ଏହିପରି ରାଜାପୁଅ ଓ ମନ୍ତ୍ରୀପୁଅ ବୁଢୀ ମାଲ୍ୟାଣୀ ଘରେ ରହିଲେ । ମାଲ୍ୟାଣୀ ବୁଢୀ ତ’ ଦିନକରେ ଥରେ ମାତ୍ର ରାଜକୁମାରୀଙ୍କ ପାଖକୁ ଯାଏ ।
ଦିନେ ମନ୍ତ୍ରୀପୁଅ ବୁଢୀକୁ ଖୁସି ମନରେ ରାଜକୁମାରୀ ପାଖରୁ ଫେରୁଥିବାର ଦେଖି କହିଲା- “ମା’! ଆପଣ ଆମର ଏକ କାମ କରିପାରିବେ କି?”
ବୁଢୀ କହିଲା- “କି କାମ”?
“ଆପଣ ଆମର ଏକ ସନ୍ଦେଶ ରାଜକୁମାରୀଙ୍କ ପାଖରେ ପହଁଚାଇ ପାରିବେ ।”
ମନ୍ତ୍ରୀପୁଅର କଥା ଶୁଣି ବୁଢୀ ଆଶ୍ଚର୍ଯ୍ୟ ହୋଇଗଲା । ମନ୍ତ୍ରୀପୁଅକୁ ପଚାରିଲା- ‘କି ସନ୍ଦେଶ?’
ଆପଣ ରାଜକୁମାରୀଙ୍କୁ କେବଳ ଏତିକି କହିବେ ଯେ, “ମନ୍ଦିରକୁ ପୂଜା କରିବାପାଇଁ ଯିବା ସମୟରେ ଯାହାଙ୍କୁ ଦେଖିଥିଲ ସେ ଏଠାରେ ଆସି ପହଁଚିଛନ୍ତି ।”
ବୁଢୀ କହିଲା- “ପୁଅରେ! ରାଜକୁମାରୀ ଏ କଥା ଶୁଣିବା ପରେ ଯଦି ରାଗିଯାଆନ୍ତି……..?”
“ନା ମା’ ଏମିତି କିଛି ହେବ ନାହିଁ ।”
ଏହିପରି ବୁଢୀକୁ କହିବୋଲି ମନ୍ତ୍ରୀପୁଅ ରାଜି କରାଇ ଦେଲା । ଏହାପରେ ବୁଢୀ ଚାଲିଗଲା । କିଛି ସମୟ ପରେ ଯେତେବେଳେ ଫେରିଆସିଲା ସେ ମନ ଦୁଃଖରେ ଆସୁଥିବା ପରି ଜଣାପଡୁଥିଲା । ମନ୍ତ୍ରୀପୁଅକୁ କହିଲା- “ବାପାରେ! ତୁ ତ’ କହୁଥିଲୁ କିଛି ହେବ ନାହିଁ । ମୋର ଯାହା ହେଲା ମୁଁ ଜାଣିଛି । କେଜାଣି କାଲି ରାଜା ମୋର ଅବସ୍ଥା କ’ଣ କରିବେ ।”
ବୁଢୀର କଥା ଶୁଣି ମନ୍ତ୍ରୀପୁଅ ପଚାରିଲା- “ମା! କ’ଣ ହେଲା ମୋତେ ସବୁ କଥା ଖୋଲିକରି କୁହ ।”
ବୁଢୀ କହିଲା- “ମୁଁ ଯେତେବେଳେ ଯାଇ ତୁମେ କହିଥିବା କଥା ରାଜକୁମାରୀଙ୍କୁ ଜଣାଇଲି ସେ ହାତରେ ଚନ୍ଦନ ଲଗାଇ ମୋର ଦୁଇ ଗାଲରେ ମାରିଦେଲେ ଏବଂ ମୋତେ ବାହାର କରିଦେଲେ ।”
ଏକଥା ଶୁଣି ରାଜକୁମାର ମନେ ମନେ ଖୁବ୍ ଦୁଃଖ କଲେ କିନ୍ତୁ ମନ୍ତ୍ରୀପୁଅ ସବୁ କିଛି ବୁଝିପାରି ହସି ଉଠିଲେ । ମନ୍ତ୍ରୀପୁଅର ହସିବାର ଦେଖି ରାଜକୁମାର କହିଲେ- “ତୁମେ ମୋର ଦୁଃଖ ଦେଖି ହସୁଛ”? ମନ୍ତ୍ରୀପୁଅ କହିଲା-“ବନ୍ଧୁ! ତୁମେ ବେକାରଟାରେ ଦୁଃଖି ହେଉଛ । ଆରେ ମା’ ତୁମେ ମଧ୍ୟ ଚିନ୍ତା କରନାହିଁ । ରାଜକୁମାରୀଙ୍କର ଏପରି ଆଚରଣ ମଧ୍ୟରେ କିଛି ବାର୍ତା ନିହିତ ଅଛି ।
ମନ୍ତ୍ରୀପୁଅର କଥା ଶୁଣି ରାଜକୁମାର ଓ ମାଲ୍ୟାଣୀ ବୁଢୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ । ମନ୍ତ୍ରୀପୁଅ କହିଲା-“ବନ୍ଧୁ! ରାଜକୁମାରୀ ବାର୍ତା ପଠାଇଛନ୍ତି ଯେ ପୂର୍ଣ୍ଣିମାର ପାଂଚଦିନ ପରେ ମୋ ପାଖକୁ ଖବର ଦେବ ।”
