ରାତିରେ ଯେତେବେଳେ ସମସ୍ତେ ଏକତ୍ରିତ ହେଲେ ସମସ୍ତେ ଖୁସି ଜଣାପଡୁଥାନ୍ତି, ସେମିତି ସମସ୍ତେ ଏକ ସଂଗରେ ଚିନ୍ତାରୁ ମୁକ୍ତି ହୋଇଯାଇଛନ୍ତି ।
ନାଗର ପ୍ରଥମେ କହିଲେ- “ଆଜି ମୁଁ ତୁମ୍ଭମାନଙ୍କୁ ଏକ ଖୁସି ଖବର ଶୁଣାଇବାକୁ ଯାଉଛି ।” ଏହାପରେ ପତ୍ନୀ ମଧ୍ୟ ଉତ୍ସାହିତ ହୋଇ କହି ଉଠିଲେ- “ମୁଁ ମଧ୍ୟ ଆଜି ତୁମକୁ ଏକ ସୁଖବର ଶୁଣାଇବି । ଏହାପରେ ପୁତ୍ର ବାହାରି ଆସି କହିଲା- “ମା, ବାପା ମୁଁ ମଧ୍ୟ ତୁମକୁ ଏକ ଖୁସି ଖବର ଜଣାଇବି । ଯେଉଁ କଥା ଶୁଣିଲେ ତୁମର ଚିନ୍ତା ଦୂର ହୋଇଯିବ ।” ଏହା କହି ପୁତ୍ର କହିଲା ମୋର ଏକ ସାଙ୍ଗ ସହିତ ମଧୁମାଳତୀର ବିବାହ ମୁଁ ଠିକ୍ କରିଦେଇଛି । ପୁତ୍ରର କଥାଶୁଣି ନାଗର ଚମକି ପଡି କହିଲେ- “ମୁଁ ମଧ୍ୟ ଏକ ସୁଯୋଗ୍ୟ ପାତ୍ର ସହିତ ମଧୁମାଳତୀର ବିବାହ ଆଜି ସ୍ଥିର କରିଦେଇଛି । ଏହାପରେ ନାଗରଙ୍କର ପତ୍ନୀ ମଧ୍ୟ ଅନୁରୂପ କଥା କହିଲେ । ତିନି ଜଣ ଯାକ ଗୋଟିଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । କାହାକୁ ଠିକ୍ କରିବେ ଏବଂ କାହାକୁ ପ୍ରତ୍ୟାଖ୍ୟାନ କରିବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଗଲା । ଆଶ୍ଚର୍ଯ୍ୟର କଥା ଏଇଆ ଯେ ତିନିଜଣଯାକ ଗୋଟିଏ ଦିନରେ ହିଁ ବିବାହ ସ୍ଥିର କରିଥାଆନ୍ତି ।
ଏମିତି ପରସ୍ଥିତି ହେଲା ଯେ- ବିବାହର ଦିନ ପାଖେଇ ଆସିଲା । ହେଲେ ଏମାନେ କୌଣସି ନିର୍ଣ୍ଣୟ ନେଇ ପାରିଲେ ନାହିଁ । ପରିବାରର ସମସ୍ତ ସଦସ୍ୟ ଏକ ଧର୍ମ ସଂକଟରେ ପଡିଯାଇଥାଆନ୍ତି । ନିର୍ଦ୍ଦିଷ୍ଟ ଦିନ ତିନିଜଣଯାକ ଯୁବକ ବରବେଶରେ ନିଜର ସଂପର୍କୀୟ ମାନଙ୍କ ସହିତ ଆସି ଉପସ୍ଥିତ ହୋଇଗଲେ । ତିନିଜଣ ଯାକ ମଧ୍ୟ ମଧୁମାଳତୀକୁ ବିବାହ କରିବାକୁ ଜିଦ୍ କଲେ । ମଧୁମାଳତୀର ସୌନ୍ଦର୍ଯ୍ୟ ସେମାନଙ୍କ ଜିଦ୍କୁ ବେଶୀ ବଢାଇ ଦେଲା । ଏପଟେ ମଧୁମାଳତୀ ମଧ୍ୟ ସେହି ତିନିଜଣ ଯୁବକଙ୍କ ପ୍ରତି ଆକର୍ଷିତ ଥିବା ପରି ଜଣାପଡୁଥିଲା । ତିନିଜଣ ଯାକ ବିଦ୍ୟା, ବୁଦ୍ଧି, ରୂପ, ଗୁଣରେ କେହି କାହାକୁ କମ୍ ନଥିଲେ । ମଧୁମାଳତୀ ମଧ୍ୟ କାହାକୁ ସ୍ୱାମୀ ରୂପେ ବାଛିବ ଏଥିନେଇ ଦ୍ୱନ୍ଦ୍ୱରେ ପଡୁଥାଏ ।
