ରାଜା ବିକ୍ରମ ବେତାଳ ପଛରେ ଗୋଡାଇ ଗୋଡାଇ ଯାଇ ପୁଣି ସେହି ବୃକ୍ଷ ନିକଟରେ ପହଁଚିଲେ । ପୁଣି ରାଜା ଶବଟିକୁ କାନ୍ଧରେ ପକାଇ ବାଟ ଚାଲିବାକୁ ଆରମ୍ଭ କଲେ । ବେତାଳ କହିଲା- “ତୁମେ ବହୁତ ଜିଦ୍ଖୋର୍ ଅଟ । ତୁମେ ପୁଣି ମୋତେ ନେବାକୁ ଆସିଗଲ । ତା’ହେଲେ ମୁଁ ତୁମକୁ ଆଉ ଏକ କାହାଣୀ ବର୍ତ୍ତମାନ ଶୁଣାଉଛି ।” ବେତାଳ ଯେମିତି କାହାଣୀ କହିବାକୁ ଆରମ୍ଭ କରିଛି ବିକ୍ରମ ଚୁପ୍ ରହିଲେ । ବେତାଳ କାହାଣୀ କହିବା ଆରମ୍ଭ କଲା ।
ଯମୁନା ନଦୀ ତଟରେ ‘ଧର୍ମସ୍ଥଳ’ ନାମକ ଏକ ନଗରୀ ଥିଲା । ସେହି ନଗରୀରେ କେଶବ ନାମକ ଜଣେ ନାଗର ବାସ କରୁଥିଲେ । ନାଗର ଜଣକ ବିଦ୍ୱାନ, ପଣ୍ଡିତ ଏବଂ ତପସ୍ୱୀ ମଧ୍ୟ ଥିଲେ । ତାଙ୍କର ପରିବାର କହିଲେ, ତାଙ୍କର ପତ୍ନୀ, ପୁତ୍ର ଏବଂ କନ୍ୟାଙ୍କୁ ବୁଝାଏ । ନାଗରଙ୍କର ପୁତ୍ର ଏବଂ କନ୍ୟା ଉଭୟେ ବିବାହ ଯୋଗ୍ୟ ହୋଇଯାଇ ଥାଆନ୍ତି । ନାଗର କିପରି ପ୍ରଥମେ କନ୍ୟାର ବିବାହ କରିବେ ସେ କଥା ଚିନ୍ତା କରୁଥାଆନ୍ତି । କନ୍ୟାର ନାମ ହେଉଛି ‘ମଧୁମାଳତୀ’ । ସେ ଯେମିତି ରୂପବତୀ ସେମିତି ଗୁଣବତୀ । ନାଗର କେଶବ, ତାଙ୍କର ପତ୍ନୀ ଏବଂ ପୁତ୍ର ସମସ୍ତେ ମଧୁମାଳତୀ ପାଇଁ ଯୋଗ୍ୟ ପାତ୍ର ଖୋଜିବାକୁ ଲାଗିଲେ ।
ଦିନେ ନାଗର କେଶବ ଜଣେ ବନ୍ଧୁର ଘରକୁ ଯାଇଥାଆନ୍ତି । ସେହି ବନ୍ଧୁଙ୍କ ଘରକୁ ଏକ ସୁନ୍ଦର, ଗୁଣବାନ ଯୁବକଟିଏ ମଧ୍ୟ ଆସିଥାଏ । କେଶବଙ୍କୁ ସେହି ଯୁବକ ଜଣକ କନ୍ୟା ପାଇଁ ଉପଯୁକ୍ତ ଲାଗିଲେ । କେଶବ ସେହି ଯୁବକର ସଂପର୍କରେ ବନ୍ଧୁଙ୍କୁ ପଚାରିଲେ । ତହିଁ ଆରଦିନ ନାଗର ତାର ପିତାଙ୍କ ନିକଟକୁ ଗଲେ । ଯୁବକର ପିତା ସହିତ କଥାବାର୍ତ୍ତା କରି ନିଜ ଝିଅର ବିବାହ ସେହି ଯୁବକ ସହିତ ଠିକ୍ କରିଦେଲେ । ଏଣେ ଏପଟେ କେଶବଙ୍କର ପତ୍ନୀ ମଧ୍ୟ ଏକ ଯୁବକ ସହିତ ଝିଅର ବିବାହ ଠିକ୍ କରିଦେଲେ ।
ଠିକ୍ ସେହିଦିନ ମଧୁମାଳତୀର ଭାଇ ମଧ୍ୟ ଏକ ଯୁବକ ସହିତ ଭଉଣୀର ବିବାହ ଠିକ୍ କରିଦେଲେ । ତା’ର ଭିଣୋଇ ଯିଏ ହେବେ ସେ ତା’ର ଜଣେ ସାଙ୍ଗ । ଏହିପରି ତିନିଜଣ ଯାକ ଝିଅର ବିଭାଘର ଠିକ୍ କରିଦେଇଥିବାରୁ ଚିନ୍ତାରୁ ମୁକ୍ତ ହୋଇ ଯାଇଥାଆନ୍ତି । ତିନିଜଣ ଯାକ ସମସ୍ତେ ଏହି ଖୁସି ଖବର ସମସ୍ତଙ୍କୁ ଜଣାଇବା ପାଇଁ ବ୍ୟସ୍ତ ହେଉଥାଆନ୍ତି । କିନ୍ତୁ କେହି କାହା କଥା ଜାଣି ନଥାନ୍ତି । ପତ୍ନୀ ଘରେ ରହି ସ୍ୱାମୀ ଓ ପୁତ୍ରଙ୍କର ଅପେକ୍ଷାରେ ରହିଲେ । ପୁତ୍ର ମଧ୍ୟ ସିଧା ଘରକୁ ଆସି ପିତାଙ୍କ ଅପେକ୍ଷାରେ ରହିଲା । ସେ ମା’ ଓ ବାପାଙ୍କୁ ଏକ ସଂଗରେ ଏହି ଖୁସି ଖବର ଶୁଣାଇବା ପାଇଁ ଚାହୁଁଥିଲା । ସନ୍ଧ୍ୟା ହେବା ବେଳକୁ ନାଗର ଆସି ଘରେ ପହଁଚିଗଲେ ।