ସୋମପୁର ଗାଁରେ ଜଣେ ଦୋକାନୀ ଥିଲା । ଦିନେ ସେ ଯାଇ ଗାଁର ପ୍ରଧାନଙ୍କ ପାଖରେ ଅଭିଯୋଗ କରି କହିଲା, “ଆଜ୍ଞା, କମଳା ଗଉଡୁଣୀ ମୋତେ ଠକୁଛି । ସେ ସବୁଦିନ ମୋତେ ସେରେ ଲେଖାଏଁ ମାଖନ ଦେବା କଥା । କିନ୍ତୁ ମୁଁ ଓଜନ କରି ଦେଖୁଛି, ସେ ମୋତେ ସେରକରୁ କମ୍ ଦେଉଛି ।”
ପ୍ରଧାନ ତ ସେ କମଳାକୁ ଭଲକରି ଜାଣିଥିଲେ । କମଳା କେବେବି କାହାକୁ ଠକେ ନାହିଁ । ତେଣୁ ସେ ତାକୁ ଡକାଇ ପଚାରିଲେ, “କମଳା, ତୁ ଦୋକାନୀ ବାବୁଙ୍କୁ ଯେଉଁ ମାଖନ ଦେଉ, ତୁ ତାହା କିପରି ଓଜନ କରୁ?”
ତହୁଁ କମଳା କହିଲା “ଆଜ୍ଞା, ମୁଁ ସବୁଦିନେ ଦୋକାନୀବାବୁଠୁଁ ସେରେ ଚାଉଳ କିଣେ । ସେ ଯେଉଁ ଚାଉଳ ପୁଡିଆ ଦିଅନ୍ତି, ତାକୁଇ ତରାଜୁର ଗୋଟାଏ କଡରେ ରଖି ଅନ୍ୟ କଡରେ ମାଖନ ରଖି ଓଜନ କରେ ।”
ସବୁ କଥା ଶୁଣି ପ୍ରଧାନ ଆଉ କିଛି ନକହି ଖାଲି ଦୋକାନୀ ଆଡେ ଅନାଇ ହସିଦେଲେ । ସେ ଦୋକାନୀ ଏଥିରୁ ବୁଝିଲା ଯେ ଅସଲ ଠକ କିଏ?