ସେଠାକାର ରାଜ୍ୟମାନଙ୍କ ମଧ୍ୟରେ ନାଗ ରାଜ୍ୟ ତାଙ୍କର ପଡୋଶୀ ରାଜ୍ୟ ଥିଲା । ଏବଂ ଏହି ଦୁଇ ରାଜ୍ୟ ମଧ୍ୟରେ ଥିବା ଜଙ୍ଗଲରେହିଁ ଦେବୀ ମୂର୍ତ୍ତିଙ୍କର ପ୍ରତିଷ୍ଠା ହୋଇଥିଲା ।
କାମ୍ବୋଜ ଅନ୍ୟ ଏକ ପଡୋଶୀ ରାଜ୍ୟ । ଚକ୍ରାଦିତ୍ୟ ତା’ର ରାଜା ଥିଲେ । ସେ ଜଣେ ବହୁତ ଭଲ ରାଜା ଥିଲେ, କିନ୍ତୁ ସେ ଅସମର୍ଥ ଥିଲେ । ତାଙ୍କ ଶାସନ କାଳ ମଧ୍ୟରେ ପ୍ରଜା ବହୁତ କଷ୍ଟ ସହୁଥିଲେ । ସେମାନେ ସର୍ବଦା କୋଶଳ ରାଜ୍ୟର ପ୍ରଜାଙ୍କ ସୁଖ ସନ୍ତୋଷ ଦେଖି କୋଶଳରେ ବସବାସ କରିବାକୁ ଚାହିଁଲେ ଓ ଅନେକେ ସେଠାକୁ ମଧ୍ୟ ପଳାଇ ଆସିଲେ । ଦୟାଳୁ ବିଚିତ୍ରବର୍ମା ସେହିସବୁ ଶରଣାର୍ଥୀମାନଙ୍କୁ ସ୍ଥାନ ଦେଲେ ଓ ସେମାନଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କଲେ ।
ସମୟ ବିତିଗଲା । ବିଚିତ୍ରବର୍ମା ଓ ଚକ୍ରାଦିତ୍ୟ ଦୁହେଁ ବୃଦ୍ଧ ହୋଇଗଲେ । ବିଚିତ୍ରବର୍ମାଙ୍କ ଜ୍ୟେଷ୍ଠପୁତ୍ର ଜୟବର୍ମା କୋଶଳ ଦେଶର ସିଂହାସନରେ ବସିଲେ । ଚକ୍ରାଦିତ୍ୟଙ୍କ ପୁତ୍ର ମଧ୍ୟ ସିଂହାସନରେ ବସିବା କଥା । କିନ୍ତୁ ସେ ମଧ୍ୟ ତାଙ୍କ ପିତାଙ୍କ ପରି ଅସମର୍ଥ ଥିଲେ । ତେଣୁ ତାଙ୍କର ଦ୍ୱିତୀୟ ପୁତ୍ର ବରୁଣଦତ ନିଜର ପିତା ଓ ଜ୍ୟେଷ୍ଠ ଭ୍ରାତାଙ୍କୁ ବନ୍ଦୀ କରି ନିଜେ ସିଂହାସନରେ ବସିଲେ । କର୍ମଚାରୀଗଣ ନାନା ପ୍ରକାର ଅନ୍ୟାୟ କରି ଧନ ଅର୍ଜନ କରୁଥିଲେ । ରାଜା ଅସମର୍ଥ ହେଲେ ବା ଦୁଷ୍ଟ ପ୍ରକୃତିର ହେଲେ ପ୍ରଜାଙ୍କର ଅବସ୍ଥା ଯାହା ହୁଏ ତାହା ହେଲା । ପ୍ରଜାମାନେ ଅତ୍ୟାଚାରିତ ହେଲେ । ରାଜକର୍ମଚାରୀ ଗଣଙ୍କର ଉତ୍କୋଚ ଗ୍ରହଣ କରିବା ଏକ ଅଭ୍ୟାସ ହୋଇଗଲା । ଏହିଭଳି ଭାବରେ ସେ ରାଜ୍ୟରେ ହାହାକାର ପଡିଗଲା । କିନ୍ତୁ କାହାର କିଛି କରିବାର ନଥିଲା । ସେମାନେ ଭାବିପାରିଲେ ନାହିଁ ଯେ ଏପରି ପରିବର୍ତ୍ତନ ଦ୍ୱାରା ସେମାନଙ୍କର ଭଲ ହେବ ନା ଖରାପ ହେବ ।
ବିଚିତ୍ରବର୍ମାଙ୍କ ପୁତ୍ର ଜୟବର୍ମା ବହୁତ ଭଲ ମଣିଷ ଥିଲେ କିନ୍ତୁ ବିଳାସ ବ୍ୟସନ ପ୍ରତି ସେ ସଦା ସର୍ବଦା ଆକୃଷ୍ଟ ଥିଲେ ।
