ପତ୍ରଟି ଉପରେ ତ ମହୁମାଛିଟି ଥାଏ । ତହୁଁ ଭାଲୁ ସେ ପତ୍ରଟିକୁ ଆଣି ଖରାରେ ଶୁଖାଇଲା । ଖରାରେ ସେ ମହୁମାଛିର ଡେଣା ଓ ଦେହ କିଛି ସମୟ ପରେ ଶୁଖିଗଲା । ତାପରେ ଖୁବ୍ ଶୀଘ୍ର ସେ ମହୁମାଛିଟି ନିଜକୁ ସୁସ୍ଥ ଅନୁଭବ କଲା । ଏଥୁଅନ୍ତେ ସେ ମହୁମାଛିଟି ଭାଲୁ ବିଲୁକୁ କୃତଜ୍ଞତା ଜଣାଇଲା । କହିଲା, ଭାଇ ଭାଲୁ, ତୁମକୁ ଅନେକ ଅନେକ ଧନ୍ୟବାଦ । କାହିଁକିନା ଆଜି ତୁମେ ମୋର ଖୁବ୍ ବଡ ଉପକାର କଲ । ତୁମେ ଯଦି ଆଜି ପୋଖରୀ ପାଣିରେ ପତ୍ର ନ ପକାଇଥାନ୍ତ ତେବେ ଆଜି ନିଶ୍ଚିତ ଭାବରେ ମୋର ମୃତ୍ୟୁ ହୋଇଥାନ୍ତା । ହଉ ଭାଲୁ ଭାଇ ମୁଁ ତୁମକୁ ଏଥର ମୋ ପରିଚୟ ଦେଉଛି । ମୋ ନାଆଁ ରାଣୀ । ରାଣୀ କେବଳ ମୋର ନାଆଁ ନୁହେଁ, ବରଂ ଏ ମହୁମାଛିମାନଙ୍କ ମଧ୍ୟରେ ବି ରାଣୀ । ଏ ପୋଖରୀ କୂଳରେ ଯେଉଁ ନିମ୍ବଗଛ ଦେଖୁଛ ଓ ସେହି ନିମ୍ବ ଗଛରେ ଯେଉଁ ଫେଣା ଦେଖୁଛ ସେ ଫେଣା ସବୁ ମୋର । ଆଉ ସେହି ଫେଣା ମଧ୍ୟରେ ଅନେକ ପତ୍ନୀ ମହୁମାଛି ବାସ କରୁଛନ୍ତି । ତେଣୁ ସେ ଫେଣା ମଧ୍ୟରେ ଅନେକ ଗୁଡିଏ କୋଠରି ବି ଅଛି । ସେଇ କୋଠରି ମଧ୍ୟରେ ମୋର ବାସସ୍ଥଳୀ । ଏବେ ତ ମୋ ପରିଚୟ ଠିକ୍ ଜାଣିଲ । ଏଥର ତୁମ ପରିଚୟ ଦିଅ ।
ଏପରି କଥା ଶୁଣି ସେ ଭାଲୁ କହିଲା ମୋ ନାଆଁ ବିଲୁ । ମୁଁ ଆସିଥିଲି ମହୁ ଖୋଜିବା ଉଦ୍ଧେଶ୍ୟରେ । ଯାହେଉ, ଭାଇ ମୋତେ ଧନ୍ୟବାଦ ଦେଉଛ କାହିଁକି ମୁଁ ତ କେବଳ ମୋ କର୍ତ୍ତବ୍ୟ ହିଁ କରିଛି । ଭାଲୁଠାରୁ ଏହା ଶୁଣି ସେ ରାଣୀ ମହୁମାଛିଟି ଅତ୍ୟନ୍ତ ଆନନ୍ଦିତ ହେଲା ଓ କହିଲା ହଉ ଭାଲୁ ଭାଇ, ମୁଁ ତୁମ କର୍ତ୍ତବ୍ୟରେ ଅତ୍ୟନ୍ତ ପ୍ରୀତ । ତେଣୁ କରି ତୁମେ ଏଇଠାରେ ଅପେକ୍ଷା କର, ମୁଁ ତୁମପାଇଁ କିଛି ମହୁ ଆଣୁଛି । ଏତିକି କହି ସେ ରାଣୀ ମହୁମାଛିଟି ତା’ମହୁଫେଣାକୁ ଉଡିଗଲା ।
ଏଣେ ବିଲୁ ଭାଲୁଟି ନିମ୍ବଗଛ ତଳେ ରାଣୀ ମହୁମାଛିଟିକୁ ଅପେକ୍ଷା କରି ବସିଥାଏ । ଠିକ୍ ସେହି ସମୟରେ ଆଉ ଗୋଟିଏ ଭାଲୁ ସେଇବାଟ ଦେଇ ଚାଲିଗଲା । ସେ ଭାଲୁଟିର ନାମ ଚୁଗୁଲି । ତା’ର ନାମ ଚୁଗୁଲି କି କାମ ବି ଚୁଗୁଲି । ଖୁବ୍ ବଦମାସ ସେ ଭାଲୁ, ଭାରି ଅହଙ୍କାରୀ ମଧ୍ୟ । ତା’ ଜୀବନରେ ସେ କେବେବି କାହାରି ଉପକାର କରି ନାହିଁ ।