ତହିଁ ଆରଦିନ ବୁଢୀ ଡରି ଡରି ରାଜକୁମାରୀଙ୍କ ପାଖକୁ ଗଲାପରେ ରାଜକୁମାରୀ ତାଙ୍କ ପ୍ରତି ମଧୁର ବ୍ୟବହାର କଲେ । ରାଜକୁମାରୀଙ୍କର ଏପରି ବ୍ୟବହାର ଦେଖି ବୁଢୀ ବିଶ୍ୱାସ କଲା ଯେ ସତରେ ରାଜକୁମାରୀ ଏପରି ସଙ୍କେତ ମାଧ୍ୟମରେ ସନ୍ଦେଶ ପ୍ରେରଣ କରିଥିଲେ ।
ପାଂଚଦିନ ବିତିଗଲା । ଷଷ୍ଠଦିନ ଯେତେବେଳେ ବୁଢୀଟି ରାଜକୁମାରୀଙ୍କ ପାଖକୁ ଗଲା, ରାଜକୁମାରୀ ତା’ର ଗାଲ ଉପରେ ସ୍ୟାହି ହାତରେ ଲଗାଇ ଅଧା ଚାପୁଡା ମାରି ପଶ୍ଚିମ ପଟ ଦ୍ୱାର ଦେଇ ବାହାର କରିଦେଲେ ।
ବୁଢୀଠାରୁ ଏପରି କଥା ଶୁଣିବାପରେ ମନ୍ତ୍ରୀପୁଅ ସବୁ କିଛି ବୁଝିପାରି କହିଲା- “ଆଜି ଠିକ୍ ରାତି ଅଧରେ ରାଜ ମହଲର ପଶ୍ଚିମ ଦ୍ୱାର ପାଖରେ ରାଜକୁମାରୀ ତୁମର ପ୍ରତୀକ୍ଷା କରିବେ ।
ଏକଥା ଶୁଣି ରାଜକୁମାର ଖୁବ୍ ଖୁସି ହୋଇ ଉଠିଲେ । କେମିତି ରାଜକୁମାରୀଙ୍କ ସହିତ ତାଙ୍କର ସାକ୍ଷାତ ହେବ ସେ କଥା ସେ ଖାଲି ଭାବୁଥାଆନ୍ତି । ଯେମିତି ଅଧାରାତି ହୋଇଛି ରାଜକୁମାର ଯାଇ ରାଜପ୍ରାସାଦର ପଶ୍ଚିମ ଦ୍ୱାର ନିକଟରେ ପହଁଚିଲେ । ରାଜକୁମାରୀ ଯେମିତି ରାଜକୁମାରଙ୍କୁ ଦେଖିଛନ୍ତି ସଂଗେ ସଂଗେ ତାଙ୍କୁ କକ୍ଷ ଭିତରକୁ ନେଇଗଲେ ।
କିନ୍ତୁ ପରଦିନ ରାଜକୁମାର ଉଦାସ ମନରେ ଘରକୁ ଫେରିବାର ଦେଖି ମନ୍ତ୍ରୀପୁଅ ପଚାରିଲେ- ‘କ’ଣ ବନ୍ଧୁ!’ ପ୍ରେମିକା ପାଖରୁ ଫେରିବା ପରେ ତୁମେ ଖୁସି ହେବା କଥା । କିନ୍ତୁ ତୁମେ ଏତେ ଦୁଃଖି ଲାଗୁଛ କାହିଁକି? ରାଜକୁମାର କହିଲେ- “ବନ୍ଧୁ! ରାଜକୁମାରୀ ମୋତେ ପ୍ରାଣ ଭରି ଭଲ ପାଆନ୍ତି । ହେଲେ ମୋ ସହିତ ତାଙ୍କର ବିବାହ ହୋଇ ପାରିବ ନାହିଁ । କାରଣ ତାଙ୍କର ପିତା ଅନ୍ୟ ଜଣକ ସହିତ ତାଙ୍କର ବିବାହ ସ୍ଥିର କରିସାରିଛନ୍ତି ।”
“ଆଚ୍ଛା! ତା’ହେଲେ ଏଇ କଥା ।” ରତ୍ନରାଜ କିଛି ସମୟ ଚିନ୍ତା କଲେ ଏବଂ କହିଲେ- “ମୁଁ ଯାହା ହେଲେ ମଧ୍ୟ ତୁମ ସହିତ ରାଜକୁମାରୀଙ୍କର ବିବାହ ଯେକୌଣସି ମତେ କରାଇବି । ପ୍ରଥମେ ତୁମେ କୁହ ସେ ତୁମକୁ ପୁଣି କେଉଁ ଦିନ ଦେଖା କରିବାକୁ ଚାହୁଁଛନ୍ତି?”
“ଆସନ୍ତା କାଲି ।”
“ଠିକ୍ ଅଛି, କାଲି ଯିବା ସମୟରେ ମୁଁ ତୁମକୁ ଯାହା କହିବି ତୁମେ କରିବ ।”