ଏହାପରେ ରାଜକୁମାରୀ ରାଜକୁମାରଙ୍କ ଆଡକୁ ଚାହିଁ ଏକ ସଙ୍କେତ ଦେଲେ । ମୁଣ୍ଡରେ ମାରିଥିବା ପଦ୍ମ ଫୁଲଟିକୁ ହାତରେ ଆଣି କାନରେ ଛୁଇଁଲେ । ଏହାପରେ ଦାନ୍ତରେ ଛିଣ୍ଡାଇ ପାଦତଳେ ରଖିଲେ । ଏହାପରେ ଏହାକୁ ଉଠାଇ ଆଣି ହୃଦୟ ପାଖରେ ରଖିଲେ ।
ଏହିପରି କାର୍ଯ୍ୟ କରିସାରିବା ପରେ ରାଜକୁମାରୀ ସଖୀମାନଙ୍କ ସହିତ ଚାଲିଗଲେ ।
ରାଜକୁମାରୀଙ୍କର ଏପରି କାର୍ଯ୍ୟ ଦେଖି ରାଜକୁମାର କିଛି ବୁଝିପାରିଲେ ନାହିଁ । ରାଜକୁମାରୀଙ୍କ ରୂପ ହିଁ କେବଳ ତାଙ୍କ ଆଖି ଆଗରେ ଦେଖାଯାଉଥାଏ । ଯେତେ ଚେଷ୍ଟା କଲେ ମଧ୍ୟ ଭୁଲିବାକୁ ସେ ତାଙ୍କୁ ଭୁଲି ପାରୁନଥାନ୍ତି । ଏହାପରେ ଉଦାସ ମନରେ ରାଜକୁମାର ପୁଣି ସେହି ଗଛ ମୂଳରେ ବସି ପଡିଲେ ।
କିଛି ସମୟ ପରେ ମନ୍ତ୍ରୀ ପୁଅ ରତ୍ନରାଜ ତାଙ୍କୁ ଖୋଜି ଖୋଜି ସେଠାରେ ଆସି ପହଁଚିଲେ ।
ରାଜକୁମାର ସଂଗେ ସଂଗେ ନିଜର ମନ କଥା ରତ୍ନରାଜଙ୍କ ଆଗରେ ପ୍ରକାଶ କଲେ । କିନ୍ତୁ ରାଜକୁମାରୀଙ୍କ ସଙ୍କେତ ରାଜକୁମାର ବୁଝି ପାରିନଥାନ୍ତି । ରାଜକୁମାରଙ୍କ କଥା ଶୁଣି ରତ୍ନରାଜ କହିଲେ- “ବନ୍ଧୁ ! ଏହି ପ୍ରକାର ସଙ୍କେତ ମାଧ୍ୟମରେ ସେ ତା’ର ପରିଚୟ ଦେବା ସଂଗେ ସଂଗେ ତା’ର ମନର କଥା ମଧ୍ୟ ତୁମ ନିକଟରେ ପ୍ରକାଶ କରିସାରିଛି ।”
ରତ୍ନରାଜଙ୍କ କଥା ଶୁଣି ବ୍ରଜ ମୁକୁଟ ବ୍ୟସ୍ତ ହୋଇ କହିଲେ “ବନ୍ଧୁ! ତୁମେ ଏତେ କଥା କେମିତି ଜାଣିଲ? ଦୟା କରି ମୋତେ ସବୁକଥା ଖୋଲି କୁହ?”