ସେ ନାନା ପ୍ରକାର କଳା କୌଶଳରେ ପୂର୍ଣ୍ଣ ବିଳାସ ମନ୍ଦିର ମାନ ନିର୍ମାଣ କରାଇଲେ । ଦେଶବିଦେଶରୁ ଆସିଥିବା ନର୍ତ୍ତକୀମାନଙ୍କର ନୃତ୍ୟ ଦେଖି ଓ ଗୀତ ଶୁଣି ସମୟ ବିତାଉଥିଲେ । ସେମାନଙ୍କୁ ବହୁମୂଲ୍ୟର ପୁରସ୍କାର ଦେଉଥିଲେ । ଏହି ସବୁଥିରେ ଅଧିକ ସମୟ ଦେବାରୁ ଶାସନରେ ଅବହେଳା ଦେଖାଦେଲା । ସେ ନିଜର କର୍ତ୍ତବ୍ୟ ଭୁଲିଗଲେ । ନିଜର ରାଜଧର୍ମ ମଧ୍ୟ ଭୁଲିଗଲେ । ତେଣୁ କୁହାଯିବ ତାଙ୍କର ଅଧୋଗତି ହେଲା । ପୁତ୍ରର ଏପରି ଅବସ୍ଥା ଦେଖି ତାଙ୍କ ପିତା ଅତ୍ୟନ୍ତ ଦୁଃଖିତ ହେଲେ । ପ୍ରଜାମାନେ ମଧ୍ୟ ଦୁର୍ନାମ ରଟାଇଲେ ।
ଏସବୁ ଘଟଣା ଶୁଣି କାମ୍ବୋଜର ରାଜା ବରୁଣଦତ, କନକଲତା ନାମକ ଜଣେ ସୁନ୍ଦରୀ ନର୍ତ୍ତକୀକୁ ତାଙ୍କ ପାଖକୁ ପଠାଇଲେ । ଉଦ୍ଧେଶ୍ୟ ଥିଲା କନକଲତା ନିଜ ନୃତ୍ୟ ଦ୍ୱାରା ରାଜାଙ୍କୁ ମୁଗ୍ଧ କରି ପୂର୍ବୋକ୍ତ ଅପୂର୍ବ ହାରଟି ହାସଲ କରି ଆଣି ବରୁଣଦତଙ୍କୁ ଦେବ ଏବଂ ବହୁମୂଲ୍ୟର ପୁରସ୍କାର ପାଇବ ।
କିନ୍ତୁ ବରୁଣଦତ ଜାଣି ନଥିଲେ କି ବୃଦ୍ଧ ରାଜା ବିଚିତ୍ରବର୍ମା ପୁତ୍ରକୁ ସିଂହାସନରେ ବସାଇଲେ ମଧ୍ୟ, ପୁତ୍ରର ବିଳାସବ୍ୟସନ ପ୍ରତି ଅତୀଶୟ ଦୁର୍ବଳତା ଜାଣି, ସେ ନିଜେ ଶାସନର ଅନେକ କାର୍ଯ୍ୟ କରୁଥିଲେ ଓ ଏକ ବଡ ଗୁପ୍ତଚର ଦଳ ଗଠନ କରି ବରାବର ଖବର ସଂଗ୍ରହ କରୁଥିଲେ । ପୁତ୍ର ରାଜା ହେବା ପରଠାରୁ ସେହି ବିଚିତ୍ର ହାରଟି ତାଙ୍କ ଗଳାରେ ରହିଛି । ବୃଦ୍ଧ ରାଜା ପୁତ୍ରର ଚାଲିଚଲଣ ଉପରେ ଖୁବ୍ ସଜାଗ ଥିଲେ ଓ ହାରଟି ଯେପରି ଶତ୍ରୁ ହାତକୁ ନଯାଏ ସେଥିପ୍ରତି ସେ ବହୁତ ଧ୍ୟାନ ଦେଉଥିଲେ । କାରଣ ହାରଟି ଅନ୍ୟ ରାଜା ହାତକୁ ଗଲେ ତାଙ୍କ ରାଜ୍ୟ ତଳିତଳାନ୍ତ ହୋଇଯିବ, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ ।
କନକଲତା କୋଶଳ ରାଜ୍ୟକୁ ପ୍ରବେଶ କରିବା ମାତ୍ରେ ବୃଦ୍ଧରାଜା ଗୁପ୍ତଚରଙ୍କ ଦ୍ୱାରା ଖବର ପାଇଗଲେ କେଉଁ କାରଣରୁ ସେ ଏଠାକୁ ଆସିଛି । ଏସବୁ କଥା ଜାଣିବା ପରେ ସେ ବଡ ଚିନ୍ତିତ ହୋଇ ପଡିଲେ ଓ ଜୟସେନଙ୍କ ସହିତ ଏ ବିଷୟରେ ଆଲୋଚନା କଲେ । ଦୁଇ ଜଣ ମିଶି ନାନା ପ୍ରକାରର ଯୋଜନା କଲେ । ଠିକ୍ ସେହିଭଳି ଆଉ ଏକ ହାର ବନାଇଲେ । ଜଣେ ବିଶ୍ୱାସୀ ଲୋକକୁ ଏ ଦାୟିତ୍ୱ ଦିଆଗଲା । ସେ ଅସଲି ହାରଟି ନେଇ ଆସି ନକଲି ହାରଟି ତାଙ୍କ ବେକରେ ପକାଇଲା ।