ଠିକ୍ ଏହି ସମୟରେ କେଉଁଠାରୁ ଏକ କଳା ସାପ ବାହାରି ଆସି ମଧୁମାଳତୀକୁ କାମୁଡି ଦେଇ ପଳାଇଲା । କାଳ ସର୍ପ କାମୁଡିବା ଦ୍ୱାରା ବିବାହ ଲାଗି ଚାଲିଥିବା ବିବାଦ ହଠାତ୍ ବନ୍ଦ ହୋଇଗଲା । କିଛି ସମୟ ପରେ ମଧୁମାଳତୀର ପ୍ରାଣବାୟୁ ଉଡିଗଲା । ତିନିଜଣ ଯାକ ଯୁବକ ଏହା ଦେଖି ଏପରି କାନ୍ଦିଲେ ଯେ ଯିଏ ଦେଖିଲା ସିଏ ଆଶ୍ଚର୍ଯ୍ୟ ହୋଇଗଲା । ଏହାପରେ ସମସ୍ତେ ମିଶି ମଧୁମାଳତୀର ଅନ୍ତିମ ସଂସ୍କାର କରିଦେଲେ ।
ସେହି ତିନିଜଣଯାକ ଯୁବକଙ୍କ ମଧ୍ୟରୁ ଜଣକର ନାମ ଥିଲା ମାଧବ । ଦ୍ୱିତୀୟ ଜଣକର ନାମ ‘ବାମନ’ ଏବଂ ତୃତୀୟ ଜଣକର ନାମ ମଧୁସୂଦନ ଥିଲା । ମାଧବ ନାମଧାରୀ ଯୁବକ ଜଣକ ମଧୁମାଳତୀର ଚିତା ଜଳି ସାରିବାପରେ ତା’ର କେତେକ ହାଡକୁ ଏକାଠି କରି ଏକ ଗଣ୍ଠିଲି ମଧ୍ୟରେ ବାନ୍ଧି ରଖିଲେ । ଏହାକୁ ନେଇ ସେ ଜଙ୍ଗଲକୁ ଚାଲିଗଲେ ଓ ତପସ୍ୟା କରିବାକୁ ଲାଗିଲେ ।
ବାମନ ନାମଧାରୀ ଯୁବକ ମଧୁମାଳତୀର ପୋଡିଯାଇଥିବା ପାଉଁଶକୁ ଏକ ଗଣ୍ଠିଲି ମଧ୍ୟରେ ଧରି ଗୋଟିଏ କୁଡିଆ ନିର୍ମାଣ କରି ରହିବାକୁ ଲାଗିଲା ।
ମଧୁସୂଦନ ମଧ୍ୟ ସନ୍ନ୍ୟାସୀ ବେଶ ଧାରଣ କରି ଅରଣ୍ୟକୁ ଯିବାକୁ ବାହାରିଲେ ।
ମଧୁସୂଦନ ଯିବା ବାଟରେ ଗୋଟିଏ ନଗରୀରେ ପହଁଚିଲେ । ନଗରୀରେ ପହଁଚିବା ପରେ ଗୋଟିଏ ତାନ୍ତ୍ରିକର ଘରେ ରହିବାକୁ ମନସ୍ଥ କଲେ । ତାନ୍ତ୍ରିକ ବିଳମ୍ବରେ ଘରକୁ ଫେରି ଭୋଜନ କରିବାକୁ ବସିବା ମାତ୍ରକେ କୌଣସି ଏକ କଥାକୁ ନେଇ ପତ୍ନୀ ସହିତ ଝଗଡା ଆରମ୍ଭ କରିଦେଲା । ସେ ଏତେ ଜୋର୍ରେ ରାଗିଯାଇଥିଲା ଯେ ନିଜ ପୁଅକୁ ଉଠାଇ ଜଳନ୍ତା ଚୂଲୀ ମୁହଁକୁ ଫୋପାଡି ଦେଲା । ପୁଅଟି ବିଚରା ଜଳି ଜଳି ମରିଗଲା । ଏହା ଦେଖି ତାର ପତ୍ନୀ କାନ୍ଦିବାକୁ ଲାଗିଲା ।