ପରଦିନ ନୃତ୍ୟ ଗୀତରେ ମୁଗ୍ଧ ରାଜା ଯେତେବେଳେ ନିଜ ଅକ୍ତିଆରରେ ନଥିଲେ, ସେହି ସୁଯୋଗରେ କନକଲତା ରାଜାଙ୍କ ଠାରୁ ହାରଟି କୌଣସି ମତେ ପୁରସ୍କାର ସ୍ୱରୂପ ମାଗିନେବା ପରେ ସେ ରାଜ୍ୟ ଛାଡି ସେ ତୁରନ୍ତ ସେଠାରୁ ପଳାଇଗଲା । କନକଲତାର ଷଡଯନ୍ତ୍ର ଜାଣିବା ପରେ ଜୟବର୍ମା ତାଙ୍କ ବୃଦ୍ଧପିତାଙ୍କ ପାଖକୁ ତତ୍କ୍ଷଣାତ୍ ଦୌଡିଲେ ।
ସେତେବେଳେ ବିଚିତ୍ରବର୍ମା ତ ଜୟସେନ୍ଙ୍କ ସହ ସତରଞ୍ଜ ଖେଳୁଥିଲେ । ଜୟବର୍ମା ସବୁକଥା କହିଲେ । ସେ କହିଲେ ଯେମିତି ହେଉ ପଛେ ସେ ହାରଟିକୁ ମୋତେ ଉଦ୍ଧାର କରିବାକୁ ହେବ ।
ବିଚିତ୍ରବର୍ମା ସବୁକଥା ଶୁଣି ଦୀର୍ଘଶ୍ୱାସ ପକାଇ ତାଙ୍କ ପୁତ୍ରଙ୍କୁ କହିଲେ, “ଅବଶ୍ୟ, ସେହି ହାର ଆମ ବଂଶଜ ବ୍ୟତୀତ ଅନ୍ୟ କାହା ପାଖରେ ରହିଲେ ତା’ର ମହିମା ନଷ୍ଟ ହୋଇଯିବ । ତେଣୁ ସବୁଠାରୁ ଭଲ ହେବ ଯେ ଆମେ ସେ ବିଷୟ ଭୁଲିଯିବା; କାରଣ ହାରଟି କେଉଁଠି ହଜିଯାଇ ନାହିଁ । ତମେ ଜଣେ ଯୁବକ । ରାଜା ହେଉ ହେଉ ଯଦି ସର୍ବଦା ବିଳାସ ବ୍ୟସନରେ ମାତି ରହିବ, ତେବେ ତ ତୁମର ଶାସନ କିପରି ଚାଲିବ ଏଥିରୁ ସ୍ପଷ୍ଟ ଅନୁମାନ କରି ହେଉଛି । ପୁଣି ତୁମର ଦୁର୍ବଳତା ଦେଖି ପଡୋଶୀ ରାଜ୍ୟମାନେ ମଧ୍ୟ ଆକ୍ରମଣ କରି ରାଜ୍ୟ ଦଖଲ କରିବେ ।”
ତାଙ୍କ କଥା ଶୁଣି ଜୟବର୍ମା ଓ ଜୟସେନ ଉଭୟ ଆଶ୍ଚର୍ଯ୍ୟ ହେଲେ । ପିତାଙ୍କ କଥା ଶୁଣି ସେ ଆଶ୍ଚର୍ଯ୍ୟ ହେଲେ ମଧ୍ୟ ହାରପାଇଁ ବହୁତ ଦୁଃଖିତ ଜଣାଗଲେ । ବିଚିତ୍ରବର୍ମା ପୁତ୍ରଙ୍କୁ ସଚେତନ କରାଇ କହିଲେ, “କଳାପ୍ରିୟ ରାଜାମାନେ ନିଜର କଳାଭିମାନ ପାଇଁ ଶିଳ୍ପୀମାନଙ୍କୁ ଅବଶ୍ୟ ସନ୍ତୁଷ୍ଟ କରିବା ଉଚିତ୍ । କିନ୍ତୁ ସେମାନଙ୍କ ପଛରେ ପାଗଳା ହେବା ଆଦୌ ଉଚିତ୍ ନୁହେଁ । ଜଣେ ଭଲ ରାଜା ତା’ର ସମସ୍ତ ଦୃଷ୍ଟି କେବଳ ପ୍ରଜାଙ୍କ ଭଲମନ୍ଦ ଉପରେହିଁ ରଖିବା ଉଚିତ୍; ବିଳାସ ବ୍ୟସନ ପଛରେ ପାଗଳ ହେବା ଏକ ପ୍ରକାର ମୂର୍ଖତା । ତେଣୁ ଉତ୍ତମ ରାଜା ଭାବରେ ଖ୍ୟାତି କରିବା ଏତେ ସହଜ ନୁହେଁ ।”
ଏହାପରେ ଜୟବର୍ମା ଦୁଃଖିତ ଓ ଲଜ୍ଜିତ ହୋଇ ସେଠାରୁ ଚାଲିଗଲେ । ସେ ଚାଲିଯିବା ପରେ ଜୟସେନଙ୍କୁ ବିଚିତ୍ରବର୍ମା କହିଲେ, “ତମେ ହୁଏତ ଭାବୁଥିବ ଯେ ମୁଁ କାହିଁକି ମିଥ୍ୟା କଥା କହିଲି? କିନ୍ତୁ କୁହତ, ଜୟବର୍ମାଠାରୁ ସେହି ହାର ଆଣିବା ପାଇଁ ଆମେ କାହିଁକି ଆତୁରତା ଦେଖାଇଲେ?”
