ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୀର୍ତ୍ତିସିଂହ

                ଯୁବକ ଗମ୍ଭୀର ଭାବେ କହିଲା – “ଆପଣଙ୍କ ପ୍ରଶ୍ନର ଉତ୍ତର ପାଇବା ପୂର୍ବରୁ, ଆପଣ ପ୍ରଥମେ ମୋର ଏକ ଛୋଟ ପ୍ରଶ୍ନର ଉତ୍ତର ଦିଅନ୍ତୁ ।”

                କୀର୍ତ୍ତିସିଂହ ପଚାରିଲେ “ମୋତେ ପ୍ରଶ୍ନ କରିବାକୁ ଚାହଁ? କୁହ ତୁମର ପ୍ରଶ୍ନ କ’ଣ?”

                ଯୁବକଟି ପଚାରିଲା, “ଆକାଶର ରାଜା ଓ ରାଣୀ କିଏ?”

                ଏହି ପ୍ରଶ୍ନଟି ଶୁଣି କୀର୍ତ୍ତିସିଂହ ଚମକି ପଡିଲେ ଓ ଯୁବକକୁ ଗଭୀର ଭାବେ ନିରେଖି ଦେଖି ହସି ଦେଇ କହିଲେ, “ଶକ୍ତିସେନା” ।

                ଯୁବକର ଛଦ୍ମବେଶରେ ଥିବା ଶକ୍ତିସେନା କହିଲେ, “ଏହା ତ ମୋ’ପ୍ରଶ୍ନର ଉତ୍ତର ନୁହେଁ!”

                କୀର୍ତ୍ତିସିଂହ ହସିଲେ । ଅତୀତର ସମସ୍ତ ଘଟଣା ତାଙ୍କର ମନେ ପଡିଗଲା । ଅନେକ ବର୍ଷ ତଳେ ଥରେ ବାଳିକା ଶକ୍ତିସେନା ତା’ର ମା’ଙ୍କ ସହିତ କାର୍ତ୍ତିକ ପୂର୍ଣ୍ଣିମାରେ ରାଜନଅରକୁ ଆସିଥିଲେ । ସେଦିନ ଦୀପମାଳାରେ ରାଜନଅର ସଜା ହୋଇ ଥାଏ । ପୁଣି ଆକାଶରେ ସୁନ୍ଦର ଚନ୍ଦ୍ର ଓ ଅଗଣିତ ନକ୍ଷତ୍ର । ଚତୁର୍ଦ୍ଦିଗ ଉଜ୍ୱଳ ଚନ୍ଦ୍ରକିରଣରେ ଅତି ମନୋରମ ଦିଶୁଛି । ବାଳିକା ଶକ୍ତିସେନା କହିଲା, “ବାଃ, ଆକାଶ କେତେ ସୁନ୍ଦର! ପୃଥିବୀରେ ଏତେ ଦୀପାଳୀ ସଜା ହେଲେ ମଧ୍ୟ ଆକାଶ ତା’ଠାରୁ ସୁନ୍ଦର ଦିଶୁଛି । କୀର୍ତ୍ତିସିଂହ ତମେ ଏଠାରେ ରାଜା ନହୋଇ ଆକାଶରେ ରାଜା ହେଲେ କେତେ ଭଲ ହୁଅନ୍ତା ।”

ବାଳକ କୀର୍ତ୍ତିସିଂହ ସଙ୍ଗେସଙ୍ଗେ ଉତ୍ତର ଦେଇଥିଲେ, “ମୁଁ ଅବଶ୍ୟ ଆକାଶର ରାଜା ହେବି, ଆଉ ତୁମକୁ ରାଣୀ କରିନେବି ।” ସେମାନଙ୍କ କଥା ଶୁଣି ସେମାନଙ୍କର ଦୁଇମାତା ସେଦିନ ହସି ହସି ବେଦମ୍ ହୋଇଥିଲେ । ଏବେ କୀର୍ତ୍ତିସିଂହ ବୁଝିଗଲେ ଯେ ଶକ୍ତିସେନା ଜାଣିବାକୁ ଚାହୁଁଥିଲେ କି ବାଲ୍ୟକାଳର ସ୍ନେହ ଏବେ ସୁଧା ଅତୁଟ ରହିଛି ନା ନାହିଁ । ତେଣୁ ସେ ହସି ହସି କହିଲେ, “ଆକାଶର ରାଜା କୀର୍ତ୍ତିସିଂହ ଓ ରାଣୀ ଶକ୍ତିସେନା । ମୋର ଉତ୍ତର ତୁମକୁ ଭଲ ଲାଗିଲା ତ? ଏବେ କୁହ ତ, ତୁମେ ଏପରି ଛଦ୍ମବେଶରେ ଏକାକୀ ଏଠାକୁ କାହିଁକି ଆସିଛ?”

