ପ୍ରଭାକର ବିଦାୟ ନେବା ପରେ ରଘୁସିଂହଙ୍କ ବନ୍ଧୁ ତାଙ୍କୁ ପଚାରିଲେ, “କ’ଣ ଭାବୁଛ? ପାତ୍ର ପସନ୍ଦ? କଥା ପକା କରିଦେବା?”
ରଘୁସିଂହ ଝିଅଆଡେ ଅନାଇଲେ ଓ ବୁଝିଲେ ଯେ ଝିଅ ବି ପ୍ରଭାକରକୁ ପସନ୍ଦ କରିଛି । ତେବେ ସେ କହିଲେ, “ମୋତେ ଦିନଟିଏ ସମୟ ଦେବନାହିଁ?”
ବନ୍ଧୁ କହିଲେ “ହଁ, ହଁ, ତମେ ଆଗାମୀ କାଲି ସକାଳେ କହିଲେ ମଧ୍ୟ ଚଳିବ । ପ୍ରଭାକର ଆଜି ମହୁଝର ଚାଲିଯିବ । ତେବେ, ଆମେ ଯାଇ ତାକୁ ପରେ ଖବର ଦେବା ।”
ରଘୁସିଂହ କିଛି ସମୟ ପରେ ଝିଅକୁ କହିଲେ, “ଝିଅ, ମୁଁ ଟିକିଏ ହୁବୁଲି ଯାଇ ଖବର ନେଇ ଆସେ । ଦୁଇଜଣଯାକ ବର ଜଣକ ପାଇଁ ଆଉଜଣେ ହାତଛଡା ହୋଇଯିବା ଠିକ୍ ହେବ ନାହିଁ ।”
ରଘୁସିଂହ ସେଠାରୁ ବାହାରି ଯିବାର ଅଳ୍ପ ସମୟ ଉତାରୁ ଜଣେ ଅପରିଚିତ ଲୋକ ଆସି ଉଙ୍କି ମାରିଲା । ସୁପ୍ରିୟା କହିଲା, “ବୋଧହୁଏ ଆପଣ ମୋ ବାପାଙ୍କୁ ଖୋଜୁଛନ୍ତି । ହେଲେ ସେ ତ ଏବେ ଘରେ ନାହାଁନ୍ତି ।”
ଲୋକଟି କହିଲା, “ଯଦି ନାହାଁନ୍ତି, ତେବେ ମୋର ଯେଉଁ ଖବର ଦେବା କଥା ଦେଇଯାଏଁ । ଶୁଣିଲି ତୁମ ବାହାଘର ପ୍ରସ୍ତାବ ମହୁଝର ଗାଁରେ ପ୍ରଭାକର ସହ ପଡିଛି । ପ୍ରଭାକର ଦୁଇବର୍ଷ କାଳ ଚୋରି କରିବା ଅଭିଯୋଗରେ କାରାଗାରରେ ଥିଲା । ଶୁଭେଚ୍ଛୁ ଭାବରେ ମୁଁ ତୁମକୁ ଏତକ ଜଣାଇ ଦେଲି ।”
ଏମିତିକା ଖବର ହଠାତ୍ ପାଇ ସୁପ୍ରିୟା କ’ଣ କହିବ କିଛିବି ଭାବିପାରିଲା ନାହିଁ । ସେ ଲୋକଟିର ପରିଚୟ ପଚାରିବ ବୋଲି ସେ ଦ୍ୱାର ପାଖକୁ ଉଠିଗଲା । ମାତ୍ର ସେତେବେଳକୁ ସେ ଲୋକଟି ସେଠାରୁ ଚାଲିଯିବାକୁ ଉଦ୍ୟତ ହେଲା । ସୁପ୍ରିୟା ଉପରେ ଆଖି ପଡିଯିବାରୁ ସେ ଖାଲି ଥରେ ହସିଦେଲା ଓ କହିଲା, “ମୋର ଆଉ କିଛି କହିବାର ନାହିଁ ।”
ଲୋକଟି ଏହା କହି ସେଠାରୁ ଚାଲିଗଲା । ଏଣେ ସୁପ୍ରିୟାର ମୁଣ୍ଡ ବୁଲାଇଦେଲା । ସେ ବେଶ୍ ତେଜୀ ଝିଅ ଥିଲା । ପ୍ରଭାକର ବିଷୟରେ ଏହା ସତ ନା ମିଛ? ସେ ଏକଥା ନିଜେ ନିରୂପଣ କରିବାକୁ ଠିକ୍ କଲା । ମହୁଝର ତ ସେଠୁ ବେଶୀ ଦୂର ନୁହେଁ । ସେ ଘରେ ତାଲା ଦେଇ ବାହାରିଗଲା ।
ଗାଁ ବାହାରେ ନିଛାଟିଆ ସ୍ଥାନରେ ପ୍ରଭାକରର ଘର । ସେ ଯାଇ ଅକ୍ଳେଶରେ ସେଠାରେ ପହଁଚିଗଲା । ପ୍ରଭାକର ତାକୁ ଦେଖି ହସି ଘର ଭିତରକୁ ପାଛୋଟି ନେଲା ।
ସୁପ୍ରିୟା ବିନା ଭୂମିକାରେ ପ୍ରଶ୍ନ କଲା “ଆପଣ ଚୋରି ଅପରାଧରେ କାରାଗାର ଯାଇଥିଲେ?”
