ଏଥର ସେ ହରିହରର ମନଦୁଃଖ କଥା କହିଲେ ନ ସରେ । ସେ ପଛକୁ ଫେରି ଚାହିଁଲା । ତାକୁ ସାହାଯ୍ୟ କରିଥିବା ଭୂତ ଆଉ ସେଠାରେ ନଥିଲା । ତେଣୁ ସେ ହତାଶ ହୋଇ ତା’ ଘରକୁ ଫେରିଲା ।
ପରଦିନ ସେ କାମକୁ ଗଲା ନାହିଁ । ପୁଣି କେମିତି ରାତି ହେବ ଓ ସେ ଯାଇ ଉପକାରୀ ଭୂତଟିକୁ ଭେଟିବ, ସେହି କଳ୍ପନାରେ ଦିନଟି ବିତିଲା ।
ମଝି ରାତିରେ ସେ ଯାଇ ଭଙ୍ଗା ଦେଉଳ ପାଖରେ ପହଁଚିବା ବେଳକୁ ଦେଖିଲା ଭୂତଟି ଝୁଲୁଛି । ସେ ଗତ ରାତିରେ ତାକୁ ଅନ୍ୟ ଦୁଇ ଭୁତ କିପରି ହଇରାଣ କଲେ ସେକଥା ଗପିଲା ।
ସବୁ ଶୁଣି ଭୂତ କହିଲା “ଠିକ୍ ଅଛି । ମୁଁ ଆଉ ଥରେ ଦେଉଛି ।” ଏହା କହି ସେ ଭୂତ ପୁଣି ଗୋଟାଏ ସୁନାଭର୍ତ୍ତି ହାଣ୍ଡି ଆଣି ଦେଲା ।
ହରିହର ଏଥର ଭିନ୍ନ ବାଟ ଦେଇ ବଣରୁ ବାହାରିବାର ଉଦ୍ୟମ କଲା । କିନ୍ତୁ ଅନ୍ୟ ଭୂତ ଦୁଇଟି ଆସି ପହଁଚିଗଲେ । ଜଣେ କହିଲା, “ଆରେ, ଇଏତ ପୁଣି କ’ଣ ସୁନାଭର୍ତ୍ତି ହାଣ୍ଡି ପାଇଗଲାଣି!”
ତା’କଥା ଶୁଣି ଅନ୍ୟଜଣକ କହିଲା, “ସୁନାହାଣ୍ଡି? ନା, ତ, ମୁଁ ତ ତା’ ହାତରେ ଗୋଟାଏ ଡଉଲ୍ ଡାଉଲ୍ ପେଚା ଛଡା ଆଉ କିଛି ବି ଦେଖୁ ନାହିଁ!”
ସଙ୍ଗେ ସଙ୍ଗେ ହରିହର ହାତରେ ଥିବା ସେ ହାଣ୍ଡି ଗୋଟାଏ ପେଚାରେ ପରିଣତ ହୋଇଗଲା । ସେ ତାକୁ ଛାଡିଦେଲା ଓ ପେଚା ସେଠାରୁ ଉଡି ପଳାଇଲା ।
ହରିହର ପୁଣି ହତାଶ ହୋଇ ଘରକୁ ଫେରିଲା । ପରଦିନ ବି ସେ କାମକୁ ଗଲା ନାହିଁ । ରାତି ହେବାରୁ ବଣ ଭିତରେ ପଶି ସେ ଉପକାରୀ ଭୂତର ସନ୍ଧାନ କଲା । ଉପକାରୀ ଭୂତ ସହ ଦେଖା ହେବା ମାତ୍ରେ ସେ ରାଗିଯାଇ ଅନ୍ୟ ଦୁଇ ଭୂତଙ୍କ ବିରୁଦ୍ଧରେ ଅଭିଯୋଗ କଲା ଓ କହିଲା, “ତମେ ମୋତେ ଖାଲି ସୁନା ଭର୍ତ୍ତି ହାଣ୍ଡି ଦେଲେ ଚଳିବ ନାହିଁ, ମୋ ସହ ଆସି ମତେ ବଣ ପାରି କରିଦେଇ ଯାଅ!”
ହରିହରର ଏଭଳି କଥାରେ ସେ ଭୂତ ପୁଣି ହସିଲା ଓ କହିଲା, “କଥା କ’ଣ କି, ମୁଁ ଯେମିତି କାହାରି ଦୁଃଖ ସହିପାରେ ନାହିଁ, ସେ ଭୂତ ଦୁଇଟି ମଧ୍ୟ ସେମିତି କାହାରି ସୁଖ ସହି ପାରନ୍ତି ନାହିଁ ।”
ଏହାପରେ ହରିହର ଅଧୈର୍ଯ୍ୟ ହୋଇ ପଚାରିଲା “ସେକଥା ତ ବୁଝୁଛି । କିନ୍ତୁ ତମେ ମୋତେ ତମ ଦାନ ସହ ବଣ ବାହାରେ ଛାଡି ଦେଇପାରିବ ନା ନାହିଁ?”
“ତା’ କେମିତି ଦେବି? ସେ ଭୂତ ଦୁଇଟି ସେମାନଙ୍କ କାମ ନ କରିପାରିଲେ ସେମାନେ ତ ଭୀଷଣ ଦୁଃଖ ପାଇବେ । ମୁଁ ସେମାନଙ୍କ ଦୁଃଖ ସହିବି ବା କିପରି?” ଭୂତଟି ଏହା କହି ହସିଲା । ତା’ ଅଟ୍ଟହାସ୍ୟରେ ଅନ୍ୟ ଦୁଇ ଭୂତ ମଧ୍ୟ ଯୋଗ ଦେଲେ । ତିନି ଅଟ୍ଟହାସ୍ୟରେ ହରିହରର କାନରେ ସତେ ଯେମିତି ଅତଡା ପଡିଗଲା । ତା’ପରେ ସେ ଦୌଡି ଦୌଡି ବଣ ଛାଡି ପଳାଇଲା । ଘରକୁ ଯାଇ ସତକୁ ସତ ସେ କାନ୍ଦି ପକାଇଲା । ତିନିଦିନର ଆୟ ସେ ହରାଇଛି । ଏତେବେଳକୁ ସେ ବୁଝିଲା, ସେ ଅଧାପାଗଳିଆ ଲୋକଟା କାହିଁକି ‘କିନ୍ତୁ’ ବୋଲି କହି ଚୁପ୍ ହୋଇ ଯାଉଥିଲା!