“ମୋତେ ସ୍ୱୟଂ ମହାରାଜ ଆପଣଙ୍କ ନିରାପତ୍ତା ପାଇଁ ପଠାଇଛନ୍ତି ।” ତା’ପରେ ସେ ସମସ୍ତ ଘଟଣା ବର୍ଣ୍ଣନା କରି କହିଲେ, “ଯୁବରାଜ, ମହାରାଜ ହଠାତ୍ କାହିଁକି ମୋ ଉପରେ ଏତେ ଆସ୍ଥାବାନ୍ ହେଲେ ମୁଁ ଜାଣେ ନାହିଁ । ନିଜର ଏତେ ସୈନ୍ୟବଳ ଥାଇ ମଧ୍ୟ, ଆପଣଙ୍କ ଉପରେ ବିପଦର ସମ୍ଭାବନା ଥିବାର ଖବର ପାଇ ମଧ୍ୟ, ସେ ଅନ୍ୟ କିଛି ବ୍ୟବସ୍ଥା ନ କରି ମୋତେ ଆପଣଙ୍କର ନିରାପତ୍ତା ସକାଶେ ପଠାଇଛନ୍ତି । ଏହା ଆଶ୍ଚର୍ଯ୍ୟର କଥା ନୁହେଁକି? କିନ୍ତୁ ବର୍ତ୍ତମାନ ହାର ପାଇଁ ଆମର ତିନିଦେଶ ସହିତ ଶତୃତା; ପୁଣି ମହାରାଜ ଚାହାଁନ୍ତି, ଏହି ପିଢିରେହିଁ ଯେକୌଣସିମତେ ହାରକୁ ଉଦ୍ଧାର କରାଯିବ । ସେଥିପାଇଁ ସେ ପୁଣି ମୋତେହିଁ ସବୁ କାମ କରିଦେବାକୁ ବାଛିଛନ୍ତି । ତେଣୁ ମୂଳରାଜାଙ୍କ ସଙ୍କେତପୂର୍ଣ୍ଣ ଭାଷାରେ ଯେଉଁ ଚିଠି ଅଛି ତାହା ମଧ୍ୟ ମୁଁ ଆପଣଙ୍କ ଚରିତାର୍ଥେ ନେଇ ଆସିଛି । ମହାରାଜା କିପରି ମୋର ବୁଦ୍ଧି, ଓ ସାହସ ଉପରେ ଆସ୍ଥାବାନ୍ ହୋଇଛନ୍ତି, ତାହା ମୁଁ ମଧ୍ୟ ବୁଝିପାରୁ ନାହିଁ । ଛାଡନ୍ତୁ ସେକଥା । ଏବେ କାଳୀମନ୍ଦିରର ଚତୁଃପାର୍ଶ୍ୱରେ ଦେଖି ଚିଠିର ସାଙ୍କେତିକ ଭାଷକୁ ଅନୁସରଣ କରି କିପରି ସେହି ହାର ଉଦ୍ଧାର ହେବ । ଚାଲନ୍ତୁ ଆଉ କାଳବିଳମ୍ବ କରନ୍ତୁ ନାହିଁ । ଯେଉଁ ଚିଠି ବିଷୟରେ ମୁଁ କହୁଥିଲି ଏଇଯେ ସେହି ମୂଲ୍ୟବାନ୍ ଚିଠି, ନେଇ ପଢନ୍ତୁ । ପରେ ମହାରାଜ ଦେଇଥିବା ହାର ବିଷୟରେ ଥିବା ଚିଠି ନିଜ ମଥାରେ ସ୍ପର୍ଶ କରି କୀର୍ତ୍ତିସିଂହଙ୍କୁ ସେ ଦେଲେ ।”

                କୀର୍ତ୍ତିସିଂହ କହିଲେ “ତୁମେ ମୋତେ ପତ୍ର ଦେବାକୁ ଆସୁଛ ବୋଲି ବୋଧହୁଏ କେଉଁଠୁ ଖବର ପାଇ ଏମାନେ ଏଠାକୁ ଆସିଥିଲେ ।”

                ଶକ୍ତିସେନା କହିଲେ “ମୋର ଏଠାକୁ ଆସିବା କଥା ସେମାନେ ଖବର ପାଇଥିବେ ବୋଲି ଯାହା ଭାବୁଛନ୍ତି ସେପରି ସମ୍ଭାବନା ବହୁତ କମ୍ । ମହାରାଜ ମୋତେ ପଠାଇବା ପାଇଁ ଖୁବ୍ ଶୀଘ୍ର ସ୍ଥିର କଲେ; ତେଣୁ ଆପଣଙ୍କୁ ମାରିବା ପାଇଁ ଏମାନେ ଆଗରୁ ଷଡଯନ୍ତ୍ର କରିଛନ୍ତି ।”

