“ହଁ, ମହାରାଜ! ଏ ଦୁନିଆରେ ଆପଣଙ୍କ ଠାରୁ ମଧ୍ୟ ଜଣେ ବଡ ଧନୀ ଅଛନ୍ତି । ତାଙ୍କର ନାମ କୀର୍ତିଧ୍ୱଜ । ସେ ସମୁଦ୍ର ସେପାରି ଗୋଟିଏ ରାଜ୍ୟର ରାଜା । ମୁଁ ତାଙ୍କ ରାଜ୍ୟରେ କିଛି କାଳ ଅବସ୍ଥାନ କରି ତାଙ୍କର କାର୍ଯ୍ୟକଳାପ, ଦାନୀପଣିଆ, ତ୍ୟାଗ ସମ୍ପର୍କରେ ଅବଗତ ହୋଇଛି ।
ସେ ନିଇତି ସକାଳେ ଉଠି ନିତ୍ୟକର୍ମ ଶେଷକରି ଏକଲକ୍ଷ ସ୍ୱର୍ଣ୍ଣମୂଦ୍ରା ଦାନ କରନ୍ତି ଏବଂ ତାପରେ ଯାଇ ଅନ୍ନ ଜଳ ଗ୍ରହଣ କରିଥାଆନ୍ତି । ଏହାର ସତ୍ୟତା ଅନୁସନ୍ଧାନ କଲେ ବେଶ୍ ଜାଣିପାରିବେ । ମୁଁ ମିଥ୍ୟା କହୁଥିଲେ ଦଣ୍ଡ ଗ୍ରହଣ କରିବାକୁ ରାଜି ଅଛି” ।
ସେ ବ୍ୟକ୍ତିଙ୍କର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ମହାରାଜ୍ ତାଙ୍କୁ ତାଙ୍କର ନିର୍ଭିକତା ସ୍ପଷ୍ଟବାଦିତା ପାଇଁ ପୁରସ୍କୃତ କଲେ । ତା’ପରେ ସେ ଭାବିଲେ ଯଦି ସେ ବ୍ୟକ୍ତିଙ୍କର କଥାରେ ସତ୍ୟତା ଥାଏ ତେବେ ଥରେ ଯାଇ ସେଇ ମହାଦାନୀ କୀର୍ତିଧ୍ୱଜଙ୍କୁ ସାକ୍ଷାତ କରିବା ଆବଶ୍ୟକ । ମହାରାଜା ନିଜର ବେଶ ବଦଳାଇ ରାଜମହଲ ବାହାରକୁ ଆସିଲେ ଏବଂ ଅନୁଗତ ବେତାଳଙ୍କୁ ଡାକି ସମୁଦ୍ର ସେପାରିରେ ଥିବା କୀର୍ତିଧ୍ୱଜଙ୍କ ରାଜ୍ୟରେ ପହଁଚାଇଦେବାକୁ କହିଲେ । ବେତାଳମାନେ ତାଙ୍କର ଆଜ୍ଞା ପାଳନ କରି ତାଙ୍କୁ ନେଇ ଯଥା ଶୀଘ୍ର କୀର୍ତିଧ୍ୱଜଙ୍କ ରାଜ୍ୟରେ ପହଁଚାଇ ଦେଲେ ।
ମହାରାଜ ବିକ୍ରମାଦିତ୍ୟ ସେଠାରେ ଜଣେ ସାଧାରଣ ଲୋକଭାବରେ ରହିଲେ । ତିନି ଚାରି ଦିନ ପରେ ରାଜା କୀର୍ତିଧ୍ୱଜଙ୍କୁ ଦେଖା କରିବାକୁ ଗଲେ । ଅନୁମତି ପାଇ ରାଜାଙ୍କୁ ସାକ୍ଷାତ କରି କିଛି କାମ ଦେବାପାଇଁ ଅନୁରୋଧ କଲେ ।