ଜୟସେନ୍ କିଛି କହିଲେ ନାହିଁ । ବିଚିତ୍ରବର୍ମା ପୁଣି କହିଲେ, “ଯଦି ଜୟବର୍ମାର ଗଳାରେ ସେହି ହାର ଥା’ନ୍ତା ତ ସେହି ନର୍ତ୍ତକୀର ପ୍ରକୃତ ଉଦ୍ଧେଶ୍ୟ ସେ ଠିକ୍ ଜାଣି ପାରିଥା’ନ୍ତା । ତେଣୁ ନର୍ତ୍ତକୀ ତାକୁ ଠକିପାରି ନଥା’ନ୍ତା ବା ହାର ନେଇଯାଇ ପାରି ନଥା’ନ୍ତା । ଏକଥା କାମ୍ବୋଜ ରାଜା ଜାଣି ମଧ୍ୟ କିପରି ଏଭଳି ଯୋଜନା କଲେ? ଆମେ ଯେଉଁ ନକଲି ହାର ଦେଲେ ତାହା କେଉଁଥିପାଇଁ? ନିଜର ଦୁର୍ବଳ ମନ ଓ ସ୍ଥିତିର ବିମୂଢଭାବ ମଧ୍ୟରେ, ସେ ଉଚ୍ଚସ୍ତରର ଜିନିଷର ମହିମା ମନେ ରଖି ପାରେ ନାହିଁ । ନିଜର ଦୁର୍ବଳତା ଯୋଗୁଁ ସେ ଅତିଭୌତିକ ଶକ୍ତି ସବୁର କ୍ରିୟା ବିଷୟ ବୁଝିପାରନ୍ତି ନାହିଁ । ବରୁଣଦତ ମୂର୍ଖ, କିନ୍ତୁ ଏ ସତ୍ୟ ସେ ଜାଣେ । ତେଣୁ ସେ କନକଲତା ଦ୍ୱାରା ହାର ଅପହରଣ କରିବାକୁ ଚେଷ୍ଟା କରିଥିଲା । କ’ଣ ମୁଁ ଠିକ୍ କଥା କହୁଛି ନା ନାହିଁ?”
ଜୟସେନ ତାଙ୍କ ମଥା ହଲାଇଲେ ଓ ମୌନ ରହିଲେ । ବିଚିତ୍ରବର୍ମା ଅଳ୍ପ ହସି କହିଲେ, “ମୁଁ ଜାଣେ ଯେ ଜୟବର୍ମା ପ୍ରତି ମୋ’ଠାରୁ ତୁମର ବାତ୍ସଲ୍ୟଭାବ ଅଧିକ ଅଛି । ତୁମେ ହୁଏତ ଭାବୁଛ ଯେ ଏବେ ଜୟବର୍ମାର ଯଥେଷ୍ଟ ପ୍ରାୟଶ୍ଚିତ ହେଲାଣି । ସେ ଭବିଷ୍ୟତରେ ଅଧିକ ସଜାଗ ରହିବ, ତେଣୁ ତାକୁ ହାର ଫେରାଇଦେବା ଉଚିତ୍ । କିନ୍ତୁ ଏପରି ପରିସ୍ଥିତିରେ ଦୁର୍ବଳ ସ୍ୱଭାବର ମଣିଷ ନିଜକୁ ସଂଶୋଧନ କରିବା ପରିବର୍ତ୍ତେ ଅନ୍ୟପ୍ରକାର ହୋଇଯାଏ । ଏବେ ବରୁଣଦତ ନକଲି ହାର କଥା ଜାଣିଯିବା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିବ ଓ ସେ ହାର ପାଇବା ପାଇଁ ନାନା ପ୍ରକାର ହୀନ ଉପାୟ ଅବଲମ୍ବନ କରିବ । ଜୟବର୍ମା ଓ ବରୁଣଦତ ଭାବିବେ ଯେ ହାର ଶକ୍ତିହୀନ ହୋଇ ଯାଇଛି । ଏବେ ରହିଲା ହାର କଥା ।”
ସେ ବିଷୟରେ ମୁଁ ସବୁ ସ୍ଥିର କରିସାରିଛି । ଏକଥା ସତ ଯେ ଆମ ବଂଶରେ ଜଣେ ମହାନ ବ୍ୟକ୍ତି ଜନ୍ମହେବେ । ତାଙ୍କରି ସକାଶେ ମୁଁ ହାର ଯୋଗୁଁ ଯେତେ ସମ୍ପତ୍ତି ପାଇଛି, ସବୁ ଗଚ୍ଛିତ କରି ରଖିଛି ।” ରାଜାଙ୍କର ଏଭଳି ରାଜନୀତି ଓ ଦୂରଦୃଷ୍ଟି ଦେଖି ଜୟସେନ୍ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଉଥିଲେ ଓ କେବଳ ମଥା ହଲାଇ ସ୍ୱୀକୃତି ଦେଉଥିଲେ ।
