ଅତୀତର କଲେଜ ସହପାଠୀ ଯେଉଁ ଅଧ୍ୟାପକଙ୍କ ନାମରେ ଏହି ଅଭିଯୋଗ ଉଠାଇଥିଲେ, ସେ ଥିଲେ ଜଣେ ବିଶିଷ୍ଟ ଅଧ୍ୟାପକ ଯିଏ ଦୁହିଁଙ୍କୁ ଅତି ଭଲ ପାଉଥିଲେ । ମାତ୍ର ଏଭଳି ଅଭିଯୋଗ ତାଙ୍କ ନାମରେ ଶୁଣିଲାବେଳେ ଭାରତରୁ ଯାଇଥିବା ଯୁବକ ଜଣକ ମନରେ ଘୋର ଆଘାତ ଲାଗିଲା । ସେ କିନ୍ତୁ ସେତେବେଳେ ଏହା ଉପରେ କିଛି ମନ୍ତବ୍ୟ ଦେଇ ପାରିଲେ ନାହିଁ ।
ଶେଷରେ ଯୁବକ ଜଣକ ଭାରତକୁ ଫେରିଆସିଲେ । ସେ ଆଗରୁ ଯେମିତି ସେଇ ଅଧ୍ୟାପକଙ୍କୁ ଦେଖା କରିବାକୁ ଯାଆନ୍ତି ଠିକ୍ ସେହିଭଳି ଗଲେ । ସେତେବେଳେ ଅଧ୍ୟାପକ ମହାଶୟ ଘର ବାରଣ୍ଡାରେ ବସି ବହି ଖଣ୍ଡିଏ ପଢୁଥିଲେ ।
ହଠାତ୍ ଅନେକ ଦିନ ପରେ ବିଦେଶ ଫେରନ୍ତା ଛାତ୍ରଟିକୁ ଦେଖି ଅଧ୍ୟାପକ ବହିପଢା ବନ୍ଦ କରିଦେଇ ବିଦେଶ ଖବର ପଚାରି ବସିଲେ । ଏମିତି କେତେ ସମୟ କଥାବାର୍ତାରେ ଚାଲିଗଲାଣି । ଏଥର ଯୁବକ ଜଣକ ବିଦେଶରେ ରହୁଥିବା ସହପାଠୀବନ୍ଧୁ କିଭଳି ଅଧ୍ୟାପକଙ୍କର କୁତ୍ସଟନା କରୁଛନ୍ତି ତାହା ଅତି ସନ୍ତର୍ପଣରେ କହିଗଲେ । ସତେଯେମିତି କଥା ଶେଷ ହେଲା ନ ଯାଏଁ ତାଙ୍କ ମନରେ ଶାନ୍ତି ନ ଥିଲା ।
ଅଧ୍ୟାପକ ଜଣକ ସବୁ ଶୁଣି ସାରିଲା ପରେ କ’ଣ ଟିକିଏ ଭାବି କହିଲେ, “ଆରେ ସତେତ, ସିଏ ସିନା ତୀର ଛାଡିଥିଲା, ଏବେ ତୁ ସେଇ ତୀରକୁ ଆଣି ମୋ ଦେହରେ ବିନ୍ଧି ଦେଲୁ ଯେ?”
ସେହି ଯୁବକ ଜଣକ ଏବେ ଅଧ୍ୟାପକଙ୍କର ଏହିଭଳି କଥାର ମର୍ମ ଠିକ୍ ବୁଝିଗଲେ ଓ ଲଜ୍ଜିତ ହେଲେ । ସେହି ଦିନଠାରୁ ପ୍ରତିଜ୍ଞା କଲେ ଯେ, କାହାର କୁତ୍ସଟନା ମନ୍ଦ କଥା କାହାଠୁ ଶୁଣିବେ ନାହିଁ କି ଭଲେଇ ହେବା ପାଇଁ କାହା ଆଗରେ କହିବେ ନାହିଁ ।