ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କାଳିକାପ୍ରସାଦ ଗୋରାପ

                ବାବୁ ପରମ ପରିଜା ଟିକିଏ ଖପା ହେଲାପରି କହିଲେ- “ଆପଣମାନେ ଭିତର କଥା ସବୁ ନ ଜାଣି କ୍ୟାଁ ଏପରି କଥା କହନ୍ତି? ଆମ୍ଭଙ୍କୁ ଅସଲ କଥା ସବୁ ଠିକ୍ ଜଣା । ସେ ଫିରିଙ୍ଗୀ ଖଲାସୀମାନଙ୍କ ମୁହଁରୁ ଆମେ ତ ଢେର୍ଥର ଶୁଣିଛୁ- ଏଇ ଯେ ଦରିଆ ଦେଖୁଛ, ତା’ର ଠିକ୍ ପୂର୍ବଦିଗରେ ଆରକୂଳକୁ ଲାଗି ଗୋଟାଏ ଟାପୁ ଅଛି, ସେଇଟାର ନାମ ବିଲାଇତ । ସେଇଟା କୁଆଡେ ଢେର୍ ବାଟ । ବାଲେଶ୍ୱର ନଈମୁହାଣ କତିରୁ ଠିକ୍ ପୂର୍ବମୁହାଁ ଜାହାଜ ଛାଡିଦେଲେ ଦେଢ ବରଷରେ ଯାଇ ସେ ଦେଶରେ ଜାହାଜ ପହଁଚିବ । ଆମ ଦେଶରେ ଯେମିତିକା ଛତିଶ ପାଟକ ଅଛନ୍ତି, ସେ ଦେଶରେ ବି ଠିକ୍ ସେହିପରି ଓଲନ୍ଦାଜ, ଡିଙ୍ଗେମାର, ଇଂରେଜ, ଫରାସୀ ନାନା ଅଲଗା ଅଲଗା ଜାତି ଅଛନ୍ତି । ଦେଖୁ ନାହାଁନ୍ତି, ଏଇ ବନ୍ଦରରେ ସେମାନଙ୍କ ପରି ଅଲଗା ଅଲଗା । ଫାଟୁଆ ଗାଈମାନେ ବି ଫିରିଙ୍ଗୀ ସତ- ହଗ୍ରୁ ତଣ୍ଡେଲ ମୁହଁରୁ ଶୁଣିଲ ନାହିଁ, ସେହି ଫାଟୁଆ ଗାଈମାନେ ରବିବାର ଦିନ କିଛି ବି କାମ ପାଇଟି କରନ୍ତି ନାହିଁ, କେବଳ ଗିର୍ଜାକୁ ଯାଇ ଠାକୁର ପୂଜା କରନ୍ତି । ସେମାନଙ୍କ ପୁରୋହିତମାନେ ବି ପାଲା ଗାଆଣିଆଙ୍କ ପରି କଳାକନା ଘାଘରା ପିନ୍ଧନ୍ତି; ଦିନଟାରେ ମହମବତି ଜାଳନ୍ତି, ଆଣ୍ଠେଇକି ପାଣି ଛିଂଚନ୍ତି ।”

                ବାବୁ ରାମରାମ ପାତ୍ରେ କହିଲେ, “ସତ ପରା ହୋ । ଅଲଗା ଜାତି ନୁହଁନ୍ତି । ସେଦିନ ରାତିରେ ବସି ଫରାସୀ ସେନ୍ଥିମି ଭୋଁ ସାହେବ ଡିଙ୍ଗେମାର ବଡ ସାହେବ ଘରେ ବସି ଖାଉଥିଲା, ମୁଁ ପରା ସେସବୁ ନିଜେ ଦେଖିଛି । ନିଶ୍ଚୟ ଏକା ଜାତି । ଟୋପିମୁଣ୍ଡିଆ ଗୋଟାଏ ଜାତି ।”

ବାବୁ ରଘୁନାଥ ଦେ’ କହିଲେ, “ନାହିଁ ହୋ, ସେମାନେ ଅଲଗା ଅଲଗା ଜାତି । ଦେଖୁ ନାହଁ, ଗୋଦାମ ଘର ଗଦି- ଜାହାଜ- କାରବାର ସବୁ ଅଲଗା । ଆଉ ଖାଇବା କଥା ଯାହା କହିଲେ ବିଦେଶରେ କିଏ ବା କାହାକୁ ଦେଖୁଛି? ଆଉ ଯାହା କହ ପଛକେ, ଇଂରେଜ ଫିରିଙ୍ଗୀ ହେଲେ କ’ଣ ହେଲା, ସେମାନେ ଏମାନଙ୍କ ମଧ୍ୟରେ ଶ୍ରେଷ୍ଠ ଜାତି ବ୍ରାହ୍ମଣ ହେବେ ପରା । ଦେଖୁ ନାହାଁନ୍ତି, ସମସ୍ତେ ବନ୍ଦରରେ ବଡ ବଡ କୋଠି ବନେଇ ରହିଛନ୍ତି । ଇଂରେଜ ଏମାନଙ୍କ ଭିତରକୁ ଆସିଲେ ନାହିଁ । ବଳରାମଗଡି ମୁହାଣ କତିରେ ଉଠାଦୋକାନ ପକାଇଛନ୍ତି । ଆଉ ଏମାନଙ୍କ ଦେହ ରଙ୍ଗା, ସେମାନଙ୍କର ଦେହ ଶେତିଆ ।”