ଜୟବର୍ମା ବିଶ୍ୱାସ କଲେ ଯେ ହାରର ମହିମା ନଷ୍ଟ ହୋଇଗଲା । ବରୁଣଦତ ମଧ୍ୟ ସେହି ଖବର ପାଇ ବଡ ଦୁଃଖିତ ହେଲେ, ଯାହା ହେବାର ଥିଲା ହୋଇଗଲା; ଏଣିକି ଜୟବର୍ମାଙ୍କ ମନରେ ପରିବର୍ତ୍ତନ ଦେଖା ଦେଲା । ସେ କେବଳ ପ୍ରଜାଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କଲେ ଓ ବିଳାସବ୍ୟସନ ପ୍ରତି ସମ୍ପୂର୍ଣ୍ଣ ନିରାସକ୍ତ ରହିଲେ । ପ୍ରଜାମାନେ ମଧ୍ୟ ରାଜାଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଦେଖାଇଲେ ।
ବୃଦ୍ଧରାଜା ବିଚିତ୍ରବର୍ମା ପୁତ୍ରର ଏଭଳି ପରିବର୍ତ୍ତନରେ ଅତି ମାତ୍ରାରେ ଖୁସି ହେଲେ । କିଛି ବର୍ଷ ପରେ ତାଙ୍କର ମୃତ୍ୟୁ ହେଲା । କିଛିଦିନ ପରେ ଜୟସେନଙ୍କର ମଧ୍ୟ ମୃତ୍ୟୁ ହେଲା । କିନ୍ତୁ ସେ ତାଙ୍କ ମୃତ୍ୟୁ ପୂର୍ବରୁ ଜୟବର୍ମାଙ୍କୁ ପୂର୍ବଘଟଣା ସବୁକିଛି କହିଲେ । ତା’ପରେ ସେ କହିଲେ, “ପୁତ୍ର, ତୁମର ପରିବର୍ତ୍ତନ ଦେଖି ମୁଁ ମହାରାଜାଙ୍କୁ ହାରଟି ତୁମକୁ ଦେବାପାଇଁ ଅନୁରୋଧ କରିଥିଲି । ମୋ ଅନୁରୋଧ କିନ୍ତୁ ସେ ରଖିଲେ ନାହିଁ । ସେ କହିଲେ, “ମୋର ଏବେ ମଧ୍ୟ ବିଶ୍ୱାସ ହେଉନାହିଁ ସେ ହାରର ଦଶା କଣ ହେବ । ହାରର ମହାନତା ଯଦି ଜୟବର୍ମା ବୁଝିପାରିଥା’ନ୍ତା ତେବେ ମୁଁ ତାକୁ ଦେଇ ନଥା’ନ୍ତି କାହିଁକି? ସେ ହାରର ପ୍ରକୃତ ମାଲିକ ଜୟବର୍ମାର ପୁତ୍ର ଅଥବା ନାତି । ହାର ତ ମୋହରି ବଂଶରେ ହିଁ ରହିବ । ଅନ୍ୟର ହାତକୁ ତ ତାହା ଯିବ ନାହିଁ । ସେ ମୋତେ ମଧ୍ୟ କହିଲେ ନାହିଁ ଯେ ସେ କେଉଁଠି ହାରକୁ ଲୁଚାଇ ରଖିଛନ୍ତି । ସେ ମୋ ଦ୍ୱାରା ଏକ ପତ୍ର ତୁମ ପାଖକୁ ଲେଖିଥିଲେ ଓ କହିଥିଲେ ଯେ ତାଙ୍କ ମୃତ୍ୟୁ ପରେ ସେ ପତ୍ର ତୁମକୁ ଦେବାକୁ । ଏବେ ନିଅ ଏହି ପତ୍ର ।” ତା’ପରେ ସେ ହାତୀଦାନ୍ତର ଏକ ପେଡି ରାଜା ଜୟବର୍ମାଙ୍କ ହାତରେ ଦେଲେ । ପତ୍ରଟି ତାହାରି ମଧ୍ୟରେ ଥିଲା ।