ପିତାଙ୍କ କଥା ଶୁଣି ଶକ୍ତିସେନା କହିଲେ, “ମୁଁ ମଧ୍ୟ ତାହାହିଁ ଭାବୁଛି । ଏସବୁ କଥା ଗୁପ୍ତ ରଖି ମହାରାଜ ଆମ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି ।”
ଏହା ଶୁଣି ଜୟସେନ ହସିଲେ; ତା’ପରେ ସେ କହିଲେ, “ସମସ୍ୟା ତ ତୁ ଗ୍ରହଣ କଲୁ । ତୁ ମୋତେ ସାହସ ନ ଦେଇଥିଲେ ମୁଁ ତ ସେସବୁ କଥା ଭାବି ମଧ୍ୟ ପାରନ୍ତି ନାହିଁ ।” ତାଙ୍କ କଥାରେ ଶକ୍ତିସେନା ଅଳ୍ପ ହସି ଚୁପ୍ ରହିଲେ ।
ପରଦିନ ଜୟସେନ ରାଜଭବନରେ ପହଁଚି ଖବର ପାଇଲେ ଯେ ମହାରାଜ ନିଜ କକ୍ଷରେ ତାଙ୍କୁ ଅପେକ୍ଷା କରୁଛନ୍ତି । ଜୟସେନ ସେଠାରେ ପହଁଚିଲେ; ତାଙ୍କୁ ଦେଖି ରାଜା ପଚାରିଲେ, “ଜୟସେନ, ଏବେ ତୁମ ଝିଅକୁ ସେଠାକୁ ଏକେଲା ପଠାଇବା ପାଇଁ ସିଦ୍ଧାନ୍ତ ନେଇ ସାରିଛ ଟି?”
ଏପରି ପ୍ରଶ୍ନ ଶୁଣି ଜୟସେନ ଖୁବ୍ ଲଜ୍ଜିତ ହୋଇ କହିଲେ, “ଜଣେ ପିତା ଭାବରେ, ଗତକାଲି ମୁଁ ଯେପରି ବ୍ୟବହାର କଲି, ତାହା ସ୍ୱଭାବିକ । କିନ୍ତୁ ମୋ ଝିଅ ବରଂ ମୋତେ ସାହସ ଦେଲା । କଥା ତ ଆପଣ କହିଲେ ଓ ସେ ଗ୍ରହଣ କଲା । ବିଚରା ମୋର ସ୍ଥାନ ସେଠାରେ କାହିଁ? ଆସନ୍ତା ଶୁକ୍ଳ ଚତୁର୍ଦ୍ଦଶୀ ଦିନ ସେ ଯାଇ ବାଟରେ ଯୁବରାଜଙ୍କ ସହ ଦେଖା କରିବ । ଯୁବରାଜଙ୍କ ମତିଗତି ଦେଖି ସେ ଯାହା କରିବାରେ କରିବ, କିନ୍ତୁ ଆପଣ ତା’ଉପରେ ଆଶା ରଖନ୍ତୁ ନାହିଁ । ଯେତେହେଲେ ଝିଅପିଲା ପୁଣି ଅନ୍ୟରାଜ୍ୟର ଶତୃମାନେ ହାର ପାଇଁ ଟାକି ବସିଛନ୍ତି । ସେଭଳି ପରିସ୍ଥିତିରେ ସେ କ’ଣ କିପରି କରିବ, ସେକଥା ଭାବି ମୁଁ ଏବେ ମଧ୍ୟ ବ୍ୟସ୍ତ ଅଛି; ଅବଶ୍ୟ ତାହା ବାହାରେ ପ୍ରକାଶ କରୁନାହିଁ ।”
