ଗୋଟିଏ ପଲ୍ଲୀ ଗାଁ ପାଖଦେଇ କୁଳୁକୁଳୁ ନାଦରେ ବହିଯାଉଥାଏ ପାହାଡି ନଈଟା । ସେଇ ନଈକୂଳରେ ଶିବମନ୍ଦିରଟିଏ । ମନ୍ଦିର ବେଢାରେ ଏକ ପ୍ରକାଣ୍ଡ କୂଅ ଓ ସୁନ୍ଦର ଫୁଲବଗିଚା ରହିଛି । ବଗିଚାରେ ନାନା ଜାତିର ଫୁଲ ଫୁଟି ପବନରେ ଦୋଳିଖେଳୁଥାଏ, ଏଥିରୁ ନାନା ପ୍ରକାର ଫୁଲ ଦ୍ବାରା ଭଗବାନ ଶିବ ମଣ୍ଡିତ ହୋଇ ବେଶ୍ ସୁନ୍ଦର ଦିଶୁଥାଏ ।
ସେହି ବଗିଚାର ଫୁଲଗଛଗୁଡିକ କ୍ରମେ କ୍ରମେ ବଡ ହେବାକୁ ଲାଗିଲା । ଗୋଟିଏ ଫୁଲଭରା ଗଛ ଖୁବ୍ ଉଚ୍ଚ ହୋଇଯିବାରୁ ମାଳି ଓ ଲୋକମାନଙ୍କୁ ଫୁଲ ତୋଳିବାରେ ଅସୁବିଧା ହେଲା । ଫଳରେ ଲୋକମାନେ ପାଖରେ ପଡିଥିବା ଏକ ବଡ ପଥରକୁ ଗଡେଇ ଗଡେଇ ଆଣି ଗଛମୂଳରେ ରଖିଦେଲେ । ଏଣିକି ସେହି ପଥର ଉପରେ ଚଢି ଅନାୟାସରେ ଫୁଲ ତୋଳି ହେଲା । ଏହି ଭଳି ପ୍ରତିଦିନ ଭକ୍ତଗଣ ପଥର ଉପରେ ଚଢି ଫୁଲ ତୋଳିବାରୁ ତାହା କ୍ରମେ କ୍ରମେ ମସୃଣ ହୋଇଗଲା ।
ଦିନେ ସେହି ଫୁଲଗଛର ଫୁଲମାନେ ପଥରକୁ କହିଲେ, “ଦେଖୁଛ ପଥର ଭାଇ ! ତୁମକୁ ପଦାଘାତ କରି ଭକ୍ତମାନେ ଆମକୁ ତୋଳି ନେଇ ଠାକୁରଙ୍କୁ ଦେଉଛନ୍ତି । ଏଥିରୁ ଅନୁମାନ କରଯେ, ଆମେ ସବୁ ଫୁଲ ଭକ୍ତ ଓ ଭଗବାନଙ୍କର କେତେ ପ୍ରିୟ? ମାତ୍ର ତୁମେ କେତେ ହୀନ, ମନରେ ବିଚାର କର?”