ରାଜକୁମାରଙ୍କର ବନ୍ଧୁ ରାତି ସାରା ଏ ବିଷୟରେ ଚିନ୍ତା କରୁଥାଆନ୍ତି । ଏଣେ ଏପଟେ ରାଜକୁମାରଙ୍କ ଆଖିକୁ ମଧ୍ୟ ନିଦ ଆସୁନଥାଏ । ରାତି ପାହିଲା, ସକାଳ ହେଲା । ରାଜକୁମାରୀଙ୍କ କଥା ଅନୁସାରେ ସୂର୍ଯ୍ୟ ଅସ୍ତ ହେବାର କିଛି ସମୟ ପରେ ରାଜକୁମାର ରାଜକୁମାରୀଙ୍କୁ ସାକ୍ଷାତ କରିବାକୁ ବାହାରିଲେ । ଏହି ସମୟରେ ମନ୍ତ୍ରୀପୁଅ ହାତରେ ଏକ ତ୍ରିଶୂଳ ଧରି ଉପସ୍ଥିତ ହେଲା ଓ କହିଲା- “ବନ୍ଧୁ! ତୁମେ ରାଜକୁମାରୀ ଶୋଇଥିବା ଅବସ୍ଥାରେ ତାଙ୍କ ଜଙ୍ଘରେ ତ୍ରିଶୂଳ ଦ୍ୱାରା ଆଘାତ କରିବ । ଏହାପରେ ତାଙ୍କର ଗହଣା ସବୁ ଲୁଚାଇ ନେଇ ଆସିବ ।
ମନ୍ତ୍ରୀପୁଅର କଥାଅନୁସାରେ ରାଜକୁମାର ସବୁ କାର୍ଯ୍ୟ ଠିକ୍ ଭାବେ କଲେ । ରାଜକୁମାରୀଙ୍କ ପାଖରୁ ଫେରିବା ପରେ ମନ୍ତ୍ରୀ ପୁଅର କଥାନୁସାରେ ଦୁଇଜଣ ଯାକ ସନ୍ନ୍ୟାସୀ ବେଶ ଧାରଣ କରି ଜଙ୍ଗଲକୁ ଚାଲିଗଲେ । ଜଙ୍ଗଲରେ ଗୋଟିଏ ସ୍ଥାନରେ କୁଡିଆଟିଏ କରି ରହିଲେ । କିଛି ଦିନ ରହିବାପରେ ମନ୍ତ୍ରୀପୁଅ ରାଜକୁମାରଙ୍କୁ କହିଲା- ଏହି ଗହଣା ଗୁଡିକୁ ନେଇ ବଜାରରେ ବିକ୍ରୀ କରିଦିଅ । ମନ୍ତ୍ରୀପୁଅ ରତ୍ନରାଜର କଥା ଶୁଣି ରାଜକୁମାର କହିଲେ- “ବନ୍ଧୁ! ତୁମେ ଇଏ କି କଥା କହୁଛ? ମୁଁ ଯଦି ଏପରି କରିବି ତା’ହେଲେ ମୁଁ ତ’ ଧରାପଡିଯିବି ।”
ରତ୍ନରାଜ ହସି ହସି କହିଲେ- “ମୁଁ ତ’ ଚାହୁଁଛି ତୁମେ କେମିତି ଧରାପଡ । ତୁମେ ଧରାପଡିବାପରେ ତୁମକୁ ଯିଏ ଯାହା ପଚାରିବ ତୁମେ କହିବ ଏହି ଗହଣା ମୋତେ ମୋର ଗରୁଦେବ ଦେଇଛନ୍ତି । ତା’ପରେ ଯେତେବେଳେ ରାଜକର୍ମଚାରୀମାନେ ମୋ ପାଖକୁ ଆସିବେ ମୁଁ ତାଙ୍କୁ ଯାହା କହିବା କଥା କହିବି ।” ଏହାପରେ ରାଜକୁମାର ଗହଣାତକ ଧରି ବିକ୍ରୀ କରିବା ପାଇଁ ଚାଲିଗଲେ । ରାଜକୁମାରୀଙ୍କର ଗହଣାସବୁ ଯିଏ ତିଆରି କରେ ତା’ରି ନିକଟରେ ଯାଇ ପହଁଚିଲେ । ସେ ଜଣେ ସନ୍ନ୍ୟାସୀଙ୍କ ହାତରେ ରାଜକୁମାରୀଙ୍କ ଗହଣା ଦେଖି ସଂଗେ ସଂଗେ ରାଜାଙ୍କୁ ଜଣାଇଲେ । ରାଜାଙ୍କ ସୀପାହୀମାନେ ରାଜକୁମାରଙ୍କୁ ଗହଣା ସଂପର୍କରେ ପଚାରିବାରୁ ରାଜକୁମାରଙ୍କୁ ତାଙ୍କର ଗୁରୁଦେବ ଏସବୁ ଦେଇଥିବା କଥା କହିଲେ ।