“ଜୟସେନ, ଏବେ ମୋର ଆଶା ତୁମ ଉପରେ ଓ ତୁମ ଝିଅ ଉପରେ ରହିଛି । ତୁମେ ଜାଣ ମୁଁ କାହିଁକି ଏସବୁ ପାଇଁ ଏତେ ବ୍ୟଗ୍ର । ମୋର ପୂର୍ବପୁରୁଷ ଜୟବର୍ମା ହାର ଗୁପ୍ତ ରଖିଲେ ମଧ୍ୟ ବଡ ସୁନ୍ଦର ଭାବରେ ଶାସନ ଚଳାଉଥିଲେ । ସେଥିପାଇଁ କୋଶଳ ରାଜ୍ୟ ଏବେ ପର୍ଯ୍ୟନ୍ତ ମୁଖ୍ୟ ଓ ପ୍ରତିଭାଶାଳୀ ହୋଇ ଅଛି । ବରୁଣଦତ ନିଜ ରାଜ୍ୟକୁ ବିସ୍ତାର କରିବାକୁ ଚାହୁଁଥିଲେ । କିନ୍ତୁ ସେ ମହାମୂର୍ଖ ଥିଲେ । କେବଳ ତାଙ୍କର ମୂର୍ଖାମୀ ଯୋଗୁଁ କାମ୍ବୋଜ ରାଜ୍ୟର ସମସ୍ତ ଉନ୍ନତିର ପଥ ବନ୍ଦ ହୋଇଥିଲା । ତାଙ୍କର ଶେଷସମୟକୁ କେବଳ ସେ ଜାଣିବାକୁ ପାଇଲେ ଯେ ଯେଉଁ ହାର ନର୍ତ୍ତକୀ ନେଇ ଆସିଛି ତାହା ନକଲି ହାର । ବୃଦ୍ଧରାଜା ତାକୁ କେଉଁଠି ଗୁପ୍ତ ରଖିଛନ୍ତି । ସେହି ଦିନଠାରୁ ଦୁଇ ରାଜ୍ୟ ମଧ୍ୟରେ ଶତୃତା ବଢି ଚାଲିଛି । ସୁବିଧା ପାଇବା ମାତ୍ରେ ସେହି ହାରଟିକୁ ପାଇବାକୁ ଦୁଇରାଜ୍ୟ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ଯଦି ଆମେ ଜାଣିପାରୁ ନାହୁଁ ଯେ ହାର କେଉଁଠି ଅଛି, ତେବେ ସେମାନେ କିପରି ତାହା ଜାଣି ପାରିବେ?”
ଗରୁଡଦତ ହେଉଛନ୍ତି ବର୍ତ୍ତମାନ କାମ୍ବୋଜର ରାଜା । ଆମ ଗୁପ୍ତଚରମାନେ କୁହନ୍ତି ସେ ତାଙ୍କ ପିତା, ପିତାମହମାନଙ୍କଠାରୁ ହାରପ୍ରତି ଅଧିକ ଆକର୍ଷିତ । ସେ ଦିନରାତି ସେହି ହାର କଥାହିଁ ଭାବୁଥା’ନ୍ତି; ହାର ନ ପାଇଲେ ମଧ୍ୟ ବିଚିତ୍ରବର୍ମାଙ୍କ ଚିଠିଟି ହସ୍ତଗତ କରିବା ପାଇଁ ସେ ନାନା ପ୍ରୟାସ କରୁଛନ୍ତି । ସେଥିପାଇଁ ପଠାଇଥିବା ତିନିଚାରିଜଣ ଗୁପ୍ତଚର ଏବେ ଆମର ବନ୍ଦୀ ହୋଇ ଅଛନ୍ତି । ତଦ୍ୱାରା ସେ ଭୟଭୀତ ହେଉନାହାଁନ୍ତି, କିମ୍ବା ହାର ପାଇବାର ପ୍ରଚେଷ୍ଟା ମଧ୍ୟ ଛାଡୁ ନାହାଁନ୍ତି । ସେଥିପାଇଁ ସେ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି । କି ପ୍ରକାରର ଯୋଜନା ସେ କଥା ଅବଶ୍ୟ ଜାଣି ହେଉ ନାହିଁ ।