                କୀର୍ତ୍ତିସିଂହ କହିଲେ “ଠିକ୍ କଥା, ମୋତେ ବନ୍ଦୀ କରି ହାର ପାଇବା ପାଇଁ ସେମାନେ ଠିକ୍ କରିଥିଲେ । ଏଥିରୁ ଜଣାଗଲା ତିନିରାଜ୍ୟ ଏବେ ଏକାଠି ହୋଇ ଆମ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ଏମାନେ ନିର୍ଦ୍ଦିଷ୍ଟ ସ୍ଥାନକୁ ଫେରି ନ ଗଲେ ସେହି ଦୁଷ୍ଟମାନେ ପୁଣି ଆମର ପିଛା କରିବେ ଓ ଆମକୁ ବିପଦରେ ପକାଇବେ । ହାତରେ ସମୟ ବହୁତ କମ୍ । ଆମେ ଅଳ୍ପ ସମୟ ମଧ୍ୟରେ ଯେପରି ସବୁ କାର୍ଯ୍ୟ ଶେଷ କରି ରାଜଧାନୀକୁ ଫେରିଯିବା ।” ତା’ପରେ ପତ୍ରଟି ପଢୁପଢୁ ସେ ପଚାରିଲେ, “ପରମେଶ୍ୱରୀ କାହା ପାଖରେ ନିଜର ମଥା ନତ କରନ୍ତି?”

                ଶକ୍ତିସେନା ହସି ହସି କହିଲେ, “ଆଉ ଥରେ ପଢନ୍ତୁ । ପରମେଶ୍ୱରୀ ସ୍ତ୍ରୀ । ସ୍ତ୍ରୀ କାହା ସମ୍ମୁଖରେ ମଥା ନତ କରନ୍ତି? ନିଜ ପତି ପରମେଶ୍ୱରଙ୍କ ନିକଟରେ ।”

                କୀର୍ତ୍ତିସିଂହ କହିଲେ “ତୁମେ ଠିକ୍ କହିଛ । ପରମେଶ୍ୱରଙ୍କ ନିବାସ ସ୍ଥଳ ତ ଉତ୍ତର ଦିଗରେ । ମନୁଷ୍ୟର ଜୀବନଧାର ହେଲା ଆହାର – ଆଉ ଏହି ଆହାର ହେଉଛି ପଂଚଭୂତରୁ ଅନ୍ୟତମ – ଭୂମି । ବାମନ ସମ୍ପୂର୍ଣ୍ଣ ଭୂମିକୁ ଏକ ପାଦରେ ମାପି ଥିଲେ । ସେ ଚାହିଁଥିଲେ ମାତ୍ର ତିନିପାଦର ଭୂମି ।”

                ଶକ୍ତିସେନା କହିଲେ “ଏପର୍ଯ୍ୟନ୍ତ ତ ଆପଣ ଠିକ୍ କହିଲେ, କିନ୍ତୁ କିପରି ଜାଣିପାରିବା କେଉଁଠି ହାର ପୋତା ହୋଇଛି?”

                କୀର୍ତ୍ତିସିଂହ କିଛି ସମୟ ଚିନ୍ତା କରି କହିଲେ, “ସବୁ କିଛି ବିଚାର କରି ଦେଖିଲେ, ମୋର ମନେହୁଏ ସେହି ହାର କାଳୀମନ୍ଦିରର ଉତ୍ତରପଟେହିଁ ପୋତା ହୋଇଛି । ଭୂମିର ତିନି ପାଦ ତଳକୁ ତାହା ରଖା ହୋଇଛି ।”

