତେ ମିଳି ଦରିଆରେ ଡକାଇତି କରିବେ, ସେତେବେଳେ ଉପାୟ?”
ବାବୁ ରାମରାମ ପାତ୍ରେ କହିଲେ – “ତୁଚ୍ଛା କଥାଟାରେ ଏତେ ବକ୍ ବକ୍ କ୍ୟାଁ? ଶୁଣିଲେ ନାହିଁ, ଡକାଇତମାନେ ଫିରିଙ୍ଗୀ ନୁହନ୍ତି, ଫାଟୁଆ ଗାଈ ଜାତି ।”