ବାବୁ ଚରଣ ଦାସେ ପଚାରିଲେ, “ହୋଇ ହୋ ଦେ’ ସାଆନ୍ତେ! ଇଂରେଜ ଫିରିଙ୍ଗୀର ଦୁଇଖଣ୍ଡ ବଡବଡ ଜାହାଜ ଗବଗାଁ ଗଦିରେ ବରଷେ ହେଲା ବନ୍ଧା ହୋଇପଡିଛି, ବିଲାଇତ ଯାଉ ନାହିଁ କ୍ୟାଁ? ସେ ଜାହାଜ ଦୁଇଖଣ୍ଡକର ନାମ କଣଟି? ହଁ-ହଁ, ଖଣ୍ଡକର ନାମ ‘ଡାହାଣୀମୁଣ୍ଡ’ ଆଉ ଖଣ୍ଡକର ନାମ ‘ନାଳୀ’ ।”

ବାବୁ ରଘୁନାଥ ଦେ – ହୋ-ହୋ- ସେ କଥା ଶୁଣି ନାହାନ୍ତି ଦାସେ? ବିଲାଇତରେ ଫିରିଙ୍ଗୀଗୁଡାକ ଆପଣା ଭିତରେ ବାଡିଆବାଡି ଲାଗିଛନ୍ତି । ସବୁ ଫିରିଙ୍ଗୀ ଏକପଟ ଆଉ ଇଂରେଜ ଫିରିଙ୍ଗୀ ବାଡେ । ଦରିଆରେ ଇଂରେଜ ଜାହାଜ ଦେଖିଲେ ବାଡେଇ ନେବେ । ବନ୍ଦର ଡେଇଁ ଡେଇଁ ନେବେ ।

                ଆଉ କେତେ କାଳ ଜାହାଜଖଣ୍ଡ ବନ୍ଦରରେ ପଡିରହିବ?

                ବାବୁ ରଘୁନାଥ ଦେ- ଆଉ ଜାହାଜ ଯାଉଥିଲା, ‘ଡାଆଣୀମୁଣ୍ଡ’ ଏଇଠି ଗଡିଲା ବୋଲି ଜାଣ । ମଣିଷ କାହାନ୍ତି ଯେ, ଜାହାଜ ବାହିନେବେ? କଥା କ’ଣ କି, ସବୁ ଦେଶର ଖଲାସୀଗୁଡାକ ଛୋଟ ଜାତି, ଭାରି ମଦୁଆ । ଜାହାଜ ତ ବନ୍ଧା ହୋଇପଡିଲା, ତେଣୁ ସେମାନଙ୍କ ହାତରେ କାମ ପାଇଟି କିଛି ବି ନାହିଁ, ଲଗେଇଲେ ମଦପିଆ । କଳାମରିଚ, ବାଖର, ଚାଉଳ ଦେଇ ଏକରକମ ମଦ ତିଆରି କଲେ, ତା’ପରେ ଦିନରାତି ତାକୁ ବସି ପିଇଲେ । କଳାମରିଚ ଆଉ ବାଖର ହେଲା ନିଆଁ ପରି ପରମ । ସେଗୁଡାକ ହେଲେ ଶୀତଳ ଦେଶର ଲୋକ, ସହିବ କ୍ୟାଁ? ଲମ୍ବ ଲମ୍ବ ଧଣ୍ଡ ପରି ଶୋଇଗଲେ । ଜାହାଜ ଚଳାଉଛି କିଏ?