ଏହାପରେ ସିପାହୀମାନେ ରାଜକୁମାରଙ୍କୁ ଧରି ଗୁରୁଦେବଙ୍କ ପାଖକୁ ଚାଲିଲେ । ରାଜା ମଧ୍ୟ ସାଙ୍ଗରେ ଯାଇଥାଆନ୍ତି । ରାଜା ଯେମିତି ଗହଣା ସଂପର୍କରେ ପଚାରିଲେ, ରତ୍ନରାଜ ନିର୍ଭୀକ ଭାବରେ ଉତ୍ତର ଦେଲେ- ମୁଁ ଯେଉଁଦିନ ଗହଣା ପାଇଲି ସେଦିନ ମୋ ପାଖକୁ ଏକ ବେଶ୍ୟାଟିଏ ଆସିଥିଲା । ମୁଁ ତା’ର ଜଙ୍ଘରେ ତ୍ରିଶୂଳ ମାରି ତା’ର ସମସ୍ତ ଗହଣା ତା’ ଠାରୁ ନେଇ ଆସିଥିଲି ।
ସନ୍ନ୍ୟାସୀଙ୍କର କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ସାଂଗେ ସାଂଗେ ରାଣୀଙ୍କ ପାଖକୁ ଯାଇ ସମସ୍ତ ଘଟଣା ବର୍ଣ୍ଣନା କଲେ । ରାଣୀ ରାଜକମାରୀଙ୍କ ଜଙ୍ଘ ଦେଖିଲେ ସତକୁ ସତ ରାଜକୁମାରୀଙ୍କ ଜଙ୍ଘରେ ତ୍ରିଶୂଳ ଆଘାତ କରାଯାଇଛି । ଏହାପରେ ରାଜା ରାଣୀଙ୍କର ଆଉ କିଛି ବୁଝିବାକୁ ବାକି ରହିଲା ନାହିଁ । ସେ ରାଜକୁମାରୀଙ୍କୁ ସଂଗେ ସଂଗେ ବାହାର କରିଦେଲେ । ତତ୍ ସଂଗେ ସଂଗେ ସନ୍ନ୍ୟାସୀ ଦୁଇଜଣଙ୍କୁ ମଧ୍ୟ ଛାଡିଦେଲେ । ଏହାପରେ ରାଜକୁମାର ସନ୍ନ୍ୟାସୀ ବେଶ ବଦଳାଇ ନିଜର ଅସଲ ରୂପ ଧାରଣ କରି ରାଜକୁମାରୀଙ୍କ ପାଖରେ ପହଁଚିଗଲେ ।
ରାଜକୁମାର ରାଜକୁମାରୀଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ରାଜକୁମାରୀ ମଧ୍ୟ ନିଜର ପ୍ରେମିକକୁ ପାଖରେ ପାଇ ବହୁତ ଖୁସି ହେଲେ । ରାଜକୁମାର ରାଜକୁମାରୀଙ୍କୁ ନେଇ ନିଜ ରାଜ୍ୟରେ ପହଁଚିବା ପରେ ସେମାନଙ୍କର ବିବାହ ସମ୍ପନ୍ନ ହେଲା ।
