ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କାହାଣୀରେ ଅବୋଲକରା

ମକରାର ସମସ୍ତ କଥା ଉପଦେଷ୍ଟା ବୁଝି ସାରି ଫେଁ କିନା ହସି ଦେଇ କହିଲେ – ଠିକ୍ ଅଛି ମକରା, ତୋ କଥା ମୁଁ ମଞ୍ଜୁର୍ କଲି । ତେବେ ଆଗକୁ କାହିଁକି ମୁଁ ତୋତେ ବୋଲକରା କହିବି । ଏବେ ଠାରୁ ତୋତେ ମୁଁ ଅବୋଲକରା କହିବି । ପଥ ସାରା ଯିବା ମଧ୍ୟରେ ଯେତେ ବେଳେ ତୁ ଯେଉଁ ଠାରେ ଯାହା ଦେଖିବୁ, ତୋତେ ଯଦି ତାହା ଅଜଣା ଥିବ ତେବେ ତୁ ତାହା ମୋଠାରୁ ପଚାରି ବୁଝି ନେବୁ । ମୁଁ ସେ ବିଷୟରେ ଯାହା ଜାଣିଥିବି ତୋତେ ନିଶ୍ଚୟ ଭଲ ଭାବରେ ବୁଝେଇ ଦେବି ହେଲାତ ।

ଅବୋଲକରା ଉପଦେଷ୍ଟାଙ୍କ କଥାରେ ହୁଁ ମାରିବାରୁ ଚତୁର ବ୍ୟଙ୍ଗକାର କହିଲେ ଆଜି ତୁ ଘରକୁ ଯା, ଆସନ୍ତା କାଲି ସକାଳୁ ଶୁଭ ବେଳା ଦେଖି ବାହାରି ଆସିବୁ । ମୁଁ ଏଣେ ଘରୁ ଯିବା ନିମନ୍ତେ ଗଣ୍ଠିଲି ପତ୍ର ସବୁ ବାନ୍ଧି ଠିକ୍ କରି ଦେଉଛି ।

ତୀର୍ଥ ଯିବାକୁ ଅବୋଲକରାର ମନ ଉଚ୍ଚାଟ ହେବା କାରଣରୁ ରାତିରେ ଆଉ ତାକୁ ଠିକ୍ସେ ନିଦ ହେଲା ନାହିଁ । କିପରି ଶୀଘ୍ର ରାତି ପାହିବ । ରାତି ପାହି ସକାଳ ହେଲା, ରାତିରୁ ଶୁଭ ବେଳା ଠିକ୍ କରି ସାରି ଥିଲା ଅବୋଲକରା । ସକାଳୁ ସକାଳୁ ଅବୋଲକରା ଆସି ଉପଦେଷ୍ଟାଙ୍କ ଘରେ ହାଜର୍ ହୋଇ ଗଲା । ଚତୁର ବ୍ୟଙ୍ଗକାର ମକରାକୁ ଦେଖିବା ମାତ୍ରେ କହି ପକାଇଲେ –

ଉଠାଅ   ଗଣ୍ଠିଲି                        ବେଳ ହେଲା ଜାଣି

                                ବୋଲକରା ଶୁଭ ବେଳା ।

ଚାଇଁ ଚାଇଁ ଖରା                        ଫାଇଁ ଫାଇଁ ଆସେ

                                ସମୟ ଯେ ଗଡି ଗଲା ।

ହସ୍ତରେ ଲଣ୍ଠନ                         କାଖେ ଛତା ଧନ

                                ଆଉ ଯାହା ଆନ ଆନ ।

ଧରି ହରି ନାମ                          ଜପୁ ଥାଅ ଧନ

                                ତୀର୍ଥକୁ ହେବା ଗମନ ।

ଉପଦେଷ୍ଟାଙ୍କ ମୁଖରୁ ଏପରି ଆଦେଶ ଶୁଣିବା ମାତ୍ରେ ଅବୋଲକରାର ମନକୁ କ’ଣ ଆସିଲା କେଜାଣି, ହଠାତ୍ ନାହିଁ ବୋଲି କହି ପକାନ୍ତେ ଚତୁର ବ୍ୟଙ୍ଗକାର କହିଲେ – କିରେ ନାତି ଟୋକା, ତୋର ଏବେ ପୁଣି କ’ଣ ହେଲାକିରେ, ହଠାତ୍ ଅବୋଲକରା ହୋଇ ଗଲୁ ଯେ – ଶୁଭ ବେଳା ଜାଣି ଶୁଣି ନାସ୍ତି ବାଣୀ କରୁ ପୁଣି । ମକରା କହିଲା –

ତେମେ ଆପଣେ                       କେଡେ ବଡ ପଣେ

                                ନାଲି ଲୁଗାକୁ ଗାମୁଛା

ତୁମ ମନେ ନାହିଁ                        ମୋର କାହିଁ କାହିଁ

                                ମନ କରି ଦେଲ ପେଚା ।

ମକରାର କହିବା କଥା ଶୁଣି ଉପଦେଷ୍ଟାଙ୍କର ମନରେ ହେଜ ଆସିଲା । ଟୋକାଟା ରାତିରେ ମୋତେ ଚେତାଇ ଦେଇ ଯାଇ ଥିଲା ଯେ ତା’ର ଗାମୁଛା ଖଣ୍ଡିଏ ଦରକାର । ସଙ୍ଗେ ସଙ୍ଗେ ନିଜ ସ୍ତ୍ରୀଙ୍କୁ ଡାକି ଚତୁର ବ୍ୟଙ୍ଗକାର କହିଲେ, ସିନ୍ଧୁକ ଭିତରେ ଯେଉଁ ପାକଲା ଗାମୁଛା ଖଣ୍ଡିଏ ଅଛି, ସେହି ଖଣ୍ଡକ ବାହାର କରି ଆଣି ମକରାକୁ ଦେଇ ଦିଅନା ।

ଉପଦେଷ୍ଟାଙ୍କର କଥା ଶୁଣି ସହଧର୍ମିଣୀ ସିନ୍ଧୁକ ଭିତରୁ ପାକଲା ଗାମୁଛା ଖଣ୍ଡିକ ଆଣି ମକରା ହାତକୁ ବଢାଇ ଦିଅନ୍ତେ ଚତୁର ବ୍ୟଙ୍ଗକାର କହିଲେ –

ଉଠାଅ ଗଣ୍ଠିଲି                          ଶୁଭ ଯିବ ଚାଲି

                   ପାକଲା ଗାମୁଛା ନେଲ

ମୁଖେ ହରି ନାମ                       ଜପୁ ଥାଅ ଧନ

                    ଆଉ କିବା ଦରକାର ।

ହେ ବାଙ୍କ ବିହାରୀ                     ନମୋ ନର ହରି

                     ଜୟ ଜଗତର ନାଥ

ପାଚିଲା ଗାମୁଛା                        କାନ୍ଧରେ ହସିଲା

                     ଆଉ କିଆଁ ବିଳମ୍ବିତ ।


ଗପ ସାରଣୀ

ତାଲିକାଭୁକ୍ତ ଗପ