ପରମ ପରିଜା- ସେଗୁଡାଙ୍କ ଡରରେ ତ ଇଂରେଜ ଫିରିଙ୍ଗୀ ବି ଡରିମରି ରହିଛି, ଆମ୍ଭମାନଙ୍କୁ ଆଉ କ’ଣ ରଖିବେ? ଆସନ୍ତୁ, ଆଜିକତିରୁ ଖାଲି ଇଂରେଜମାନଙ୍କ ସାଙ୍ଗରେ ବଳରାମଗଡି ଆଉ ସୂତାନୁଟି ହାଟର କାରବାର କରିବା । ସେଗୁଡାକ ସାଙ୍ଗରେ ଆଜିକତିରୁ ସବୁ କାରବାର ବନ୍ଦ ।

ବାବୁ ରଘୁନାଥ ଦେ- ଏଇ ଯେ ସୂତାନୁଟି ହାଟ କଥା କହିଲେ, ତା’ର ହାଲ ଜାଣନ୍ତି? ସେ ଜାଗା ଅଡତଦାର କତିରୁ ସବୁ ହାଲ ବୁଝିଛୁଁ । ଇଂରେଜ ଫିରିଙ୍ଗୀ ଭିତରେ ଗୋଟାଏ ସାହେବ ଅଛି, ସେ ଲୋକଟି ବଡ ଧାର୍ମିକ । ମଦ ମାଉଁସ କିଛି ବି ସେ ଖାଏ ନାହିଁ, ରୋଜ ରୋଜ ଗଙ୍ଗାସ୍ନାନ କରେ, କାଳୀଘାଟରେ ପୂଜା ଦିଏ, ସେ ଖାଲି ଯଅ ଛତୁ ଆଉ ଚଣା ଖାଏ । ଦେଶ ଭିତରେ ତା’ ନାମଡାକ ଭାରି, ତାକୁ ଯବଚଣାଖିଆ ସାହେବ ବୋଲି ସଭିଏଁ ଡାକନ୍ତି । ଏଇ ଯେ ସୂତାନୁଟି ହାଟ ଦେଖୁଛ, ଆଗେ ସେଇଟା ଭାରି ଜଙ୍ଗଲ ଥିଲା । ସେଇ ଯବଚଣାଖିଆ ସାହେବ ବଣ କାଟି ସେଠାରେ ହାଟ ବସେଇଛି । ତାହାର କାରବାର ବଡ ଠିକ୍- ରୋକ୍ଠୋକ୍ । ଦେଶ ଲୋକେ ତାକୁ ଠାକୁର ପରି ମାନନ୍ତି । ଦେଶ ଭିତରୁ ଖୁବ୍ ଦୂରଦୂରାନ୍ତରୁ ମହାଜନ ଜମିଦାରମାନେ ଆସି ସୂତାନୁଟିରେ ଘର ବନେଇଲେଣି, ଉଂଚା ଛଂଚା କୋଠାଘର ଭର୍ତ୍ତି ହୋଇଗଲାଣି । ସାହେବର ତେଲଙ୍ଗା ପାଇକମାନେ ହାଟରେ ପହରା, ଚୋର ତସ୍କର ନାମ ନାହିଁ । ଆଉ ସେ ସାହେବ କ’ଣ କରିଛି, ହାଟର ଉତ୍ତର ପଟରେ ଭାରି ଗୋଟାଏ ନାଳ ଖୋଳିଛି । ଯଦ୍ୱାରା ମରହଟ୍ଟା ପଶିପାରିବ ନାହିଁ, ଆଉ ଡର କାହାକୁ? ହାଟରେ ମାଲ ପଦାରେ ପଡିଥାଉ କେହି ଅନାଇ ଦେବାକୁ ନାହିଁ ।

ବାବୁ ଜଗବନ୍ଧୁ ମଲ୍ଲ କହିଲେ, “ତେବେ ଏତେ କଥାରେ ଲାଭ କ’ଣ? ଆସ ଆଜିଠାରୁ ଆଉ ଫିରିଙ୍ଗୀମାନଙ୍କ ସାଙ୍ଗରେ କାରବାର କରିବା ନାହିଁ- ଖାଲି ଇଂରେଜ ବଣିଆଙ୍କ ସାଙ୍ଗରେ ଲେଣ୍ଦେଣ୍ । ସବୁ ଜାହାଜ ସୂତାନୁଟି ହାଟକୁ ପଠାଇବା ।”

ମଲ୍ଲବାବୁଙ୍କ କଥା ସମସ୍ତଙ୍କ ମନକୁ ବେଶ୍ ଛୁଇଁଲା । ସମସ୍ତଙ୍କର ବି ସେହି ଏକ ରାୟ । ତା’ପରେ ହରିବୋଲ ଦେଇ ସଭା ଭାଙ୍ଗି ସମସ୍ତେ ଆପଣା ଆପଣା ଘରକୁ ଗଲେ ।

ଗାଳ୍ପିକ – ଫକୀରମୋହନ ସେନାପତି


ଗପ ସାରଣୀ

ତାଲିକାଭୁକ୍ତ ଗପ