“କେଉଁ କାମ କରି ପାରିବେ?” ବୋଲି ରାଜା ପ୍ରଶ୍ନ କରିବାରୁ ବିକ୍ରମାଦିତ୍ୟ କହିଲେ, “ମୁଁ ସବୁପ୍ରକାର କାମ କରିପାରିବି । ଯେଉଁ କାମ ଅନ୍ୟ କେହି କରିନପାରିବେ ମୁଁ ସେଇ କାମକୁ ସହଜରେ କରିପାରିବି ।” ତାଙ୍କ କଥା ଶୁଣି କୀର୍ତିଧ୍ୱଜ ତାଙ୍କୁ ନିଜ ମହଲର ଦ୍ୱାରପାଳ ଭାବରେ ନିଯୁକ୍ତି ଦେଲେ । ପରଦିନଠାରୁ ବିକ୍ରମାଦିତ୍ୟ ଦେଖିଲେ ଯେ କୀର୍ତିଧ୍ୱଜ ସକାଳୁ ଉଠି ସ୍ନାନ ତର୍ପଣ ସାରି ଲକ୍ଷେ ସ୍ୱର୍ଣ୍ଣମୂଦ୍ରା ଦାନ କରନ୍ତି ଏବଂ ତା’ପରେ ଅନ୍ନ ଜଳ ଗ୍ରହଣ କରନ୍ତି । ପ୍ରତିଦିନ ଦାନ ଦେବା ପାଇଁ ଲକ୍ଷେ ସ୍ୱର୍ଣ୍ଣମୂଦ୍ରା କୋଉଠୁ ଆସୁଛି ତା ଜାଣିବା ପାଇଁ ବିକ୍ରମାଦିତ୍ୟ ଖୁବ୍ ଚତୁରତାର ସହିତ ଅନୁସନ୍ଧାନ ଚଳାଇଲେ ।
ଦିନେ ସନ୍ଧ୍ୟାରେ ଦେଖିଲେ ରାଜା ଏକାକୀ ମହଲରୁ କୁଆଡେ ଚାଲିଗଲେ ଏବଂ କିଛି ସମୟ ପରେ ଲକ୍ଷେ ସ୍ୱର୍ଣ୍ଣମୂଦ୍ରା ଥିବା ଥଳିଟିଏ ଧରି ଫେରିଲେ । ପରଦିନ ସକାଳେ ଥଳିକୁ ବାଂଟିଲେ । ପୁଣି ସନ୍ଧ୍ୟାରେ ଏକା ଏକା କୁଆଡେ ବାହାରି ଗଲେ । ବିକ୍ରମାଦିତ୍ୟ ତାଙ୍କୁ ଅନୁସରଣ କଲେ ।
କୀର୍ତିଧ୍ୱଜ ସମୁଦ୍ର କୂଳରେ ଥିବା ଏକ ମନ୍ଦିରରେ ପହଁଚିଲେ । ସେଠାରେ ସେ ସ୍ନାନ କରି ଦେବୀ ମୂର୍ତୀଙ୍କୁ ପ୍ରଣାମ କଲେ ଏବଂ ତାଙ୍କ ପାଖରେ ରଖାଯାଇଥିବା ଗରମ ତେଲ କରେଇରେ ପ୍ରବେଶ କଲେ । ତାଙ୍କ ଶରୀର ପୋଡିଗଲା । କିଛି ସମୟ ପରେ ଯୋଗିନୀମାନେ ଆସି ତାଙ୍କ ପୋଡା ମାଂସ ଖାଇ ଆନନ୍ଦରେ ହସି ହସି ଚାଲିଗଲେ । ଦେବୀ ଜୀବନ୍ତ ରୂପ ଧରି ଉଭା ହେଲେ । ମୃତ୍ୟୁସଂଜୀବନୀ ସିଂଚିଲେ । କୀର୍ତିଧ୍ୱଜ ପୁଣି ବଂଚି ଉଠିଲେ । ଦେବୀ ତାଙ୍କୁ ସ୍ୱର୍ଣ୍ଣମୂଦ୍ରା ଭରା ଏକ ଥଳି ଦେଲେ । ପରଦିନ ସକାଳେ ସେଇ ମୁଦ୍ରାକୁ ରାଜା ଦାନ କଲେ । ଏ ସବୁ ଦେଖି ମହାରାଜ ବିକ୍ରମାଦିତ୍ୟ କୀର୍ତିଧ୍ୱଜଙ୍କର ଦାନୀପଣିଆର ଭିତିରି ରହସ୍ୟ ଜାଣିପାରିଲେ । ପରଦିନ ସନ୍ଧ୍ୟାରେ କୀର୍ତିଧ୍ୱଜଙ୍କୁ ଅନୁସରଣ କରି ବିକ୍ରମାଦିତ୍ୟ ପୁଣି ଯାଇ ସେଇ ସମୁଦ୍ରକୂଳସ୍ଥ ଦେବୀ ମନ୍ଦିରରେ ପହଁଚିଲେ । କୀର୍ତିଧ୍ୱଜ ଥଳିଭରା ସ୍ୱର୍ଣ୍ଣମୂଦ୍ରା ନେଇ ଚାଲିଯିବା ପରେ ବିକ୍ରମାଦିତ୍ୟ ସ୍ନାନ କଲେ । ଦେବୀଙ୍କୁ ଭକ୍ତି ସହକାରେ ପୂଜାର୍ଚ୍ଚନା କରି ଗରମ ତେଲ କରେଇକୁ କୁଦି ପଡିଲେ । ତାଙ୍କ ଶରୀର ପୋଡିଗଲା । ଯୋଗିନୀଗଣ ଆସି ମାଂସ ଖାଇ ମନଖୁସିରେ ଚାଲିଗଲେ । ଦେବୀ ସଶରୀରେ ଉଭାହୋଇ ଅମୃତ ସିଂଚନ କଲେ । ବିକ୍ରମାଦିତ୍ୟ ବଂଚି ଉଠିବାରୁ ତାଙ୍କୁ ସ୍ୱର୍ଣ୍ଣମୂଦ୍ରା ଥିବା ଗୋଟିଏ ଥଳି ଯାଚିଲେ ।
ମାତ୍ର ବିକ୍ରମାଦିତ୍ୟ ତାହା ଗ୍ରହଣ ନକରି, କହିଲେ “ମୁଁ ଆପଣଙ୍କର କୃପା ଚାହେଁ । ଏବଂ ଆଉଥରେ ଗରମ ତେଲ କରେଇରେ ପଶିଗଲେ । ଦେବୀ ତାଙ୍କୁ ବଂଚାଇ ସ୍ୱର୍ଣ୍ଣମୂଦ୍ରା ଯାଚିବାରୁ ବିକ୍ରମାଦିତ୍ୟ କହିଲେ, “ମୁଁ କେବଳ ଆପଣଙ୍କର କୃପା ଚାହେଁ” । ଦେବୀ କହିଲେ, “ତମେ କ’ଣ ଚାହଁ ସ୍ପଷ୍ଟ କରି କହ?”
ଥର ଥର କରି ବିକ୍ରମାଦିତ୍ୟ ସାତ ଥର ନିଜକୁ ଗରମ କରେଇରେ ଜଳାଇ ଚାଲିଲେ । ଶେଷଥର ଦେବୀ ତାଙ୍କୁ ବଂଚାଇ କହିଲେ, “ଆଉ ଜିଦ୍ ଧରନା ବିକ୍ରମାଦିତ୍ୟ! ମୁଁ ତମ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଅଛି । କୁହ ତମେ କ’ଣ ଚାହଁ?”