ରତ୍ନରାଜ କହିଲେ- “ଶୁଣ ବନ୍ଧୁ! ପ୍ରଥମେ ସେ ତାର ଖୋସାରୁ ପଦ୍ମ ଫୁଲ ଆଣି କାନ ପାଖରେ ଛୁଆଁଇଲାର ଅର୍ଥ ହେଉଛି ସେ କର୍ଣ୍ଣାଟକ ରାଜ୍ୟରେ ବାସ କରୁଅଛି । ଏହାପରେ ସେ ଫୁଲଟିକୁ ଦାନ୍ତରେ ଛିଣ୍ଡାଇ ପାଦତଳେ ରଖିବା ଅର୍ଥ ସେ ରାଜା ଦନ୍ତପାଦଙ୍କର କନ୍ୟା । ପାଦତଳେ ଏହାକୁ ମକ୍ଚି ଦେବା ଅର୍ଥ ତାର ନାମ ‘ପଦ୍ମାବତୀ’ । ଫୁଲକୁ ହୃଦୟରେ ଛୁଆଁଇବା ଅର୍ଥ ସେ ମଧ୍ୟ ତୁମକୁ ପ୍ରାଣଭରି ଭଲପାଏ ।”
ରତ୍ନରାଜଙ୍କ କଥା ଶୁଣି ବଜ୍ରମୁକୁଟଙ୍କ ଖୁସିର ସୀମା ରହିଲା ନାହିଁ । ସେ କହିଲେ-“ବନ୍ଧୁ ! ତା’ହେଲେ ଆମକୁ ତୁରନ୍ତ କର୍ଣ୍ଣାଟକ ରାଜ୍ୟର ରାଜଧାନୀରେ ପହଁଚିବାକୁ ହେବ ।”
ଏହାପରେ ଦୁଇ ବନ୍ଧୁ ଚାଲିଲେ । କିଛି ସମୟ ପରେ ସେମାନେ କର୍ଣ୍ଣାଟକ ରାଜ୍ୟର ରାଜଧାନୀରେ ଆସି ପହଁଚିଗଲେ । ସେଠାରେ ପହଁଚି ସେମାନେ ଜାଣିବାକୁ ପାଇଲେ ଯେ ଜଣେ ବୁଢୀ ମାଲ୍ୟାଣୀ ଯିଏକି ରାଜକୁମାରୀଙ୍କୁ ପିଲାଟି ଦିନରୁ ଦେଖାଶୁଣା କରିଆସୁଛନ୍ତି । ସେ ପ୍ରତିଦିନ ରାଜକୁମାରୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ତାଙ୍କ ପାଖକୁ ଯାଏ ।
ଦୁଇ ବନ୍ଧୁ ସେହି ମାଲ୍ୟାଣୀ ବୁଢୀକୁ ଖୋଜି ଖୋଜି ଯାଇ ତା’ ପାଖରେ ପହଁଚିଲେ । ତା’ର ଘର କବାଟ ଠକ୍ ଠକ୍ କରିବାରୁ ବୁଢୀ ନିଜେ ଆସି କବାଟ ଖୋଲିଲା । ସାମ୍ନାରେ ଦୁଇ ଜଣ ଯୁବକଙ୍କୁ ଦେଖି ପଚାରିଲା- “ତୁମ୍ଭେମାନେ କିଏ? ମୋ ପାଖରେ ତୁମର କ’ଣ କାମ ଅଛି?”
ଯୁବକ ଦୁଇଜଣ କହିଲେ- “ମା! ଆମେ ଦୁଇଜଣ ପଡୋଶୀ ରାଜ୍ୟରୁ ଆସିଅଛୁ । ‘ଦନ୍ତପାଦ’ ଙ୍କର ନଗରୀ ଦେଖିବାପାଇଁ ଆମର ଇଚ୍ଛା । ତେଣୁ ଆମେ ଆପଣଙ୍କ ନିକଟରେ ଦୁଇ ତିନି ଦିନ ରହିବା ପାଇଁ ଚାହୁଁଛୁ ।
ଯୁବକ ଦୁହିଁଙ୍କ କଥା ଶୁଣି ବୁଢୀଟି କହିଲା- ‘ରହିବାପାଇଁ ତ’ କେତେ ଧର୍ମଶାଳା ଅଛି । ତୁମ୍ଭେମାନେ ସେଠାରେ ନ ରହି ଏଠାରେ ରହିବାକୁ କାହିଁକି ଚାହୁଁଛ?
ମନ୍ତ୍ରୀ ପୁତ୍ର ତ’ ଚତୁର ଥିଲା । ସେ ସଂଗେ ସଂଗେ କହିଲା- “ମା! ଆମ୍ଭମାନଙ୍କର ରାଜାଙ୍କ ଘର ସହିତ ସମ୍ବନ୍ଧ ଅଛି । ଆମ ପାଖରେ ମଧ୍ୟ କୌଣସି ଜିନିଷର ଅଭାବ ନାହିଁ । ଯେ କୌଣସି ସାର୍ବଜନୀନ ସ୍ଥାନରେ ରହିବା ଆମକୁ ଶୋଭା ଦେବ ନାହିଁ ।”
ମନ୍ତ୍ରୀ ପୁତ୍ରର କଥା ଶୁଣି ମାଲ୍ୟାଣୀ ବୁଢୀଟି କହିଲା- ଯଦି ଏପରି କଥା, ତା’ହେଲେ ତୁମେମାନେ ମୋ ପାଖରେ ରହିଯାଅ । ମୁଁ ତ’ ଏତେ ବଡ ଘରେ ଏକାକୀ ରହୁଛି । କେହି ମଧ୍ୟ ଚାକର ବାକର ମୋର ନାହାଁନ୍ତି । ଏଥିପାଇଁ ନିଜ ନିଜର ନିତ୍ୟକର୍ମଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ତୁମକୁ ନିଜ ହାତରେ କରିବାକୁ ପଡିବ ।
ମା! ଆମ୍ଭେମାନେ ତୁମ କଥାରେ ରାଜି ।