“ଚୋରି ଅଭିଯୋଗରେ ଯାଇଥିଲି, ଚୋରି ଅପରାଧରେ ନୁହେଁ । ବସ କହୁଛି ।” ଏତିକି କହି ପ୍ରଭାକର ଚୌକି ଦେଖାଇ ଦେଲା ଓ ସୁପ୍ରିୟା ଗମ୍ଭୀର ହୋଇ ବସି ପଡିବା ମାତ୍ରେ ପ୍ରଭାକର ସବୁ ଗପିଗଲା :
ସେ ତା’ ପିଲାବେଳଠୁଁ ବାପା ମା’ଙ୍କୁ ହରାଇଥିଲା । ଜେଜେମା ତାକୁ ପାଳିପୋଷି ବଡ କରିଥିଲେ । ଦିନେ ଗୋଟିଏ ଗାଡି ଭଡା କରି ସେ କୌଣସି ଏକ କାମରେ ସହରକୁ ଯାଉଥିଲା । ଅଧା ବାଟରେ ବୁଢୀଟିଏ ଗାଡି ଅଟକାଇ କହିଲା, “ପୁଅ, ମୋ ନାତି ସହରରେ ଥାଏ । ତା’ ପାଇଁ କିଛି ମିଠେଇ ତିଆରି କରିଥିଲି । ତା’ ଜେଜେବାପା ମିଠେଇତକ ଧରି ଆଜି ସହରକୁ ଯିବାର ଥିଲା । କିନ୍ତୁ ସେ ବେମାର ପଡି ଯାଇଛନ୍ତି । ଏ ଗାଡି ଯେମିତି ସହରରେ ପଶିବ, ସେମିତି ଗୋଟିଏ ମନ୍ଦିର ପଡିବ । ସେଇଠି ହଳଦିଆ କାମିଜ ପିନ୍ଧି ପିଲାଟାଏ ଠିଆ ହୋଇଥିବ । ତୁ ତାକୁ ଏ ଡବାଟା ଦେଇଦେବୁ । ତୋର ମଙ୍ଗଳ ହେବ ।”
ପ୍ରଭାକର ସେଥିରେ ବା କାହିଁକି ଆପତ୍ତି କରନ୍ତା? ସେ ଯାଇ ମନ୍ଦିର ପାଖରେ ଗାଡି ଅଟକାଇ ଓହ୍ଲାଇଲା । ସେ ଦେଖିଲା, କାହିଁକି କେଜାଣି, ହଳଦିଆ କାମିଜ ପିନ୍ଧିଥିବା ପିଲାଟିଏ ଦୌଡି ପଳାଉଛି! ଏଣେ ଦୁଇଜଣ ସିପାହୀ ଆସି ତାକୁ ଧରି ପକାଇ ପଚାରିଲେ, “କାହାକୁ ଖୋଜୁଛ?”
ପ୍ରଭାକର କହିଲା “ଗୋଟାଏ ପିଲା ପାଇଁ ମିଠେଇ ଆଣିଥିଲି । ତାକୁହିଁ ଖୋଜୁଛି ।”
“ଦେଖିବା କିପରି ମିଠେଇ!” ଏହା କହି ସିପାହୀମାନେ ଡବା ଖୋଲିଲେ । ଭିତରେ ଅବଶ୍ୟ ମିଠେଇ ଥିଲା । କିନ୍ତୁ ମିଠେଇ ତଳେ କେତୋଟି ସୁନା ଅଳଙ୍କାର ଥିଲା ।