ଏପରି ପରିସ୍ଥିତିରେ ଭଲ ହୁଅନ୍ତା, ଯଦି ଆମେ ସେ ହାରଟିକୁ ପାଇ ପାରନ୍ତେ । ତେବେ ଆମେ କାମ୍ବୋଜକୁ ଟିକିଏ ଶିକ୍ଷା ଦିଅନ୍ତେ । ଗୁରୁ କୃଷ୍ଣଚନ୍ଦ୍ର ରାଜକୁମାରଙ୍କୁ ଆଶ୍ରମରୁ ବିଦାୟ ଦେବା ପାଇଁ ଶୁଭ ମୁହୂର୍ତ୍ତ ସ୍ଥିର କରିଛନ୍ତି । ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟର ଆରମ୍ଭ ସେହି ଶୁଭଦିନରେ ହେଲେ ଉତ୍ତମ । ସେଥିପାଇଁ ଗୁରୁକୁଳରୁ ବାହାରିଥିବା କୀର୍ତ୍ତିସିଂହଙ୍କୁ ମୁଁ ପୂର୍ବପଟ ଜଙ୍ଗଲ ଦେଇ ଆସିବାକୁ କହିବି ବୋଲି ଭାବୁଛି । ତୁମ ଝିଅର ବୁଦ୍ଧି ଓ ସାହସ ଦେଖି ମୁଁ ଅତ୍ୟନ୍ତ ପ୍ରୀତ ହୋଇଛି । କୀର୍ତ୍ତିସିଂହର ବୁଦ୍ଧି ଓ ସାହସ ସହିତ ତା’ର ସହଯୋଗ ହେଲେ ଆମର କାର୍ଯ୍ୟ କୁଶଳରେ ସମ୍ପନ୍ନ ହେବ, ଏଥିରେ ତ କୌଣସି ସନ୍ଦେହ ନାହିଁ । ଏବେ ତୁମର ଆଉ ଭୟ ନାହିଁ ତ?”
ଏକଥା ଶୁଣି ଜୟସେନ ଅଳ୍ପ ହସି କହିଲେ, “ମହାରାଜ, ରାଜକୁମାର ସେହି ହାରର ଇତିହାସ ଜାଣନ୍ତି ତ?”
ରାଜା କହିଲେ “ସେ କେବଳ ଏତିକି ଜାଣେ ଯେ ପୂର୍ବପୁରୁଷଙ୍କର ସେହି ଦିବ୍ୟହାରଟି କେଉଁଠି ଗୁପ୍ତରେ ଅଛି । ତା’ଠାରୁ ଅଧିକ କିଛି ନୁହେଁ ।” ତା’ପରେ ସେ ଚିଠିଟି କାଢି ଜୟସେନଙ୍କୁ ଦେଇ ସେ କହିଲେ, “ଏଇଟି ତୁମର ଝିଅକୁ ଦେବ । ତାକୁ କହିବ ଏଇଟି ସେ ରାଜକୁମାରକୁ ଦେବ । ଯେପରି ଏସବୁ ସେ ଖୁବ୍ ସାବଧାନତା ସହକାରେ କରିବ । ତା’ପରେ ସବୁ ଝିଅ ଉପରେ ଛାଡି ଦେବ ।”
ଏହାପରେ ଜୟସେନ ପତ୍ରଟି ନେଇ ନିଜ ପୋଷାକ ମଧ୍ୟରେ ଲୁଚାଇ ରଖି ସେଠାରୁ ଚାଲି ଆସିଲେ । ଅଧରାତି ପର୍ଯ୍ୟନ୍ତ ରାଜା ଏପଟ ସେପଟ ହେଉଥା’ନ୍ତି । ନିଦ ଆସୁ ନଥାଏ । ତାଙ୍କର ଏପରି ଅବସ୍ଥା ଦେଖି ରାଣୀ ବୈଷ୍ଣୋଦେବୀ ଖୁବ୍ ବ୍ୟସ୍ତ ହୋଇ ତା’ର କାରଣ ପଚାରିଲେ । ରାଜା ସମସ୍ତ ବୃତ୍ତାନ୍ତ ରାଣୀଙ୍କୁ ବୁଝାଇ ସାରି କହିଲେ, “ଶକ୍ତିସେନାକୁ ଏକେଲା ପଠାଇବାରେ ମୋର କୌଣସି ଚିନ୍ତା ନାହିଁ । ସେ ବଡ ସମର୍ଥ ଝିଅ । କିନ୍ତୁ କଥା କଥାରେ ମୁଁ କହି ଦେଇଛି ଯେ ଯଦି ସେ ଜିତିଯାଏ ତ ମୁଁ ତାକୁହିଁ ମୋ ବୋହୁ କରି ଆଣିବି । କୀର୍ତ୍ତି ସିଂହ ତ ଏ ବିଷୟରେ କିଛି ହେଲେ ବି ଜାଣେ ନାହିଁ । ତା’ର ସିଦ୍ଧାନ୍ତ ଏ ବିଷୟରେ କ’ଣ ଯେ ହେବ ତା’ ତ ମୁଁ ଜାଣେ ନାହିଁ । ଯଦି ସେ ରାଜି ନ ହୁଏ, ତେବେ ଏ ଝିଅର ଅବସ୍ଥା କ’ଣ ହେବ? ପୁଣି ମୋ କଥାର ମୂଲ୍ୟ ବା କ’ଣ ରହିଲା? ଏହିସବୁ କଥା ଭାବିଭାବି ମୁଁ ଏବେ ବଡ ବ୍ୟସ୍ତ ଅଛି ।”
ସ୍ୱାମୀଙ୍କ କଥା ଶୁଣି ରାଣୀ ହସି ଦେଇ କହିଲେ, “କୁହତ ଦେଖି ଆକାଶର ରାଜା ରାଣୀ କିଏ?”
ଏଭଳି ପ୍ରଶ୍ନ ଶୁଣି ସେ ରାଜା ହଠାତ୍ ଆଶ୍ଚର୍ଯ୍ୟ ହୋଇ କହିଲେ, “ଇଏ ପୁଣି କିଭଳି ପ୍ରଶ୍ନ?”
ତହୁଁ ରାଣୀ ହସି ହସି କହିଲେ, “ମୋର ଏ ପ୍ରଶ୍ନ ସମୟର ଅନୁକୂଳ । ମୋର ଏ ପ୍ରଶ୍ନର ଉତ୍ତର କେବଳ ଆମ ପୁତ୍ର ଓ ଭାବିପୁତ୍ରବଧୁ ହିଁ ଜାଣନ୍ତି ।”
ଏକଥା ଶୁଣି ସେ ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ତୁମର ପୁଣି ଭାବିପୁତ୍ରବଧୁ? ତମେ କାହାକଥା କହୁଛ?”
“ଆଉ କିଏ? ଶକ୍ତିସେନାହିଁ ଆମର ପୁତ୍ରବଧୁ ହେବ । ତମେ କ’ଣ ଭୁଲିଗଲ କି ଶକ୍ତିସେନା ଓ ଆମ ପୁଅ ଉଭୟେ ପିଲାବେଳର ସାଙ୍ଗ । ଏବେ ମଧ୍ୟ ଆମ ପୁଅ ତା’କଥା ଭୁଲିନାହିଁ । ମୁଁ ଯେବେବି ଗୁରୁକୁଳ ଯାଏ, ପୁଅ ସବୁଥର ଶକ୍ତିସେନା କଥା ପଚାରେ । ଶକ୍ତିସେନା ମଧ୍ୟ ସବୁକିଛି କାମ ନୀରବରେ କରିଯାଏ, କାରଣ ଭିତରେ ଭିତରେ ସେ ତା’ପ୍ରତି ସମର୍ପିତା । ସେ ବିଷୟରେ ତୁମେ ନିଶ୍ଚିନ୍ତ ହୋଇ ରହିଥାଅ ।”