                ଏକଥା ଶୁଣି ଶକ୍ତିସେନା ପ୍ରସନ୍ନ ହେଲେ । ତା’ପରେ ସେ ଦୁଇଜଣ କାଳୀମନ୍ଦିର ଦିଗରେ ନିଜ ନିଜ ଘୋଡା ଛୁଟାଇ ଦେଲେ । କିଛି ସମୟ ପରେ ସେମାନେ ସେଠାରେ ଯାଇ ପହଁଚିଲେ । ଘୋର ଜଙ୍ଗଲରେ ଏତେ ବଡ ମନ୍ଦିର ଅଯତ୍ନରେ ପଡିଛି । ଚାରିପଟେ ବୁଦୁବୁଦିଆ ଜଙ୍ଗଲରେ ଭରା । ମନ୍ଦିର ପ୍ରାଙ୍ଗଣ ଧୂଳି ଧୂସରିତ ଓ ପୋକ ମାଙ୍କଡସାରେ ପୂର୍ଣ୍ଣ । ମନ୍ଦିରର ଏପରି ଅବସ୍ଥା ଦେଖି ସେ ଦୁହେଁ ଖୁବ୍ ଦୁଃଖିତ ହେଲେ । ଯୁବରାଜ ବୁଝିପାରିଲେ ନାହିଁ ଯେ ମା’ କାଳୀଙ୍କର ମନ୍ଦିର କାହିଁକି ଏତେ ଅବହେଳିତ ହୋଇ ପଡିଛି; ଅଥଚ ରାଜକୋଷର ଧନରେ ଅନେକ ମନ୍ଦିରର ରକ୍ଷଣାବେକ୍ଷଣ କରା ଯାଉଛି । ସେ ବିଷୟରେ ସେ ଆଉ ଅଧିକ କିଛି ନ ଭାବି ହାରର ସାଙ୍କେତିକ ଭାଷା ଉପରେ ଅଧିକ ଧ୍ୟାନ ଦେଲେ । ଶକ୍ତିସେନା ଆସିବାବେଳେ ମନ୍ଦିରର ଚାବି ନିଜ ସଙ୍ଗରେ ନେଇ ଆସିଥିଲେ । ପ୍ରଥମେ ମୁଖଶାଳା ଖୋଲି ସେ ଦୁହେଁ ଭିତରକୁ ଗଲେ । ତା’ପରେ ସେମାନେ ଭିତର ମନ୍ଦିରରେ ମହାକାଳୀଙ୍କର ମୂର୍ତ୍ତି ଦେଖିଲେ । ନାକରେ ତାଙ୍କର ହୀରାର ବସଣୀ ଜାଜୁଲ୍ୟମାନ ହୋଇ ଦିଶୁଥିଲା । ଦୁହେଁ ମହାକାଳୀଙ୍କୁ ପ୍ରଣାମ କଲେ ।

                ଯୁବରାଜ ପ୍ରାର୍ଥନା କଲେ, “ମା, ମହାଶକ୍ତି, ଯେଉଁ ବସ୍ତୁ ନ୍ୟାୟତଃ ମୋର, ତାହା ପାଇବାକୁ ଆମେ ଆସିଛୁ । ମୁଁ ଶପଥ କରୁଛି କି ଏହି ବସ୍ତୁ ଦ୍ୱାରା ଯାହା ମୁଁ ପାଇବି ତାହା ପ୍ରଥମେ ପ୍ରଜାଙ୍କର କଲ୍ୟାଣ ପାଇଁ ଖର୍ଚ୍ଚ କରିବି । ମା’ ତୁମେ ଜାଣ, ଏହି ବସ୍ତୁ ପାଇବାର ଅଧିକାର ମୋର ଅଛି ନା ନାହିଁ । ମା’ ମୁଁ ଯେପରି ସର୍ବଦା ତୁମର କରୁଣାଲାଭ କରେ । ମୁଁ ଯେପରି ସଦା ସର୍ବଦା ତୁମରି ସେବକ ହୋଇ ରହେ । ମା’ ତୁମର କରୁଣା ପ୍ରାପ୍ତ କଲେ ହାରଟି ନିଶ୍ଚୟ ମିଳିବ ଓ ତାହାର ସହାୟତାରେ ମୁଁ ଅନେକ ଲୋକହିତକର କାର୍ଯ୍ୟ କରିପାରିବି । ମା’ ତୁମେ ଆମ ମନରେ ଶକ୍ତି ଦିଅ, ଲକ୍ଷ୍ୟ ସାଧନ ପାଇଁ ଆମକୁ ଆଶୀର୍ବାଦ କର ଓ ଆମ କାର୍ଯ୍ୟ ସାଫଲ୍ୟ ମଣ୍ଡିତ ହେଉ! ଏହାହିଁ ପ୍ରାର୍ଥନା । ଆମର ପ୍ରଣାମ ସ୍ୱୀକାର କର ।”

                ତା’ପରେ ସେମାନେ ଛୋଟ ଗଛ ବୁଦାମାନଙ୍କ ମଧ୍ୟରେ ଆଗକୁ ଗଲେ । ଦେଖିଲେ ଉତ୍ତର ଦିଗରେ ଏକ ବଡ ଅଶ୍ୱତ୍ଥ ବୃକ୍ଷ । ଯୁବରାଜ କହିଲେ, “ଏହି ଗଛ ମୂଳରେ କେଉଁଠି ତାହା ପୋତା ହୋଇଛି ।”

                ଶକ୍ତିସେନା ପ୍ରଶ୍ନ କଲେ “ଆପଣ ଠିକ୍ କହୁଛନ୍ତି । କିନ୍ତୁ ନିର୍ଦ୍ଦିଷ୍ଟ ସ୍ଥାନ ଜାଣି କିପରି ଖୋଳିବା?”


ଗପ ସାରଣୀ

ତାଲିକାଭୁକ୍ତ ଗପ