ବିକ୍ରମାଦିତ୍ୟ ବିନମ୍ରତାର ସହିତ କହିଲେ, “ଯଦି ମତେ ଦୟା କରିଛନ୍ତି ଏବଂ କିଛି ଦେବାକୁ ଚାହୁଁଛନ୍ତି ତେବେ ସେହି ଥଳିଟିକୁ ଦିଅନ୍ତୁ । ଯେଉଁଥିରୁ ପ୍ରତିଦିନ ଲକ୍ଷେ ସ୍ୱର୍ଣ୍ଣମୂଦ୍ରା ବାହାର କରି କୀର୍ତିଧ୍ୱଜଙ୍କୁ ଦେଉଥିଲେ । ମୁଁ ଆଉ କିଛି ଚାହୁଁନାହିଁ ।”
ଦେବୀ ପ୍ରସନ୍ନ ହୋଇ ବିକ୍ରମାଦିତ୍ୟଙ୍କୁ ଆଶୀର୍ବାଦ କରି ଦାନ କଲେ । ବିକ୍ରମାଦିତ୍ୟ ଥଳି ଧରିବା ମାତ୍ରେ ସମୁଦ୍ର କୂଳରୁ ସେ ମନ୍ଦିର କୁଆଡେ ଉଭାନ୍ ହୋଇଗଲା । ସେ ଦିନ ସନ୍ଧ୍ୟାରେ ସ୍ୱର୍ଣ୍ଣମୂଦ୍ରା ଆଣିବାକୁ ଯାଇ କୀର୍ତିଧ୍ୱଜ ଦେଖିଲେ ମନ୍ଦିର ନାହିଁକି ଦେବୀ ନାହାଁନ୍ତି । ସବୁ ଶୁନ୍ଶାନ୍ । ଖାଁ ଖାଁ ବାଲୁକାପ୍ରାନ୍ତର । କ’ଣ କରିବେ ପରଦିନ ସକାଳେ କିପରି ଦାନ କରିବେ? କୋଉଠୁ ଆଣିବେ ଲକ୍ଷେ ସ୍ୱର୍ଣ୍ଣମୂଦ୍ରା? ତାଙ୍କର ଦିର୍ଘ ବର୍ଷର ନିୟମ ଭାଙ୍ଗିଗଲା । କ’ଣ କରିବେ ସେ? ଏଇ ଚିନ୍ତାରେ ଅନ୍ନ ଜଳ ଛାଡି ନିଜ କକ୍ଷରେ ପଡି ରହିଲେ ।
କିଛିଦିନ ବିତି ଗଲା । କେହି ରାଜାଙ୍କର ଦର୍ଶନ ପାଇଲେ ନାହିଁ । କ୍ରମେ ତାଙ୍କର ଶରୀର ଦୁର୍ବଳ ଅବଶ ହୋଇପଡିଲା । ଏମିତି ଦୟନୀୟ ଅବସ୍ଥାରେ ବିକ୍ରମାଦିତ୍ୟ ତାଙ୍କ ପାଖରେ ପହଁଚି ସାନ୍ତ୍ୱନା ଦେଲେ । କୀର୍ତିଧ୍ୱଜଙ୍କ ଦୁଃଖ ସହି ନପାରି ସେ ଦେବୀଙ୍କଠାରୁ ପାଇଥିବା ସେହି ଅସରନ୍ତି ଭଣ୍ଡାର ରୂପକ ଥଳିଟି ତାଙ୍କୁ ଦେଇଦେଲେ ।
ମହାରାଜ ବିକ୍ରମାଦିତ୍ୟଙ୍କର ପ୍ରକୃତ ପରିଚୟ ପାଇ କୀର୍ତିଧ୍ୱଜ, “ଧନ୍ୟ ଆପଣ ଧନ୍ୟ ଆପଣଙ୍କର ଦାନୀପଣିଆ, ଆପଣଙ୍କ ତୁଳନାରେ ମୋ ଦାନ ତୁଚ୍ଛ । ଆପଣ ମହାଦାନୀ, ମହାଜ୍ଞାନୀ, ଉଦାର ପୁରୁଷଶ୍ରେଷ୍ଠ ।” କୀର୍ତିଧ୍ୱଜଙ୍କ ମହଲରେ ଆଉ କିଛି କାଳ ଅବସ୍ଥାନ କରି ମହାରାଜ ବିକ୍ରମାଦିତ୍ୟ ନିଜର ରାଜ୍ୟକୁ ଫେରି ଆସିଲେ । ଭୋଜରାଜ ଏହି କାହାଣୀ ଶୁଣି ସ୍ତବ୍ଧ ଚକିତ ହୋଇପଡିଲେ । ନିଜକୁ ଖୁବ୍ ନ୍ୟୁନ ମନେ କଲେ ।