କାହାଣୀଟି କହିସାରି ବେତାଳ କହିଲା- “ରାଜକୁମାରୀଙ୍କୁ ତାଙ୍କର ମନ ପସନ୍ଦର ବର ମିଳିଗଲା । କିନ୍ତୁ ରାଜକୁମାରୀଙ୍କୁ କେଉଁଥିପାଇଁ ଦଣ୍ଡ ମିଳିଲା । ମନ୍ତ୍ରୀପୁଅର ଆରୋପ ତ’ ମିଥ୍ୟା ଥିଲା । ତା’ହେଲେ ପ୍ରକୃତରେ ଦୋଷ କାହାର? ରାଜକୁମାରଙ୍କର, ମନ୍ତ୍ରୀପୁଅର, ସିପାହୀମାନଙ୍କର, କିମ୍ବା ରାଜାଙ୍କର? ମହାରାଜ! ତୁମେ ଯଦି ଜାଣି ଶୁଣି ଏହି ପ୍ରଶ୍ନର ଉତ୍ତର ନଦିଅ ତା’ହେଲେ ତୁମର ମସ୍ତକକୁ ମୁଁ ଶରୀରରୁ ଅଲଗା କରିଦେବି ।”
ଏହାପରେ ରାଜା କହିଲେ, “ଶୁଣ ବେତାଳ! ରାଜକୁମାର ଯାହା କିଛି କଲେ ସେ ପ୍ରେମର ମୋହରେ ବାନ୍ଧି ହୋଇ କଲେ । ମନ୍ତ୍ରୀପୁତ୍ର ଯାହା କିଛି କଲେ ତାଙ୍କର ବନ୍ଧୁଙ୍କ ପାଇଁ କଲେ । ସିପାହୀମାନେ ମଧ୍ୟ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କଲେ । ତେଣୁ ସେମାନଙ୍କର କୌଣସି ଦୋଷ ନାହିଁ । କିନ୍ତୁ ହଁ, ରାଜା କୌଣସି କଥା ନବୁଝି ନସୁଝି ବିନା ଦୋଷରେ ରାଜକୁମାରୀଙ୍କୁ ରାଜ୍ୟରୁ ବାହାର କରିଦେଲେ । ତେଣୁ ଏହି କାହାଣୀରେ ରାଜା ହେଉଛନ୍ତି ଦୋଷୀ ।”
ବେତାଳ ବିକ୍ରମାଦିତ୍ୟଙ୍କର ନ୍ୟାୟପୂର୍ଣ୍ଣ କଥା ଶୁଣି ପ୍ରସନ୍ନ ହେଲା ଓ କହିଲା- “ରାଜା! ତୁମେ ଠିକ୍ କଥା କହିଛ । କିନ୍ତୁ ମୁଁ ବର୍ତ୍ତମାନ ମୋ ବାଟରେ ଯାଉଛି । ମୁଁ ତୁମକୁ ପ୍ରଥମରୁ କହିଥିଲି ଯେ ଯଦି ତୁମେ କିଛି କଥା କହିବ ମୁଁ ତୁମ ନିକଟରୁ ପଳାଇଯିବି । ମୁଁ ତା’ ହେଲେ ଯାଉଛି ବିକ୍ରମ…… ।” ଏହା କହି ବେତାଳ ରାଜାଙ୍କ କାନ୍ଧରୁ ଉପରକୁ ଉଠିଗଲେ ଓ ଉଡି ଉଡି ଯାଇ ସେହି ବୃକ୍ଷ ଡାଳରେ ସେହିପରି ଓଲଟି ରହିଲେ । ରାଜା ବିକ୍ରମ ହାତରେ ଖଣ୍ଡା ଧରି ବେତାଳ ପଛେ ପଛେ ଗୋଡାଉଥାଆନ୍ତି । ବେତାଳ ରାଜାଙ୍କୁ କହୁଥାଏ- “ମହାରାଜ! ତୁମେ ଫେରିଯାଅ । ମୋ ରାସ୍ତାରେ ମୋତେ ଛାଡିଦିଅ । କିନ୍ତୁ ରାଜା ବିକ୍ରମ ନଛୋଡ ବନ୍ଧା । ସେ ଯୋଗୀଙ୍କୁ ବଚନ ଦେଇଛନ୍ତି ମାନେ ଜୀବନ ଯାଉ ପଛେ ସେ ତାଙ୍କର ବାକ୍ୟ ରକ୍ଷା କରିବେ ।